‘ଭାଷାର ଅବକ୍ଷୟ ପାଇଁ ଗଣତନ୍ତ୍ର ଦୁର୍ବଳ ହେଉଛି’

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଶ୍ରାଦ୍ଧ ଶତବାର୍ଷିକ ସମାରୋହ

ଭୁବନେଶ୍ୱର: ଡ. ଦାଶ ଫାଉଣ୍ଡେସନ୍‌ ଓ ରାଜ୍ୟସ୍ତରୀୟ ଫକୀର ମୋହନ ସ୍ମୃତି ସଂସଦ ପକ୍ଷରୁ ଆଜି ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମ୍‌ଠାରେ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଭାଷାର ଅବକ୍ଷୟ ଯୋଗୁଁ ଗଣତନ୍ତ୍ର ଦୁର୍ବଳ ହୋଇଗଲାଣି। ଓଡ଼ିଶାରେ ରହି ଯଦି ଆମେ ଓଡ଼ିଆରେ କଥା ହେବା ନାହିଁ, ଆମ ପିଲାମାନଙ୍କୁ ଓଡ଼ିଆ ଶିଖାଇବା ନାହିଁ, ତେବେ ବର୍ତମାନ ଓଡ଼ିଆ ଭାଷା ପ୍ରତି ଦେଖା ଦେଇଥିବା ସଂକଟ ଆହୁରି ଉଗ୍ରରୂପ ନେବ। ଆଜିର ଇଣ୍ଟରନେଟ୍‌ ଯୁଗ ସହ ତାଳ ଦେଇ ଚାଲିବା ପାଇଁ ପିଲାମାନଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଇବା ପାଇଁ  ମନା ନାହିଁ। କିନ୍ତୁ ସେହି ଅଭିଭାବକମାନେ ନିଜ ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବା ଉପରେ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବର୍ତମାନ ସମୟ ବଦଳୁଛି। ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଦେଶ ଆଗଉଛି। ପିଲାମାନେ ମଧ୍ୟ ପୁସ୍ତକ ପଢ଼ିବା ଅପେକ୍ଷା ଅଧିକ ସମୟ ଇଣ୍ଟରନେଟ୍‌ ଓ ସାମାଜିକ ଗଣମାଧ୍ୟମରେ ବିତାଉଛନ୍ତି। ତେଣୁ ଏହାକୁ ମାଧ୍ୟମ କରି ଆମେ ଓଡ଼ିଆ ଭାଷା ସଂପର୍କରେ ପିଲାମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରିବା ଦରକାର। ଏପରି ହେଲେ ଯୁବପିଢ଼ି ଏହାକୁ ସହଜରେ ଗ୍ରହଣ କରିପାରିବେ। ଏହାବ୍ୟତୀତ ଫକୀର ମୋହନଙ୍କ ଜୀବନୀ ଓ ତାଙ୍କ ଗଳ୍ପ, ଉପନ୍ୟାସ ସଂପର୍କରେ ଯୁବପିଢ଼ି ଜାଣିବା ଆବଶ୍ୟକ ବୋଲି ସେ କହିଥିଲେ। ସେହିପରି ସାହିତ୍ୟିକ ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଫକୀର ମୋହନ ସେନାପତିଙ୍କ ଜୀବନୀ ଓ କୃତି ସଂପର୍କରେ ଅଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ଜେନା ଯୋଗଦେଇ ଫକୀର ମୋହନଙ୍କ ‘ଉତ୍କଳ କୃଷକ’ ପଦ୍ୟ ବ୍ୟାଖ୍ୟା କରିଥିଲେ।

ଏହି ଅବସରରେ ଦେବେନ୍ଦ୍ର କୁମାର ଦାସ ଓ ଡ. ଅରବିନ୍ଦ ଗିରିଙ୍କୁ ଆନ୍ତର୍ଜାତିକ ଫକୀର ମୋହନ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ବାଲେଶ୍ୱର ଫକୀର ମୋହନ ସାହିତ୍ୟ ପରିଷଦ ଓ ଫକୀର ମୋହନ ଫାଉଣ୍ଡେସନ୍‌ ଓ ଶ୍ରୀନିବାସ ମିଶ୍ରଙ୍କୁ ସାହିତ୍ୟ ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଗୋପୀନାଥ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂସଦର ସଭାପତି କାର୍ତ୍ତିକେଶ୍ୱର ପାତ୍ର ସଭାପତିତ୍ୱ କରିଥିଲେ। ପୀତବାସ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଜୀବନ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର