ଜାନୁଆରି ଶେଷ ସୁଦ୍ଧା ‘କେବୁଲମୁକ୍ତ ରାଜଧାନୀ’

ଭୁବନେଶ୍ବର: ଜାନୁଆରି ଶେଷ ସୁଦ୍ଧା ଓଭର‌ହେଡ୍‌ କେବୁଲମୁକ୍ତ ହେବ ରାଜଧାନୀ। କେବଳ ବିଦ୍ୟୁତ୍‌ ତାରକୁ ଛାଡ଼ି ମୁଣ୍ଡ ଉପରେ ଆଉ କୌଣସି ତାର ଦେଖିବାକୁ ମିଳିବନି। ଫାଇବର୍‌ ଜରିଆରେ ଇଣ୍ଟରନେଟ୍‌ ବ୍ରଡ୍‌ବ୍ୟାଣ୍ଡ, ଟିଭି ଓ ଲ୍ୟାଣ୍ଡଲାଇନ୍‌ ଭଳି ସେବା ଯୋଗାଉଥିବା ସଂସ୍ଥାକୁ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ନୋଟିସ୍‌ ଦେଇସାରିଛି। ଶୀଘ୍ର ଓଭରହେଡ୍‌ କେବୁଲ୍‌ ହଟାଇବା ପାଇଁ ଅପରେଟର୍‌ମାନଙ୍କୁ କୁହାଯାଇଛି। ନିୟମ ନ ମାନିଲେ ବିଏସ୍‌ସିଏଲ୍‌ ସେମାନଙ୍କ କେବୁଲ୍‌ କାଟିବ। କିଛି ସ୍ଥାନରେ କେବୁଲ ମଧ୍ୟ କଟା ସରିଲାଣି। ଆଗରୁ ଏହି ଅଭିଯାନ ଜୋରଦାର ହେବ ବୋଲି ଜଣାଯାଇଛି।

ସଂସ୍ଥାଗୁଡ଼ିକ କେବଳ ଭୂତଳ କେବୁଲ୍‌କୁ ବ୍ୟବହାର କରିବେ। ପୂର୍ବରୁ ନିଜେ ବିଛାଇଥିବା କିମ୍ବା ବିଏସ୍‌ସିଏଲ୍‌ ପକ୍ଷରୁ ରାଜଧାନୀର ମାଟି ତଳେ ବିଛାଯାଇଥିବା କେବୁଲ୍‌କୁ ବ୍ୟବହାର କରିବ‌େ। ଘରୋଇ ସଂସ୍ଥାଗୁଡ଼ିକ ଏବେ ଆଉ ମାଟି ତଳେ ନୂଆ କେବୁଲ ବିଛାଇ ପାରିବେ ନାହିଁ। କେବଳ ପୂର୍ବରୁ ବିଛାଯାଇଥିବା କେବୁଲ୍‌କୁ ବ୍ୟବହାର କରିବେ।

ଆବଶ୍ୟକ ପଡ଼ିଲେ ବିଏସ୍‌ସିଏଲ୍‌ଠାରୁ ଲିଜ୍‌ ସୂତ୍ରରେ ନେ‌ବେ। ରାଜଧାନୀବାସୀଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇଦେବା ପାଇଁ ବିଏସ୍‌ସିଏଲ୍‌ ୧୫୧ କୋଟି ଟଙ୍କା ଖର୍ଚ୍ଚ କରି ରାଜଧାନୀରେ ୪୪୦ କିମିର ଭୂତଳ କେବୁଲ୍‌ ବିଛାଇଛି। ସେଥିରେ ୧୪୦କୋର୍‌ ଫାଇବର୍‌ ବା ୭୨ ପେୟାର କେବୁଲ୍‌ ରହିଛି। ସିସିଟିଭି, ଟ୍ରାଫିକ୍‌ ନିୟନ୍ତ୍ରଣ, ଇଣ୍ଟରନେଟ୍‌ ଭଳି ବିଭିନ୍ନ ସେବା ପାଇଁ ବିଏସ୍‌ସିଏଲ୍‌ ୧୨ ପେୟାର କେବୁଲ୍‌ ନିଜ ବ୍ୟବହାର ପାଇଁ ରଖିଛି। ବାକି ୬୦ପେୟାର କେବୁଲ୍‌କୁ ଟେଲିଗ୍ରାଫ୍‌ ଆକ୍ଟ-୧୮୮୫ରେ ଆସୁଥିବା ସମସ୍ତ ଘରୋଇ ସଂସ୍ଥାକୁ ଲିଜ୍‌ ସୂତ୍ରରେ ଦିଆଯିବ। ସଂସ୍ଥାଗୁଡ଼ିକ ପ୍ରତି ଏକ ପେୟାରର ଏକ କିମି କେବୁଲ୍‌ ପାଇଁ ବାର୍ଷିକ ୧୨ ହଜାର ଟଙ୍କା ଗଣିବେ। ଏହାଦ୍ବାରା ସ୍ମାର୍ଟସିଟିର ୩ଲକ୍ଷ ୭୫ହଜାର ସାଧାରଣ ଉପଭୋକ୍ତା ଏବଂ ଏକଲକ୍ଷ କର୍ପୋରେଟ୍‌କୁ ମିଶାଇ ମୋଟ ୪ଲକ୍ଷ ୭୫ ହଜାର ଉପଭୋକ୍ତା ଉପକୃତ ହେବେ।

ସବୁ ଓଭରହେଡ୍‌ କେବୁଲକୁ କାଟିବ ବିଏସ୍‌ସିଏଲ୍‌
ଭୂତଳ କେବୁଲ୍‌ ଉପରେ ଗୁରୁତ୍ବ
ପ୍ରତି କିମି ପେୟାରକୁ ବାର୍ଷିକ ୧୨ ହଜାର ଭଡ଼ା
ଉପକୃତ ହେବେ ୪ଲକ୍ଷ ୭୫ ହଜାର ଉପଭୋକ୍ତା

ବର୍ତ୍ତମାନ ଟାଟା, ବିଏସ୍‌ଏନ୍‌ଏଲ୍‌, ସ୍ମାର୍ଟଲିଙ୍କ୍‌, ୱିଫି, ଏୟାରଟେଲ୍‌, ଜେଟ୍‌ସ୍ପଟ୍‌, ଲାଇଟ୍ ୱେଭ୍‌, ନେଟ୍‌ସେଟ୍‌ ଭଳି ସଂସ୍ଥା ବିଏସ୍‌ସିଏଲ୍‌ କେବୁଲ୍‌ ବ୍ୟବହାର ପାଇଁ ସହ ଯୋଗାଯୋଗ କରିଛନ୍ତି। ସଂସ୍ଥାଗୁଡ଼ିକ ବିଏସ୍‌ସିଏଲ୍‌ କେବୁଲ୍‌ ମାଧ୍ୟମରେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ପାରିବେ। ଯଦି କୌଣସି ଗ୍ରାହକ ବା ବ୍ୟକ୍ତିଙ୍କ ଘର ପର୍ଯ୍ୟନ୍ତ କେବୁଲ୍‌ ପହଞ୍ଚି ନାହିଁ, ତା’ର ବ୍ୟବସ୍ଥା ବିଏସ୍‌ସିଏଲ୍‌ କରିବ। ଏହାବ୍ୟତୀତ ବିଏସ୍‌ସିଏଲ୍‌ ମରାମତିକୁ ମଧ୍ୟ ଗୁରୁତ୍ବ ଦେଇଛି। ପୂର୍ବରୁ ମରାମତି ପାଇଁ ମାଟି ଖୋଳିବା ସମୟରେ ଅନେକ ସମସ୍ୟା ଉପୁଜୁଥିଲା। କେତେବେ‌ଳେ ଟେଲିଫୋନ୍‌ ଲାଇନ୍‌ କଟିଯାଉଥିଲା ତ କେତେବ‌େଳେ ପାଣି ପାଇପ୍‌ ଫାଟି ଯାଉଥିଲା।

ହେଲେ ଆଉ ସେଭଳି ସମସ୍ୟା ଦେଖାଦେବ ନାହିଁ। କାରଣ ମରାମତି ପାଇଁ ପ୍ରତି ୫୦ରୁ ୧୦୦ମିଟର ମଧ୍ୟରେ ଗୋଟିଏ ହ୍ୟାଣ୍ଡହୋଲ୍‌ ଏବଂ ପ୍ରତି ୩ଶହ ମିଟର ବ୍ୟବଧାନରେ ଗୋଟିଏ ମ୍ୟାନ୍‌‌ହୋଲ୍‌ ରଖାଯାଇଛି। ଅର୍ଥାତ୍‌ ରାଜଧାନୀରେ ୨୬ହଜାର ୪ଶହ ହ୍ୟାଣ୍ଡ‌ହୋଲ୍‌ ଓ ୮୮୦୦ ମ୍ୟାନ୍‌ହୋଲ୍‌ ରଖାଯାଇଛି। ଫଳରେ ଶୀଘ୍ର ଯାନ୍ତ୍ରିକ ତ୍ରୁଟିକୁ ଚିହ୍ନଟ କରି ସହଜରେ ସମାଧାନ କରାଯାଇପାରିବ।

ଏହି ସେବା ଯୋଗାଇବା ପାଇଁ ବିଏସ୍‌ସିଏଲ୍‌ ସିଇଓ ସଂଜୟ ସିଂହଙ୍କ ନିର୍ଦ୍ଦେଶକ୍ରମେ ଜୁନ୍‌ରୁ ଡିସେମ୍ବର ମଧ୍ୟରେ ଏହାକୁ ଏକ ମିସନ୍‌ ମୋଡ୍‌ରେ ନିଆଯାଇଥିଲା। ୬ ମାସ ମଧ୍ୟରେ ଏହାର ଟେଷ୍ଟିଂ ମଧ୍ୟ କରାଯାଇ ପ୍ରୋଜେକ୍ଟ ଶେଷ ହୋଇଥିଲା ବୋଲି ବିଏସ୍‌ସିଏଲ୍‌ର ଜିଏମ୍‌ କମଲ୍‌ଜିତ୍‌ ଦାସ କହିଛନ୍ତି।

 

ସମ୍ବନ୍ଧିତ ଖବର