ଭୁବନେଶ୍ବର: ବିଶ୍ବକପ୍‌ ହକିକୁ ଆଉ ୧୦ ଦିନ ବାକି। ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଲାଗି ପଡ଼ିଛନ୍ତି ଅଧିକାରୀ। ଯେଉଁ କାମ ପାଇଁ ଜଣେ ଅଧିକାରୀ ଯଥେଷ୍ଟ, ସେଠାରେ ୫ ଜଣ ଲାଗିଛନ୍ତି। ଘଡ଼ିକୁ ଘଡ଼ି ସମୀକ୍ଷା ହେଉଛି। ଆବଶ୍ୟକ ପଡ଼ିଲେ ଭର୍ଚୁଆଲ୍‌ରେ ବି ବସୁଛି ବୈଠକ। କାମ ଥାଉ କି ନଥାଉ ସମସ୍ତେ ଯେ ବ୍ୟସ୍ତ ଏହା ଅଧିକାରୀମାନେ ଦର୍ଶାଉଛନ୍ତି। ଏହି ଆଳରେ ସବୁ ପ୍ରକଳ୍ପ ଚୁଲିକୁ ଗଲାଣି। ଅଧିକାରୀମାନେ ଆଉ ଅଫିସ ଆସୁନାହାନ୍ତି। ଏଭଳି ପରିସ୍ଥିତି ସ୍ମାର୍ଟସିଟି ଅଫିସ୍‌ରେ ଉପୁଜିଛି। ‘ସିଟିଜ୍‌ କାର୍ଯ୍ୟକ୍ରମ’ ଅଧୀନରେ ହେବାକୁ ଥିବା ପ୍ରକଳ୍ପ ପାଦେ ଆଗେଇ ପାରୁ ନାହିଁ। ବରଂ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ସିଟିଜ୍‌ ହାତରୁ ଖସିବାରେ ଲାଗିଛି। ନୂଆ କରି ସିଟିଜ୍‌ ଦାୟିତ୍ବ ନେଇଥିବା ଅଧିକାରୀ ବିଏମ୍‌ସିରେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ତେବେ କେବଳ ସ୍ମା‌ର୍ଟ ସିଟି ଅଫିସ୍‌ରେ ନୁହେଁ ବରଂ ବିଏମ୍‌ସି ସମେତ ବିଭିନ୍ନ ଅଫିସ୍‌ରେ ଏଭଳି ବିଚିତ୍ର ପରିସ୍ଥିତି ଉପୁଜିଛି। ହକି ଆଳରେ ଜନସ୍ବାର୍ଥକୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି ରାଜଧାନୀରେ ସହରୀ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସିଟିଜ୍‌(ସିଟି ଇନ୍‌ଭେଷ୍ଟ୍‌ମେଣ୍ଟ୍ ଟୁ ଇନୋଭେଟ୍, ଇଣ୍ଟିଗ୍ରେଟ୍ ଆଣ୍ଡ ସଷ୍ଟେନ) କାର୍ଯ୍ୟକ୍ରମ ୨୦୧୯ ମସିହାରୁ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ୩ ବର୍ଷ ବିତିଥିଲେ ମଧ୍ୟ ଗୋଟିଏ ହେଲେ ପ୍ରକଳ୍ପ ପୂର୍ଣ୍ଣ ରୂପ ନେଇ ପାରି ନାହିଁ। ଏହି କାର୍ଯ୍ୟକ୍ରମ ଦାୟିତ୍ବରେ (ସ୍ପେସ‌ାଲ ପ୍ରୋଜେକ୍ଟ ମହାପ୍ରବନ୍ଧକ) ଦୀପ୍ତିରାଣୀ ସାହୁ ରହିଥିଲେ। ଦୀର୍ଘ ୩ ବର୍ଷ ହେବ ସେ ଏହି ପଦବିରେ ରହିଥିଲେ ମଧ୍ୟ ପ୍ରକଳ୍ପ ଆଗେଇ ନ ପାରିନଥିଲା। ନୂଆ କମିସନର ବିଜୟ ଅମୃତା କୁଲାଙ୍ଗେ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କ ସୁପାରିସ କ୍ରମେ ହିଞ୍ଜିଳିକାଟୁ ପୌରସଂସ୍ଥାରେ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ ଏହି ପଦରେ ଯୋଗ ଦେଇଥିଲେ। କିନ୍ତୁ ସେ ଦୁଇ ମାସ ହେବ ବିଏମ୍‌ସିରେ ବସୁଛନ୍ତି। ସେଠା‌ରେ ହକି ପାଇଁ ପରିମଳ ବ୍ୟବସ୍ଥା ସୁଧାରିବାକୁ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେଠାରେ ସେ ବ୍ୟସ୍ତ ରହୁଥିବାରୁ ସିଟିଜ୍‌ କଥା ବୁଝି ପାରୁ ନାହାନ୍ତି।

୨୦୧୯ ମସିହାରେ ସିଟିଜ୍‌ କାର୍ଯ୍ୟକ୍ରମ ଅଧୀନରେ ୧୮୦ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା। ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଏହି ପ୍ରସ୍ତାବ ପୁରସ୍କୃତ ହେବା ପରେ ସିଟିଜ୍‌ କାମ ଆରମ୍ଭ କରିଥିଲା। ଆର୍ଥିକ ତଥା ଅନ୍ୟାନ୍ୟ ସହ‌ଯୋଗ ପାଇଁ ଫ୍ରେଞ୍ଚ ଡେଭେଲପ୍‌ମେଣ୍ଟ ଏଜେନ୍ସି, ୟୁରୋପୀୟ ୟୁନିଅନ୍ ଓ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଅର୍ବାନ୍‌ ଆଫାୟାର୍ସ ଏହି କାର୍ଯ୍ୟକ୍ରମର ଅଂଶୀଦାର ହୋଇଥିଲେ। ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଏହାର ନୋଡାଲ୍‌ ଏଜେନ୍ସି ରହିଥିଲା। ଏଥିରେ ବିଭିନ୍ନ ପର୍ଯ୍ୟାୟରେ ୧୮୯.୬୯ କୋଟି ଟଙ୍କା ଖର୍ଚ୍ଚ ହେବାକୁ ରହିଥିଲା। ଏଥିରେ ପାଞ୍ଚଟି ଐତିହ୍ୟ ପୋଖରୀ ଯଥା ଗୋଦାବରୀ, କୋଟିତୀର୍ଥେଶ୍ୱର, ଗଙ୍ଗା ଯମୁନା, ଦେବୀ ପାଦହରା ଓ ଗୋଡ଼ି ପୋଖରୀ ପୁନରୁଦ୍ଧାର ଯୋଜନା ରହିଥିଲା। ତା’ ସହିତ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)ରେ ‘ୱାଟର୍‌ ଫ୍ରଣ୍ଟ ପ୍ରମୋନେଡ୍‌’ ବିକାଶ ଯୋଜନା ରହିଥିଲା। ଲୋକସେବା ଭବନ ସମ୍ମୁଖ ରାସ୍ତାର ସୌନ୍ଦର୍ଯ୍ୟୀକରଣ ଯୋଜନା ରହିଥିଲା। ତା ସହିତ ଏଥିରେ ୨୧ଟି ଖେଳ ପଡ଼ିଆ ଉନ୍ନତୀକରଣ ଯୋଜନା ବି ଥିଲା। ଆଠଟି ପାର୍କର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ସହ ପାଞ୍ଚଟି ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ଯୋଜନା ମଧ୍ୟ ରହିଥିଲା। ଏହା ଛଡ଼ା ଅନ୍ୟ ପ୍ରକଳ୍ପ ମଧ୍ୟରେ ୧୬.୭ କିଲୋମିଟର ଫୁଟ୍‌ପାଥ୍‌ର ବିକାଶ, ସାଧାରଣ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ସାଇକେଲ ଟ୍ରାକ୍ ଓ ଷ୍ଟ୍ରିଟ୍‌ ଆର୍ଟ ଆଣ୍ଡ ମୁରାଲ୍ ପ୍ରୋଜେକ୍ଟ(ଷ୍ଟାମ୍ପ) ଯୋଜନା ହୋଇଥିଲା। ହାଲ୍‌କା କଳାକୃତି ଓ ଉଦ୍ୟାନ ଲାଇବ୍ରେରି ଭଳି ନୂଆ ପ୍ରକଳ୍ପ ଏହି ସିଟିଜ୍‌ ଯୋଜନାରେ ସାମିଲ ହୋଇଥିଲା। ନବୀନ ନିବାସ ନିକଟରେ ଥିବା ପ୍ରାକୃତିକ ନଳା ନମ୍ବର ୭କୁ ବିଶୋଧନ ଯୋଜନା ମଧ୍ୟ ରହିଥିଲା। ପ୍ରକଳ୍ପଗୁଡ଼ିକ ଉପରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ମୋହର ମାରିବା ପ‌ରେ ପ୍ରଥମ ପର୍ଯ୍ୟାୟରେ ୭୯ କୋଟି ୩୦ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ଏହି ସବୁ ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ କନ୍‌ସଲ୍‌ଟାନ୍ସି ସଂସ୍ଥାଙ୍କୁ ନିୟୋଜିତ କରାଯାଇଥିଲା। ଯେଉଁଥିରେ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ହେଲେ ଗୋଟିଏ ହେଲେ ଯୋଜନା ବାସ୍ତବ ରୂପ ନେଇ ପାରିନଥିଲା। ବରଂ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ସିଟିଜ୍‌ ହାତରୁ ଖସିବାରେ ଲାଗିଥିଲା। ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)ରେ ‘ୱାଟର୍‌ ଫ୍ରଣ୍ଟ ପ୍ରମୋନେଡ୍‌’ ବିକାଶ ଯୋଜନା ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ଅଧିକାରୀଙ୍କ ଅବହେଳା ଯୋଗୁ ଏହାକୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଛି। ସେମାନେ କାମ ଆରମ୍ଭ କରିଛନ୍ତି। ସେହିଭଳି ଲୋକସେବା ଭବନ ସମ୍ମୁଖ ରାସ୍ତାର ସୌନ୍ଦର୍ଯ୍ୟୀକରଣ ଯୋଜନା ମଧ୍ୟ ସିଟିଜ୍‌ ହାତରୁ ଖସି ଯାଇଛି। ଏହାକୁ ବିଡିଏ କରିବାକୁ ଯୋଜନା କରୁଛି। ସେହିଭଳି ୫ଟି ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ ପାଇଁ ଯେଉଁ ରୂପରେଖ ପ୍ରସ୍ତୁତ ହୋଇଥିଲା ତାହା ମଧ୍ୟ ଫସର ଫାଟିଛି। ଏବେ ଗୋଟିଏ ହେଲେ ପ୍ରକଳ୍ପ ସିଟିଜ୍‌ ହାତରେ ନାହିଁ। ତେବେ ହକି ଖେଳ ପରେ ସିଟିଜ୍‌ କାର୍ଯ୍ୟକ୍ରମର ସମୀକ୍ଷା ହେବା ସହ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।