ଭୁବନେଶ୍ୱର ପୁସ୍ତକମେଳାରେ ବ୍ୟଙ୍ଗ ସାହିତ୍ୟ ଆସର

ଭୁବନେଶ୍ୱର : ବ୍ୟଙ୍ଗ କବିତା ଜରିଆରେ ସମାଜର ବିଡ଼ମ୍ବନା ସବୁ ଉପସ୍ଥାପନ କରିଥିଲେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟଙ୍ଗ କବି ଗଣ। ବ୍ୟଙ୍ଗରେ ବ୍ୟଙ୍ଗରେ ସେମାନେ ରାଜ୍ୟର ସାଂପ୍ରତିକ ପରିସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିବା ସହ ଦୁର୍ନୀତି ଖୋର ଲୋକଙ୍କୁ କୌତୁକିଆ ଢଙ୍ଗରେ ସମାଲୋଚନା କରିଥିଲେ। ଏହା ସାଧାରଣ ଲୋକଙ୍କୁ ହସର ଖୋରାକ୍‌ ଯୋଗାଇବା ସହ ଦୁର୍ନୀତିର ପ୍ରତିବାଦ କରିବାକୁ ପ୍ରେରଣା ଯୋଗାଇଥିଲା।

ଅବସର ଥିଲା ଭୁବନେଶ୍ୱର ପୁସ୍ତକ ମେଳା ମୁଖ୍ୟ ମଞ୍ଚରେ ଅଧିକାର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସମ୍ବର୍ଧନା ସମାରୋହ, ବ୍ୟଙ୍ଗ ସାହିତ୍ୟ ଆଲୋଚନା ଓ ରାଜ୍ୟସ୍ତରୀୟ ବ୍ୟଙ୍ଗ କବି ସମ୍ମିଳନୀ। ସମ୍ବର୍ଦ୍ଧନା ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ୧୫ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରଫେସର ମଧୁସୂଦନ ଦାସ, ଡ. ମନୋଜ କୁମାର ସାଡୁଆଲ, ବଳରାମ ସାହୁ, ଦୀନବନ୍ଧୁ ପଣ୍ଡା, ଅପରାଜୟ ପଣ୍ଡା, କୁଞ୍ଜଲତା ମାଝୀ, ନନ୍ଦିତା ମହାପାତ୍ର, ଶିବାନୀ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ହାଡ଼ିବନ୍ଧୁ ମହାକୁଡ଼, ତପନ ରାଉତ, ଶରତଚନ୍ଦ୍ର ସାହୁ, ମଧୁସ୍ମିତା ପଣ୍ଡା ଓ ନୀତୁ ସାହୁ ପ୍ରମୁଖ ସମ୍ବର୍ଧିତ ହୋଇଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଆୟକର ଶରତ କୁମାର ଦାସ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‌ ସୁବାସଚନ୍ଦ୍ର ମଲ୍ଲିକ, ଡ. ବୈରାଗୀ ଚରଣ ପଟ୍ଟନାୟକ, ତପନ ରାଉତ, ପୁଲକ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଅନୁଷ୍ଠାନର ସଭାପତି ରଜନୀକାନ୍ତ ତରାଇ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ଗିରୀଶଚନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ। ସତ୍ୟାନାଶ, କୁଳାଙ୍ଗାର, ବ୍ରଜ ସୁବୁଦ୍ଧି, ରମାକାନ୍ତ ମହାନ୍ତି, ଶ୍ରୀ ଶ୍ରୀ ହୁଗୁଳା, ଶ୍ରୀ ଦୁର୍ବଳିଆ, ଆର୍ତତ୍ରାଣ ମିଶ୍ର ପ୍ରମୁଖ ବ୍ୟଙ୍ଗ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ୍‌ ମାଷ୍ଟର ଚନ୍ଦ୍ର ବିଜୟ ମିଶ୍ରଙ୍କ ପରିଚାଳନାରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଫଳ ପ୍ରତିଯୋଗୀଙ୍କୁ ପେନ୍‌ ଇନ୍‌ ବୁକ୍ସ୍‍ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର