କ୍ୟାପିଟାଲ ହସ୍ପିଟାଲ : ଔଷଧ କିଣାରେ କେଳେଙ୍କାରୀ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଔଷଧ କିଣାରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଗତ କିଛିମାସ ଧରି ଏଭଳି ହେରଫେର ଚାଲିଥିବା ବେଳେ ଏବେ ହସ୍ପିଟାଲ କର୍ତୃପକ୍ଷଙ୍କ ନଜରକୁ ଆସିଛି। ହସ୍ପିଟାଲର କିଛି ତଳିଆ କର୍ମଚାରୀ ଏହି ହେରଫେରରେ ସାମିଲ ଥିବା ଜଣାପଡ଼ିଛି। ଏହି କେଳେଙ୍କାରୀ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ସନ୍ଦେହ କରାଯାଉଛି।

ବିନା ପରଚେଜ୍‌ ଅର୍ଡର ଲକ୍ଷାଧିକ ଟଙ୍କାର ଔଷଧ କିଣା ଯାଇଥିବା ବେଳେ ନୋଟ୍‌ସିଟ୍‌ରେ ମଧ୍ୟ ଏ ସଂପର୍କରେ କିଛି ଉଲ୍ଲେଖ ନାହିଁ। ଏଭଳି ଘଟଣା ନଜରକୁ ଆସିବା ପରେ ହସ୍ପିଟାଲ କର୍ତୃପକ୍ଷ ଏହାର ଯାଞ୍ଚ ଆରମ୍ଭ କରିଥିଲେ। ପରେ ସେଣ୍ଟ୍ରାଲ ଷ୍ଟୋରର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଛନ୍ତି। ତେବେ ମାସ ମାସ ଧରି ଏଭଳି ହେରଫେର ଚାଲିଥିବା ବେଳେ କିଭଳି ହସ୍ପିଟାଲ କର୍ତୃପକ୍ଷଙ୍କ ନଜରକୁ ଆସି ନ ଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ହସ୍ପିଟାଲ ପକ୍ଷରୁ ଅନେକ ସମୟରେ ରୋଗୀମାନଙ୍କ ପାଇଁ ଔଷଧ କିଣା ଯାଇଥାଏ। ଅତ୍ୟାବଶ୍ୟକ ଔଷଧ ବା ଇଡିଏଲ୍‌ ତାଲିକା ମଧ୍ୟରେ ୨୪୦/୨୫୦ ପ୍ରକାରର ଔଷଧ ରହିଛି। ଏହି ଔଷଧକୁ ହସ୍ପିଟାଲ ପକ୍ଷରୁ ବିଭିନ୍ନ କମ୍ପାନି ନିକଟରୁ କିଣା ଯାଇଥାଏ। ମାତ୍ର ଗତବର୍ଷ କିଣା ଯାଇଥିବା ଔଷଧରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ବିନା ପରଚେଜ୍‌ ଅର୍ଡର ଓ ନୋଟ୍‌ସିଟ୍‌ ଜରିଆରେ ଏହି ଔଷଧ କିଣା ଯାଇଥିବା ନଜରକୁ ଆସିଛି।

ଏଥିପାଇଁ ଆବଶ୍ୟକ ବିଲ୍‌କୁ ହସ୍ପିଟାଲର ଉପ-ଅଧୀକ୍ଷକଙ୍କ ଜରିଆରେ ପାସ୍‌ ହୋଇଥାଏ। ତେବେ ଗତବର୍ଷ କିଣା ଯାଇଥିବା ଔଷଧର ବିଲ୍‌ରେ ଦସ୍ତଖତ କରିବା ପାଇଁ ଉପ-ଅଧୀକ୍ଷକ ଏହାର ପରଚେଜ୍‌ ଅର୍ଡର ଓ ନୋଟ୍‌ସିଟ୍‌ର ମୂଳ କପି ମାଗିଥିଲେ। ମାତ୍ର ସେଣ୍ଟ୍ରାଲ ଷ୍ଟୋର ଦାୟିତ୍ୱରେ ଥିବା କର୍ମଚାରୀ ଏହାକୁ ଦେଖାଇ ପାରି ନ ଥିଲେ। ଏହାକୁ ନେଇ ସନ୍ଦେହ ଜାତ ହୋଇଥିଲା। ପରବର୍ତୀ ସମୟରେ ଯେତେଥର ତାଙ୍କୁ ମୂଳ କପି ଦେବାକୁ କୁହାଯାଇଥିଲେ ହେଁ ସେ ଦେଇ ନ ଥିଲେ।

ଘଟଣା ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ କ୍ୟାପିଟାଲ ହସ୍ପିଟାଲର ପୂର୍ବରୁ ଥିବା ଉପ-ଅଧୀକ୍ଷକଙ୍କୁ ମଧ୍ୟ ହସ୍ପିଟାଲକୁ ଡକା ଯାଇଥିଲା। ଏଭଳି ଘଟଣା ସଂପର୍କରେ ସେ ଅବଗତ ନ ଥିବା କହିଥିଲେ। ଯାହାକୁ ନେଇ ହସ୍ପିଟାଲ ହସ୍ପିଟାଲର କିଛି କର୍ମଚାରୀ ଏଭଳି ହେରଫେରରେ ଲିପ୍ତ ଥିବା ସନ୍ଦେହ କରିଥିଲେ। ତେବେ ପରବର୍ତୀ ସମୟରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। କର୍ମଚାରୀ ଜଣକ ବିଲ୍‌ରେ ଦସ୍ତଖତ କରିବା ପାଇଁ ଉପ-ଅଧୀକ୍ଷକଙ୍କୁ ଚାପ ପକାଇବା ସହିତ ଧମକ ମଧ୍ୟ ଦେବାକୁ ପଛାଇ ନ ଥିଲେ। ଯାହାକୁ ନେଇ ହସ୍ପିଟାଲ କର୍ତୃପକ୍ଷ ସେଣ୍ଟ୍ରାଲ ଷ୍ଟୋର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ସେଠାରେ ହଟାଇ ଔଷଧ ବିତରଣ କେନ୍ଦ୍ରକୁ ବା ଡିଡିସିକୁ ସ୍ଥାନାନ୍ତରିତ କରିଥିଲେ। ହେରଫେରରେ ସାମିଲ ଥିବା କର୍ମଚାରୀ ଜଣକ ମଧ୍ୟ ସେଠାରେ ଅନ୍ୟ କର୍ମଚାରୀଙ୍କୁ ହଇରାଣ କରୁଥିବା ଅଭିଯୋଗ କର୍ତୃପକ୍ଷଙ୍କ ନିକଟରେ ପହଞ୍ଚିଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ସି.ଆର ଦାସଙ୍କ କହିବାନୁଯାୟୀ, ଇଡିଏଲ୍‌ କିଣାରେ ଏଭଳି ହେରଫେର ହୋଇଥିବା ନଜରକୁ ଆସିଥିଲା। କର୍ମଚାରୀ ଜଣଙ୍କୁ ପରଚେଜ୍‌ ଅର୍ଡର ବାରମ୍ବାର ମଗା ଯାଇଥିଲେ ହେଁ ସେ ଦେଇ ପାରି ନ ଥିଲେ। ଫଳରେ ଔଷଧ କିଣାରେ ହେରଫେର ହୋଇଥିବା ସନ୍ଦେହ ହୋଇଥିଲା। ତେଣୁ ତାଙ୍କୁ ସେ ଦାୟିତ୍ୱରୁ ହଟାଯାଇ ଡିଡିସିକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ସେ ଅନ୍ୟମାନଙ୍କୁ ହଇରାଣ ହରକତ ଅଭିଯୋଗ କିଛି କର୍ମଚାରୀ ଅଭିଯୋଗ କରିଛନ୍ତି। ତେଣୁ ଔଷଧ କିଣାରେ ଏଭଳି ହେରଫେର ଆଗକୁ ଯେପରି ନ ହୁଏ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର