ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରସଙ୍ଗ: ଜୋର୍‌ ଧରିଲା ରାଜନୀତି, ୨୪ଘଣ୍ଟା ଦେଲେ ସେବାୟତ

ଠାକୁରଙ୍କୁ ଭାଗ କରିବା ଷଡ୍‌ଯନ୍ତ୍ରକୁ ବରଦାସ୍ତ କରାଯିବନି

ପୁରୁଣା ଭୁବନେଶ୍ବର: ଠାକୁରଙ୍କୁ ଭାଗ ଭାଗ କରିବା ପାଇଁ ହୀନ ଚକ୍ରାନ୍ତ କରାଯାଇଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କଠାରୁ ପ୍ରଭୁ ଅନନ୍ତ ବାସୁଦେବ ଓ ପ୍ରଭୁ ବ୍ରହ୍ମେଶ୍ବରଙ୍କୁ ଅଲଗା କରିବାକୁ ହୀନ ଉଦ୍ୟମ କରାଯାଉଛି। ଏଭଳି ଷଡ୍‌ଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ। ଆଗକୁ ଗଣ ଆନ୍ଦୋଳନ ହେବ। ତୀବ୍ର ଆନ୍ଦୋଳନ ପାଇଁ କେନ୍ଦ୍ର ସରକାର ଦାୟୀ ରହିବେ। ତେଣୁ ଖୁବ୍‌ ଶୀଘ୍ର ଭୁବନେଶ୍ବର ସାଂସଦ ଏଥିରେ ହସ୍ତକ୍ଷେପ କରି କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ଓ ସମାଧାନ କରନ୍ତୁ ବୋଲି ଦାବି କରାଯାଇଛି। ଏଥିପାଇଁ ୨୪ ଘଣ୍ଟାର ମହଲତ ଦିଆଗଲା। ଏହି ସମୟ ଭିତରେ ବାଇ-ଲ’ ପ୍ରତ୍ୟାହାର ନ ହେଲେ, ଗଣ ଆନ୍ଦୋଳନ ଭୟଙ୍କର ରୂପ ନେବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୪ ପ୍ରମୁଖ ନିଯୋଗ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

ଆଜି ଶ୍ରୀଲିଙ୍ଗରାଜ ମନ୍ଦିରର ଚାରି ନିଯୋଗ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସାମର୍ଥ ନିଯୋଗ, ବଡୁ ନିଯୋଗ, ପୂଜାପଣ୍ଡା ନିଯୋଗ ଏବଂ ବ୍ରାହ୍ମଣ ନିଯୋଗ ପକ୍ଷରୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ନ୍ୟାସ୍‌ନାଲ୍‌ ମନ୍ୟୁମେଣ୍ଟ ଅଥରିଟି (ଏନଏମଏ)ର ପ୍ରସ୍ତାବିତ ବାଇ-ଲ’ କୁ ଘୋର ବିରୋଧ କରାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀରୁ ଏହି ବାଇ-ଲ’ ପ୍ରତ୍ୟାହାର କରାଯାଇଥିବାବେଳେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଏଥିରେ ସାମିଲ୍ କରାଯାଇଥିବାରୁ ନିଯୋଗ ପକ୍ଷରୁ କଟୁ ସମାଲୋଚନା କରାଯାଇଥିଲା।

