ବାଇ-ଲ’ ବିବାଦ: ସମସ୍ତେ ଏକାଠି

‘ବିକାଶରେ ବାଧା ଉପୁଜିଲେ ଦିଲ୍ଲୀ ଯାଏ ଆନ୍ଦୋଳନ’

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରୁ ଏନ୍‌ଏମ୍‌ଏ ବାଇ-ଲ’ ପ୍ରତ୍ୟାହାର ଦାବି କରି ଶୁକ୍ରବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦଳମତ ନିର୍ବିଶେଷରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ବିଜେଡି ଓ କଂଗ୍ରେସ ଦଳର ନେତାମାନଙ୍କ ସହ ଦଳର କର୍ମୀମାନେ ବିନା ଦଳୀୟ ବ୍ୟାନରରେ ଆସିଥିଲେ। ‘ଆମ ଭୁବନେଶ୍ବର’ ବ୍ୟାନର୍‌ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୋଟିଏ ସ୍ବରରେ ବାଇ-ଲ’ ପ୍ରତ୍ୟାହାର କରାଯାଉ ବୋଲି ସ୍ଳୋଗାନ ଦେଇ ଏକାମ୍ର ପ୍ରକଳ୍ପ‌ ଯୋଜନାରେ ଚାଲିଥିବା ବିକାଶକୁ ପ୍ରଶଂସା କରିଥିଲେ। ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରିବା ସହିତ ବାଇ-ଲ’ ପ୍ରତ୍ୟାହାର ନ ହେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଏବଂ ଆବଶ୍ୟକ ହେଲେ ଦିଲ୍ଲୀ ପର୍ଯ୍ୟନ୍ତ ନେବାକୁ ଶପଥ ନେଇଥିଲେ।

ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ରାଜଧାନୀ ଓ ଆଖପାଖ ଅଞ୍ଚଳରୁ ସେବାୟତ, ଶ୍ରଦ୍ଧାଳୁଙ୍କଠୁ ନେଇ ଆଇନଜୀବୀ, ମହିଳା, ଯୁବକ, ଛାତ୍ରଙ୍କ ପର୍ଯ୍ୟନ୍ତ ଶହଶହ ସଂଖ୍ୟାରେ ଆସି ମନ୍ଦିର ନିକଟରେ ପହଞ୍ଚିଥିଲେ। କିଛି ଲୋକ ବସ୍‌ ଯୋଗେ ମଧ୍ୟ ଆସିଥିଲେ। କିଛି ବସ୍‌ରେ ଦଳୀୟ ପତାକା ଲାଗିଥିଲା। କିନ୍ତୁ ସେମାନେ ବିକ୍ଷୋଭସ୍ଥଳକୁ ଦଳୀୟ ପତାକା ଆଣି ନ ଥିଲେ। ବହୁ ଲୋକଙ୍କ ହାତରେ ‘ଆମ ଭୁବନେଶ୍ବର’ ବ୍ୟାନର୍‌ ଥିଲା। ବିଜେଡି ବିଧାୟକ ତଥା ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ ସହ ବହୁ ପୂର୍ବତନ କର୍ପୋରେଟର ଓ ଛାମୁଆ କର୍ମୀ ଲୋକଙ୍କ ସହ ବିକ୍ଷୋଭରେ ସାମିଲ୍‌ ହୋଇଥିଲେ। ସେହିଭଳି କଂଗ୍ରେସ ନେତା ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର ଓ ବହୁ ଦଳୀୟ କର୍ମୀ ମଧ୍ୟ ସେଠାରେ ଉପସ୍ଥିତ ହୋଇ ବାଇ-ଲ’ ପ୍ରତ୍ୟାହାର ନ ହେଲେ ବଡ଼ ଆନ୍ଦୋଳନର ଚେତାବନୀ ଦେଇଥିଲେ।

ଜୋରଦାର ଆନ୍ଦୋଳନ ହେବ
ଶ୍ରୀଲିଙ୍ଗରାଜ ମହାପ୍ରଭୁ ହେଉଛନ୍ତି ଚଳନ୍ତି ପ୍ରତିମା। ସେ ପ୍ରାଚୀନ କୀର୍ତ୍ତିରାଜି ନୁହନ୍ତି। ସେହିଭଳି ହଜାର ହଜାର ବର୍ଷ ଧରି ଲୋକମାନେ ଏଠାରେ ସ୍ଥାୟୀଭାବେ ରହିଆସୁଛନ୍ତି। ତେଣୁ ଏହି ବାଇ-ଲ’କୁ ଏଠାରୁ ତୁରନ୍ତ ପ୍ରତ୍ୟାହାର କରିବା ଉଚିତ। ନଚେତ୍‌ ଏହି ନିୟମ ଦ୍ବାରା ଉଭୟ ପ୍ରଭୁ ଲିଙ୍ଗରାଜ ଓ ସେବାୟତମାନେ ପ୍ରଭାବିତ ହେବେ। ତେଣୁ ଆଗାମୀ ଦିନରେ କେନ୍ଦ୍ର ବିରୋଧରେ ଜୋର୍‌ଦାର ଆନ୍ଦୋଳନ କରାଯିବ।
ସୁରେଶ କୁମାର ରାଉତରାୟ, ବିଧାୟକ

ବିକାଶରେ ବାଧା ଉପୁଜିବ
ଏକାମ୍ର କ୍ଷେତ୍ରରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଏହି ବାଇ-ଲ’ ଯୋଗୁଁ ବାଧାପ୍ରାପ୍ତ ହେବ। ତେଣୁ ବାଇ-ଲ’କୁ ବିରୋଧ କରି ପ୍ରତିବାଦ ଆରମ୍ଭ ହୋଇଛି। ଏହି ନିୟମକୁ ତୁରନ୍ତ ପ୍ରତ୍ୟାହାର ନ କଲେ, ଏହି ଆନ୍ଦୋଳନ ଏକାମ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ନିଆଯିବ।
ବିରଞ୍ଚି ନାରାୟଣ ମହାସୂପକାର, ସେବାୟତ

ଚଳନ୍ତି ପ୍ରତିମା ସମାଧି ନୁହନ୍ତି
ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ହୋଇ ପାରିବନି କାହିଁକି? ଅନ୍ୟ ମନ୍ଦିରମାନଙ୍କ ପାଇଁ ଏହି ବୈମାତୃକ ମନୋଭାବ କାହିଁକି? ସବୁ ମନ୍ଦିର ପାଇଁ ସମାନ ମନୋଭାବ ରହିବା ଆବଶ୍ୟକ। ଚଳନ୍ତି ପ୍ରତିମାଙ୍କୁ ସମାଧି ସହ ସାମନ କରିବା କେତେ ଦୂର ଯୁକ୍ତିଯୁକ୍ତ? ତେଣୁ ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ରାଜନୀତିରୁ ଊର୍ଦ୍ଧ୍ବରେ ରହି ସମସ୍ତେ ଏକାଠି ହୋଇ ଏହି ବାଇ-ଲ’ ପ୍ରତ୍ୟାହାର ଆନ୍ଦୋଳନରେ ସାମିଲ୍ ହେବା ଆବଶ୍ୟକ। ଏହା କେବଳ ଆମ ଐତିହ୍ୟ ସୁରକ୍ଷା ପ୍ରସଙ୍ଗ ନୁହେଁ, ଏହା ଆମ ଭାବାବେଗର କଥା।
ସଂଘମିତ୍ରା ରାଜଗୁରୁ, ସଭାପତି, ଟ୍ରିବ୍ୟୁନାଲ୍‌ ବାର୍‌ ଆସୋସିଏସନ୍‌

ମର୍ଯ୍ୟାଦା ରକ୍ଷା ପାଇଁ ସଂଗ୍ରାମ ଆରମ୍ଭ
ଶ୍ରୀଲିଙ୍ଗରାଜ ମହାପ୍ରଭୁ ହେଉଛନ୍ତି ସ୍ବୟଂ ଜୀବନ୍ତ ଠାକୁର। ତେଣୁ ତାଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ଦଳମତ ନିର୍ବିଶେଷରେ ଏହି ସଂଗ୍ରାମ ଆରମ୍ଭ ହୋଇଛି। ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର କ୍ଷେତ୍ରରେ ଲାଗୁ ହେଉଥିବା ବାଇ-ଲ’କୁ ପ୍ରତ୍ୟାହାର କରାଯାଉ।
ପ୍ରଶାନ୍ତ ମହାପାତ୍ର, ପୁରୁଖା ନେତା

ମୁଖ୍ୟମନ୍ତ୍ରୀ ଛଳନା କରୁଛନ୍ତି
ରାଜ୍ୟବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଛଳନା କରୁଛନ୍ତି। ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିରୁ ଏହି ଐତିହ୍ୟର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ। ମୁଖ୍ୟମନ୍ତ୍ରୀ ଇନ୍‌ଟାକ୍‌ର ସ୍ଥାୟୀ ସଭ୍ୟଭାବେ ଜାଣନ୍ତି ଯେ ଏହି ଆଇନ ୧୯୫୮ମସିହାରେ ଗୃହୀତ ହୋଇଛି। ଏବେ କେବଳ ଲାଗୁ କରିବା ପାଇଁ ମତ ଲୋଡ଼ା ଯାଇଛି। ରାଜ୍ୟ ସରକାର ଯେପରି ବୁଲ୍‌ଡୋଜର ଲଗାଇ ଐତିହ୍ୟସ୍ଥଳୀ ଭାଙ୍ଗୁଛନ୍ତି, ତାହା ଠିକ୍‌ ନୁହେଁ। ନିଜେ ଇନ୍‌ଟାକ୍‌ର ସ୍ଥାୟୀ ସଦସ୍ୟ ଥାଇ ବାଇ-ଲ’ କଥାକୁ ନେଇ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭ୍ରମିତ କରୁଛନ୍ତି।
ବାବୁ ସିଂ, ବିଜେପି ନେତା

ସମ୍ବନ୍ଧିତ ଖବର