ବାଇ-ଲ’ ବିବାଦ: ଏଏସ୍‌ଆଇ କାର୍ଯ୍ୟାଳୟ ଘେରିଲେ ବ୍ରହ୍ମେଶ୍ବରବାସୀ, ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା କଂଗ୍ରେସ

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରସ୍ଥିତ ବ୍ରହ୍ମେଶ୍ବର ମନ୍ଦିର ଓ ଅନନ୍ତ ବାସୁଦେବଙ୍କ ମନ୍ଦିରରୁ ଏନ୍‌ଏମ୍‌ଏ ବାଇ-ଲ’ ପ୍ରତ୍ୟାହାର ଦାବିରେ ଚାଲିଥିବା ଗଣ ଆନ୍ଦୋଳନ ଥମିବା ନାଁ ଧରୁନାହିଁ। ଆଜି ବି ଏହି ଆନ୍ଦୋଳନର ତାତି ଏକାମ୍ର କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ବ୍ରହ୍ମେଶ୍ବର ଅଞ୍ଚଳବାସୀ ଏଏସ୍‌ଆଇ କାର୍ଯ୍ୟାଳୟ ଘେରାଉ କରିଥିବାବେଳେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଏହି ବାଇ-ଲ’ ପ୍ରତ୍ୟାହାର ନେଇ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ କୌଣସି ସବୁଜ ସଂକେତ ମିଳୁନଥିବାରୁ ଦିନକୁ ଦିନ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଗତକାଲି ସନ୍ଧ୍ୟାରେ ବ୍ରହ୍ମେଶ୍ବର ମନ୍ଦିର ଅଞ୍ଚଳବାସୀ ମେଳି ବାନ୍ଧିଥିଲେ। ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିଲା। ତେବେ ପ୍ରଥମେ ସେମାନଙ୍କ ଅଭିଯୋଗକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଆଜି ବ୍ରହ୍ମେଶ୍ବର ଦେବ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭ୍ୟ ଓ ସ୍ଥାନୀୟ ଅଞ୍ଚଳବାସୀ ଏଏସ୍‌ଆଇ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେମାନେ ଏନ୍‌ଏମ୍‌ଏ ଲାଗୁ କରିଥିବା କଟକଣା ହଟାଇବା ପାଇଁ ଦାବି କରିଥିଲେ। ମନ୍ଦିର ଟ୍ରଷ୍ଟି ମଳୟ ମହାପାତ୍ର କହିଛନ୍ତି ଯେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିରରେ ଜୀବନ୍ତ ଠାକୁର ପୂଜା ପାଉଛନ୍ତି। ପ୍ରତିଦିନ ସେବା ପୂଜା ଚାଲିଛି। ତେଣୁ ଏହା କୌଣସି ସ୍ମାରକୀ ନୁହେଁ। ଅନ୍ୟ ସମାଧିସ୍ଥଳ ବା ସ୍ମାରକୀ ଭଳି ଏହି ମନ୍ଦିରକୁ ବିବେଚନା କରିବା ବଡ଼ ବିସ୍ମୟ ବୋଲି ସେମାନେ ଅଭିଯୋଗ କରିଛନ୍ତି। ରୀତିମତ ପୂଜାର୍ଚ୍ଚନା ଚାଲୁଥିବା ମନ୍ଦିରକୁ ଏଏସ୍ଆଇକୁ କେବଳ କୀର୍ତିରାଜି ବୋଲି ଭାବିବା ବଡ଼ ଭୁଲ ବୋଲି ସେମାନେ କହିଥିଲେ। ଏଏସ୍ଆଇ ପ୍ରଥମେ କୀର୍ତିରାଜିଗୁଡ଼ିକର ଠିକଣା ସଂରକ୍ଷଣ କରୁ ବୋଲି ସେମାନେ ଆହ୍ବାନ କରିଥିଲେ। ତେଣୁ ଏଠାରେ ଏହି ବାଇ-ଲ’ କାର୍ଯ୍ୟକାରୀ ହେଲେ ବହୁ ସମସ୍ୟା ଉପୁଜିବ। ଶ୍ରୀକ୍ଷେତ୍ରରୁ ଯେମିତି କଟକଣା ଉଠାଯାଇଛି, ସେହିପରି ଏକାମ୍ର କ୍ଷେତ୍ରରୁ ଏହି ବାଇ-ଲ’ ପ୍ରତ୍ୟାହାର ହେଉ ବୋଲି ସେମାନେ ଦାବି କରିଥିଲେ। ଏହା ପରେ ସେମାନେ ଏଏସ୍ଆଇର ଆଞ୍ଚଳିକ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ପତ୍ରକୁ ତୁରନ୍ତ ଏଏନ୍‌ଏମ୍‌ କର୍ତ୍ତୃପକ୍ଷଙ୍କୁ ପଠାଇବା ସହ ଲୋକଙ୍କ ଦାବି ଜଣାଇବାକୁ କହିଥିଲେ।

ସେହିଭଳି କଂଗ୍ରେସ ପକ୍ଷରୁ ଆଜି ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ କେବଳ ରାଜଧାନୀର ନୁହଁନ୍ତି, ସମଗ୍ର ଓଡ଼ିଶାର ଆରାଧ୍ୟ ଦେବତା। ଓଡ଼ିଆ ଜାତିର ପ୍ରାଣ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନୀତିକାନ୍ତି ସହ ଲିଙ୍ଗରାଜ ମହାପ୍ରଭୁଙ୍କର ନୀତିକାନ୍ତିରେ ବହୁ ସମାନତା ରହିଛି। ଏଠି ବି ଛତିଶା ନିଯୋଗ ରହିଛି। ମାତ୍ର ଶ୍ରୀକ୍ଷେତ୍ରରୁ ବାଇ-ଲ’ କଟକଣାକୁ ପ୍ରତ୍ୟାହାର କରାଯାଇଥିବାବେଳେ ଏକାମ୍ର କ୍ଷେତ୍ରରେ ବଳବତ୍ତର ରହିଛି। ଶ୍ରୀକ୍ଷେତ୍ର ଏବଂ ଏକାମ୍ର କ୍ଷେତ୍ର ମଧ୍ୟରେ ବିଭେଦର ପ୍ରାଚୀର ଛିଡ଼ା କରାଯାଉଛି। ଏଥିପାଇଁ ଉଭୟ ବିଜେଡି ଓ ବିଜେପି ଦଳ ଦାୟୀ ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ତେଣୁ ବାଇ-ଲ’ ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି। ବିଧାୟକ ସୁରେଶ କୁମାର ରାଉତରାୟ ଓ ଶ୍ରୀମତି ମହାପାତ୍ରଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜଭବନକୁ ଯାଇ ଶହ ଶହ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରତିନିଧ ଦଳରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍ ଦାସ, କଂଗ୍ରେସ ନେତା କପିଳ ପଣ୍ଡା, ମନୋରଞ୍ଜନ ବଟୁ, ଶ୍ରୀୟା ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ପ୍ରକାଶ ମହାନ୍ତି, ବିଷ୍ଣୁ ପ୍ରସାଦ ମୁଦୁଲି, କ୍ଷୀରୋଦ ବେହେରା, ନାବ ବେହେରା ଓ କୈଳାସ ସାହୁ ପ୍ରମୁଖ ଥିଲେ।

ସମ୍ବନ୍ଧିତ ଖବର