ଏହି ଉପନିୟମ ଦ୍ବାରା ଶ୍ରୀଲିଙ୍ଗରାଜଙ୍କଠାରୁ ପ୍ରଭୁ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବରଙ୍କୁ ଅଲଗା କରାଯିବାକୁ ହୀନ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ କରାଯାଇଥିଲା। ଏହି ଅଞ୍ଚଳରେ ଦୀର୍ଘ ୫୦ ବର୍ଷ ହେଲା ବେଆଇନ ନିର୍ମାଣ ଚାଲିଥିଲେ ମଧ୍ୟ ପ୍ରତ୍ନତତ୍ତ୍ବ ବିଭାଗ କାହିଁକି କିଛି କରୁନଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଏକାମ୍ର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପକୁ ସେବାୟତ ଓ ସ୍ଥାନୀୟ ଅଞ୍ଚଳବାସୀ ପୂର୍ଣ୍ଣ ସମର୍ଥନ କରୁଛନ୍ତି। ଏଥିପାଇଁ ୨୦୦ ସେବାୟତ ପରିବାର ସେମାନଙ୍କ ଜମି ମଧ୍ୟ ପ୍ରଦାନ କରିଛନ୍ତି। କିନ୍ତୁ ଠିକ୍‌ ଏମିତି ସମୟରେ ଏନ୍‌ଏମ୍‌ଏ କର୍ତ୍ତୃପକ୍ଷ ବାଇ-ଲ’ ଲାଗୁ କରି ଏହି ବିକାଶ ପଥରେ ବାଧା ସୃଷ୍ଟି କରୁଛନ୍ତି। କେବଳ ସେତିକି ନୁହେଁ, ଏହି ବାଇ-ଲ’ ଦ୍ବାରା ସେବାୟତ ପରିବାର ବହୁଭାବରେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହେବେ ବୋଲି ସେମାନେ କହିଛନ୍ତି। ବାଇ-ଲ’ ଭଳି ଏକତରଫା ନିଷ୍ପତ୍ତି ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପ୍ରତି କୁଠାରଘାତ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ୨୪ ଘଣ୍ଟା ମହଲତ ଦିଆଗଲା। ଭୁବନେଶ୍ବର ସାଂସଦ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ଏହି ନିୟମ ପ୍ରତ୍ୟାହାର କରାନ୍ତୁ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିରଞ୍ଚି ପତି, କମଳା ବଡ଼ୁ, ସଚ୍ଚିକାନ୍ତ ପୂଜାପଣ୍ଡା, ପ୍ରଶାନ୍ତ ସମର୍ଥା ପ୍ରମୁଖ ଉପସ୍ଥିତ ଥିଲେ।

ସଂକ୍ରାନ୍ତିରେ ବିଜେଡିର ବିଶାଳ ସମାବେଶ
କଂଗ୍ରେସର ଦସ୍ତଖତ ଅଭିଯାନ
ଅଡ଼ୁଆରେ ବିଜେପି

ଭୁବନେଶ୍ବର: ବାଇ-ଲ’କୁ ନେଇ ଏକାମ୍ର କ୍ଷେତ୍ରରେ ରାଜନୀତି ଜୋର୍‌ ଧରିଛି। ଆରମ୍ଭରୁ ଚାଲିଥିବା ଛାୟାଯୁଦ୍ଧ ଏବେ ମଇଦାନକୁ ଆସିବା ଜଣାପଡ଼ିଲାଣି। ଏନ୍‌ଏମ୍‌ଏ ଦ୍ବାରା ଲାଗୁ ହୋଇଥିବା ବାଇ-ଲ’ ପ୍ରତ୍ୟାହାର ପାଇଁ ସେବାୟତମାନଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନରୁ ଫାଇଦା ଉଠାଇବା ପାଇଁ ବିଭିନ୍ନ ରାଜନୈତିକ ଦଳରୁ ରଣନୀତି ପ୍ରସ୍ତୁତ ହୋଇସାରିଛି। ବିଜେଡି ଓ କଂଗ୍ରେସ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଥିବାବେଳେ କିନ୍ତୁ ଅଡ଼ୁଆରେ ପଡ଼ିଯାଇଛି ବିଜେପି। ଆସନ୍ତାକାଲି ସଂକ୍ରାନ୍ତି ଅବସରରେ ବିଜେଡି ଏକ ବିଶାଳ ସମାବେଶ କରୁଥିବାବେଳେ କଂଗ୍ରେସ ଦସ୍ତଖତ ଅଭିଯାନ କରୁଛି। ମାତ୍ର ବିଜେପି ନେତୃମଣ୍ଡଳୀ ଏବେ ସୁଦ୍ଧା ନିରବ ରହିଛନ୍ତି।

ଆସନ୍ତାକାଲି ଶୁକ୍ରବାର ସଂକ୍ରାନ୍ତି ତିଥି ଅବସରରେ ବିଜେଡି ଏକ ସମାବେଶ କରୁଛି। ବାଇ-ଲ’ ପ୍ରତ୍ୟାହାର ଦାବିରେ ୧୦ ହଜାର ଲୋକ ରୁଣ୍ଡ କରିବା ଯୋଜନା ହୋଇଛି। ଏଥିରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ ସହ ଭୁବନେଶ୍ବରର ଅନ୍ୟ ଦୁଇ ବିଧାୟକ ଉପସ୍ଥିତ ରହିବେ। ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ସମ୍ମୁଖରେ ସନ୍ଧ୍ୟାରେ ଦୀପଜାଳି ଅଭିନବ ପ୍ରତିବାଦ ପ୍ରଦର୍ଶନ କରାଯିବ ବୋଲି ଦଳୀୟ କର୍ମୀମହଲରୁ ଜଣାପଡ଼ିଛି। ସେହିଭଳି କଂଗ୍ରେସ ମଧ୍ୟ ପ୍ରତିବାଦ କରିବାରେ ପଛରେ ପଡ଼ିନାହିଁ। ଦଳ ପକ୍ଷରୁ ଦସ୍ତଖତ ଅଭିଯାନ କରାଯାଇ ଜିଲ୍ଲାପାଳଙ୍କ ମାଧ୍ୟମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଶନିବାରରୁ କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ମନ୍ଦିର ନିକଟରେ ଦସ୍ତଖତ ସଂଗ୍ରହ ଅଭିଯାନ କରିବେ ବୋଲି ଜଣାପଡ଼ିଛି। ଏହି ଆନ୍ଦୋଳନରେ ପଛରେ ପଡ଼ିଛି ବିଜେପି। ବର୍ତ୍ତମାନ ସୁଦ୍ଧା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବାଦ୍‌ ଦେଲେ, ଅନ୍ୟ କେହି କିଛି ମନ୍ତବ୍ୟ ରଖିନାହାନ୍ତି।

ସାଂସଦ ଶ୍ରୀମତି ଷଡ଼ଙ୍ଗୀ ସଂସଦୀୟ କାର୍ଯ୍ୟକ୍ରମରୁ ଫେରିଲେ ଏହି ବାଇ-ଲ’କୁ ସମୀକ୍ଷା କରି ପଦ‌କ୍ଷେପ ଗ୍ରହଣ କରିବେ‌ ବୋଲି ମତ ରଖିଛନ୍ତି। ଲୋକଙ୍କ ସ୍ବାର୍ଥକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ମାତ୍ର ତାଙ୍କୁ ବାଦ୍‌ ଦେଲେ ବିଜେପିର କୌଣସି ନେତା ଏହି ମାମଲାରେ ମୁହଁ ଖୋଲୁନାହଁନ୍ତି। ଏମିତିକି ସ୍ଥାନୀୟ ବିଜେପି ନେତା ବାବୁ ସିଂ ଓ ଦଳର ସଭାପତି ସମୀର ମହାନ୍ତି ଏହି ନିର୍ବାଚନ ମଣ୍ଡଳୀର ବାସିନ୍ଦା ହୋଇଥିଲେ ବି ସେମାନେ ଏହି ମାମଲାରେ ନିରବ ରହିଛନ୍ତି। ଏହା ବାଇ-ଲ’ ରାଜନୀତିକୁ ଅଧିକ ରୋଚକମୋଡ଼ରେ ପହଞ୍ଚାଇଥିବା ଚର୍ଚ୍ଚା ହେଉଛି। ତେବେ ବିଜେପି ନେତା ଅମୀୟ ଦାଶ ଆଜି ସେବାୟତମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ସେ ସେବାୟତମାନଙ୍କ କଥା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଓ ବାଇ-ଲ’ ପ୍ରତ୍ୟାହାର କରିବାକୁ ଖସଡ଼ା ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର