ସିଏଏକୁ ଓଡ଼ିଶା ସନ୍ଥ ସମାଜର ସମର୍ଥନ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଓଡ଼ିଶା ସନ୍ଥ ସମାଜ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ସହ ଏହାକୁ ଲାଗୁ କରିବାକୁ ଦାବି କରିଛନ୍ତି। ସଂସଦରେ ପାରିତ ହୋଇଥିବା ଏହି ଆଇନ ଦେଶ ହିତ ପାଇଁ ନିତାନ୍ତ ଆବଶ୍ୟକ ବୋଲି ସନ୍ଥ ସମାଜ ପକ୍ଷରୁ କୁହାଯାଇଛି। ଶନିବାର ଭୁବନେଶ୍ବର ପାଣ୍ଡରାସ୍ଥିତ ଶ୍ରୀ ଗୀତା ମନ୍ଦିର ପରିସରରେ ଓଡ଼ିଶା ସଂସ୍ଥ ସମାଜର ନବମ ବାର୍ଷିକ ଉତ୍ସବରେ ଉପସ୍ଥିତ ସମସ୍ତ ସାଧୁ ଓ ସନ୍ନ୍ୟାସୀ ଏପରି ମତ ଉପସ୍ଥାପନ କରିଥିଲେ।

ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାର ବହୁ ସାଧୁସନ୍ଥ ସାମିଲ ହୋଇଥିଲେ। ଏହି ଅବସରରେ ଉପସ୍ଥିତ ସାଧୁମାନେ କହିଥିଲେ, ଏବେ ସମୟ ଆସିଛି ସମାଜ ହିନ୍ଦୁ ଧର୍ମ ଓ ସଂସ୍କୃତିର ରକ୍ଷା ପାଇଁ ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ସେଥିରେ ନିଜକୁ ସାମିଲ କରିବା। ତେଣୁ ସମସ୍ତ ସାଧୁଙ୍କ ସହିତ ହିନ୍ଦୁମାନେ ସରକାରଙ୍କ ଏହି ନୂଆ ଆଇନ(ସିଏଏ)କୁ ଦୃଢ଼ ସମର୍ଥନ କରିବାର ଆବଶ୍ୟକ ବୋଲି ସାଧୁମାନେ ଏକସ୍ବରରେ କହିଥିଲେ। ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ସାରଦା ନିକେତନର ସ୍ବାମୀ ପ୍ରାଣରୂପାନନ୍ଦ ସରସ୍ବତୀ ଏବଂ ବିହାର ଯୋଗ ସ୍କୁଲ୍‌ର ସ୍ବରୂପାନନ୍ଦ ସରସ୍ବତୀଙ୍କୁ ସମ୍ମାନିତ କରାଯାଇଥିଲା। ସ୍ବାମୀ ଭାଗବତାନନ୍ଦ ସରସ୍ବତୀ ଏବଂ ସ୍ବାମୀ ସମ୍ପୂର୍ଣ୍ଣାନନ୍ଦ ସରସ୍ବତୀ ସଭା ସଂଯୋଜନା କରିଥିଲେ। ଯୋଗବିଦ୍ୟା ଗୁରୁକୁଳମ୍‌ର ଅଧ୍ୟକ୍ଷ ସ୍ବାମୀ ଆନନ୍ଦ ସରସ୍ବତୀ ସଭାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର