ପୁଣି ମୁଣ୍ଡ ଟେକିଲା ବାଇ-ଲ’ ବିବାଦ, ଏଥର ଦେବୀପାଦହରା ପୁଷ୍କରିଣୀ ପାଳି

ବାଟବଣା ହେବ କି ଏକାମ୍ର ବିକାଶ ଯୋଜନା!

ପୁରୁଣା ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ଆଗେଇ ଚାଲିଥିବା ବେଳେ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନ୍‌ଏମ୍‌ଏ)ର ବାଇ-ଲ’ ପ୍ରସଙ୍ଗ ବିବାଦୀୟ ସ୍ଥିତି ସୃଷ୍ଟି କରୁଛି। ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ନେଇ ବାଇ-ଲ’ ପ୍ରସଙ୍ଗରୁ ବିବାଦ ଉଠିଥିବା ବେଳେ ଏବେ ପୁଣି ଦେବୀପାଦହରା ପୁଷ୍କରିଣୀକୁ ନେଇ ଆସିଥିବା ଚିଠା ପ୍ରସ୍ତାବ ନୂଆ ବିବାଦର ସୂତ୍ରପାତ କରିଛି ବୋଲି କୁହାଯାଉଛି। ତେଣୁ ଏକାମ୍ର ବିକାଶ ଯୋଜନା ବାଟବଣା ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଖବର ପ୍ରଚାରିତ ହେବା ପରେ ପୁରୁଣା ଭୁବ‌ନେଶ୍ବର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଜି ସହସ୍ରଲିଙ୍ଗ ପୁଷ୍କରିଣୀ ବା ଦେବୀପାଦହରା ପୁଷ୍କରିଣୀର ସୁରକ୍ଷା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଏନ୍‌ଏମ୍‌ଏ ଐତିହ୍ୟ ଚିଠା ବା ବାଇ-ଲ’ ଜାରି କରିଛନ୍ତି। ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ଜନସାଧାରଣଙ୍କଠୁ ଆପତ୍ତି-ଅଭିଯୋଗ ଲୋଡ଼ା ଯାଇଛି। ଆନ୍‌ସିଏଣ୍ଟ ମନ୍ୟୁମେଣ୍ଟ୍‌ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍‌ସ ଏଣ୍ଡ ରିମେନ୍ସ (ଆମ୍‌ସାର୍) ଆଇନ ୧୯୫୮ ଅନୁସାରେ ପ୍ରସ୍ତୁତ ଏହି ଚିଠା ବାଇ-ଲ’ ଅନୁସାରେ ଦେବୀପାଦହରା ପୋଖରୀର ୩୦୦ମିଟର ପରିଧି ଭିତରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ। ପ୍ରଥମ ଶହେ ମିଟର ପରିଧି ଅଞ୍ଚଳ ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ବାକି ୨୦୦ ମିଟର ପରିଧିକୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଦୁଇ ଶହ ମିଟର ପରିଧି ଭିତରେ କେନ୍ଦ୍ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଡିଜିଙ୍କ ଅନୁମତି ନେଇ କୌଣସି ନବୀକରଣ କାମ କରାଯାଇପାରିବ। ଏହି ନୂଆ ଚିଠା ବାଇ-ଲ’ କାର୍ଯ୍ୟକ୍ଷମ ହେଲେ ଏଠାରେ ରାଜ୍ୟ ସରକାରଙ୍କ ଏକାମ୍ର ବିକାଶ ପ୍ରକଳ୍ପ ବାଟବଣା ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ୭ ତାରିଖରେ ଏକାମ୍ର ପ୍ରକଳ୍ପ ପାଇଁ ଆଡ୍‌ଭାଇଜରି କମିଟି ଘୋଷଣା କରିଛନ୍ତି। ଏକାମ୍ର କ୍ଷେତ୍ରରେ ଦେବୀପାଦହରା ପୁଷ୍କରିଣୀ ସମେତ ବିଭିନ୍ନ ଐତିହ୍ୟସ୍ଥଳର ସୁରକ୍ଷା, ସେସବୁର ସଂରକ୍ଷଣ କରିବାକୁ ଏହି କମିଟି ଗଠନ କରାଯାଇଛି। ସେହିଭଳି ପର୍ଯ୍ୟଟକମାନଙ୍କ ପାଇଁ ଏକାମ୍ର ପ୍ରକଳ୍ପ ଆଡ୍‌ଭାଇଜରି କମିଟି ମାଧ୍ୟମରେ ବହୁ ସୁବିଧା ସୁଯୋଗ କାମ ହେବା ଯୋଜନା ରହିଛି। ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ଭଣ୍ଡୁର କରିବାକୁ ବିଧିବଦ୍ଧ ଯୋଜନା କରି ଦେବୀପାଦହରା ପୁଷ୍କରିଣୀ ବାଇ-ଲ’ ଅଣାଯାଇଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ଏକାମ୍ର ଜନଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି ଯେ ପୁରୀରେ ବାଇ-ଲ’ ଉଠିଲା, ଅଥଚ ଏକାମ୍ର କ୍ଷେତ୍ରରେ ଉଠିଲା ନାହିଁ। ବିକାଶ କାମକୁ ବାଧା ଦେବା ପାଇଁ ଏହା କରାଯାଇଛି। ତେଣୁ ହାଇକୋର୍ଟରେ ମାମଲା କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ ମନ୍ଦିର ନିକଟରେ ହେବାକୁ ଥିବା ବିକାଶ କାର୍ଯ୍ୟକୁ ଏହି ବାଇ-ଲ’ ବାଧା ଦେବ। ତେଣୁ ଏହାକୁ ବିରୋଧ କରାଯିବ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ କହିବା କଥା, ଏନେଇ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନିଆଯିବ। ମନ୍ଦିରର ଟ୍ରଷ୍ଟବୋର୍ଡର ବରିଷ୍ଠ ସଭ୍ୟ ଅବନୀକାନ୍ତ ପଟ୍ଟନାୟକଙ୍କ କହିବା କଥା ଏହି ବାଇ-ଲ’ ଆଣିବା ପୂର୍ବରୁ ଏକାମ୍ର ପ୍ରକଳ୍ପ ଆଡ୍‌ଭାଇଜରି କମିଟିର ମତ ନେବା ଉଚିତ ଥିଲା। ଏନେଇ ଟ୍ରଷ୍ଟ ବୋର୍ଡରେ ବିଶେଷ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର