ଭୁବନେଶ୍ୱର: ୪.୪ଏକର ଜମିରେ ନିର୍ମାଣ ହୋଇଥିବା ବିଏମ୍ସି-ଆଇସିଓଏମ୍ସିର କାର୍ଯ୍ୟାଳୟ କୋଠା ନିର୍ମାଣ ଶେଷ ହୋଇଛି। କିନ୍ତୁ ଆନଷଙ୍ଗିକ କାର୍ଯ୍ୟ ସରି ନଥିବାରୁ ଉଦ୍ଘାଟନ ବିଳମ୍ବ ହେଉଛି। ତେବେ ଏହି କୋଠାର ଦ୍ବିତୀୟ ଫ୍ଲୋର୍ରେ ଥିବା ଆଇସିଓଏମ୍ସି କାର୍ଯ୍ୟାଳୟ ଖୁବ୍ଶୀଘ୍ର ଉଦ୍ଘାଟନ ହେବାକୁ ଯାଉଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ବିଏମ୍ସି କାର୍ଯ୍ୟାଳୟ ମଧ୍ୟ ଏହି କୋଠାକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ଆଜି ବିଏମ୍ସି କମିସନର ସଞ୍ଜୟ ସିଂହ, ଆଇଟି ବିଭାଗ ସଚିବ ମନୋଜ ମିଶ୍ର, ବିଏସ୍ସିଏଲ୍ ମହାପ୍ରବନ୍ଧକ କମଲଜିତ୍ ଦାସ, ନିର୍ମାଣକାରୀ ସଂସ୍ଥା ହନିୱେଲ୍ର ପ୍ରକଳ୍ପ ନିର୍ଦ୍ଦେଶକ ଦୀପ୍ତି ପଣ୍ଡା ପ୍ରମୁଖ ଘଟଣାସ୍ଥଳ ବୁଲି ସ୍ଥିତି ପରଖିବା ସହ ସମୀକ୍ଷା କରିଛନ୍ତି।
ଏହି ନୂଆ କୋଠାରେ ବିଏମ୍ସି କମିସନରଙ୍କ କାର୍ଯ୍ୟାଳୟ ୪ର୍ଥ ମହଲାରେ ରହିଛି। ଉପର ମହଲାଗୁଡ଼ିକରେ ବିଏମ୍ସିର ବିଭିନ୍ନ ଉପବିଭାଗ ରହିଛି। ବିଏମ୍ସି କାର୍ଯ୍ୟାଳୟର ଅନେକ କାମ ବାକି ରହିଥିବାରୁ କଳ୍ପନା ଛକରୁ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟ ଏଠାକୁ ସ୍ଥାନାନ୍ତର ହେବାକୁ ଜୁଲାଇ ମାସ ଶେଷ ହୋଇପାରେ ବୋଲି ଅଧିକାରୀମାନେ ସମୀକ୍ଷା ବେଳେ ଆଶା କରିଛନ୍ତି। ତେବେ ଯଥାଶୀଘ୍ର କାମ ସାରିବା ପାଇଁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କୋଠାର ଦ୍ବିତୀୟ ମହଲାରେ ଆଇସିଓଏମ୍ସିର କାର୍ଯ୍ୟାଳୟ ରହିଛି।
ଏଥିରେ କେବଳ ସିଲିଂ କାମ ବାକି ରହିଛି। ଆସନ୍ତା ମାସ ପ୍ରଥମ ସପ୍ତାହରେ ଏହି କାମ ଶେଷ ହେବା ସମ୍ଭାବନା ରହିଛି। ଏହା ସରିବା ପରେ ପରେ ଆଇସିଓଏମ୍ସି ଏଠାରେ କାମ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଏହି ଆଇସିଓଏମ୍ସି କାର୍ଯ୍ୟାଳୟ ଏବେ ସ୍ମାର୍ଟସିଟି କାର୍ଯ୍ୟାଳୟରେ କାମ କରୁଛି। ଏଥିରେ ବିଭିନ୍ନ ପ୍ରକାରର ସର୍ଭେ ଓ ସମୀକ୍ଷା ସୁବିଧା ରହିବ। ତା’ ସହ ଏଠାରେ ପୂରା ରାଜଧାନୀ ଏଠାରୁ ନିୟନ୍ତ୍ରଣ ହେବ। ବିଡିଏ, ବିଏମ୍ସି, କ୍ରୁଟ୍, ଅଗ୍ନିଶମ, ପୁଲିସ ସମେତ ୱାଟ୍କୋ, ସ୍ବେରେଜ୍ ଓ ଏସ୍ଆରସିଙ୍କର ଏମର୍ଜେନ୍ସି ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ ମଧ୍ୟ ଏଠାରୁ ହିଁ ନିୟନ୍ତ୍ରିତ ହେବ। ଏଠାରେ ଏକ ଭିଡିଓ ୱାଲ୍ ରହିବ। ସେଥିରେ ସିସିଟିଭି ଜରିଆରେ ସମଗ୍ର ଭୁବନେଶ୍ବର ଉପରେ ନଜର ରଖି ହେବ। କମିସନରେଟ୍ ପୁଲିସ ନିକଟରେ ସିସିଟିଭି ଫୁଟେଜ୍ କିଛି ମାସ ପାଇଁ ରହୁଥିବା ବେଳେ ଏଠାରେ ବର୍ଷ ବର୍ଷ ଧରି ସମସ୍ତ ଫୁଟେଜ୍ ଷ୍ଟୋର୍ ହୋଇପାରିବ।
ବଡ଼ କଥା ହେଉଛି, ୱାଟ୍କୋର ପାନୀୟ ଜଳଯୋଗାଣ ବ୍ୟବସ୍ଥା ଓ ସ୍ବେରେଜ୍ର ବର୍ଜ୍ୟଜଳ ପରିଚାଳନା ବ୍ୟବସ୍ଥାକୁ ଏଠାରୁ ନିୟନ୍ତ୍ରିତ କରାଯାଇ ପାରିବ। କେହି ଯଦି ପାନୀୟଜଳ ଟ୍ୟାପ୍ ଖୋଲି ଦେଇ ଚାଲିଗଲା, ତାହା ମଧ୍ୟ ଏଠାରୁ ଜଣାପଡ଼ିବା ସହ ୱାଟ୍କୋକୁ ଖବର ଦିଆଯିବ। ଯଥାଶୀଘ୍ର ଏହାକୁ ପ୍ରତିରୋଧ କରାଯାଇପାରିବ। ଯେଉଁଠି ଜଳ ଅପଚୟ ହେବ, ସେଠାରୁ ସୂଚନା ମିଳି ଯାଇପାରିବ। ଠିକ୍ ଅନୁରୂପ ଢଙ୍ଗରେ ସ୍ବେରେଜ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ। କେଉଁଠି ଲିକ୍ ହେଲା ବା ବ୍ଲକ୍ ହେଲା, ତାହା ତତ୍କ୍ଷଣାତ୍ ଜଣାପଡ଼ିବ। ଏଭଳି ବ୍ୟବସ୍ଥା ପ୍ରଥମଥର ପାଇଁ ଏହି ଆଇସିଓଏମ୍ସି ଜରିଆରେ ଭୁବନେଶ୍ବରରେ ହେବାକୁ ଯାଉଛି। ସ୍ମାର୍ଟସିଟି କାର୍ଯ୍ୟାଳୟରେ ଚାଲିଥିବା ଏହାର କାର୍ଯ୍ୟାଳୟରେ ଏବେ ବିଡିଏ, ବିଏମ୍ସି, କ୍ରୁଟ୍, ଅଗ୍ନିଶମ, ପୁଲିସ ନିୟନ୍ତ୍ରଣ କକ୍ଷ ଚାଲିଥିବା ବେଳେ ୱାଟ୍କୋର କମିସନିଂ ଶେଷ ହୋଇଛି। କେବଳ ସ୍ବେରେଜ୍ର କମିସନିଂ କାମ ବାକିଥିବା ଜଣାପଡ଼ିଛି।