ଭୁବନେଶ୍ଵର: କୋବି, କାକୁଡ଼ି, କାପ୍ସିକମ ଓ ଟମାଟୋ ସବୁର ଦାମ କିଲୋ ପିଛା ୨ ଶହରୁ ଅଢ଼େଇଶହ ଟଙ୍କା। ଏମିତିକି କିଛି ପରିବା ମଧ୍ୟ କିଲୋ ପିଛା ୫ ଶହରୁ ୬ ଶହ ଟଙ୍କା ପଡ଼ୁଛି। ରାଜଧାନୀ ହାଟରେ ଏଭଳି ପରିବା ଦର ସମସ୍ତଙ୍କୁ ଚକିତ କରୁଥିବ! କରୋନା ସଂକଟ ବେଳେ ଦର କ’ଣ ଏତେ ବଢ଼ିଗଲା କି ବୋଲି ମନରେ ପ୍ରଶ୍ନ ଉଠୁଥିବ! କିନ୍ତୁ ସେମିତି କିଛି ନୁହେଁ। ଏସବୁ ହେଉଛି ରାଜଧାନୀକୁ ବାହାରୁ ଆମଦାନି ହେଉଥିବା ବିଦେଶୀ ରଙ୍ଗିନ୍ ପରିବାର ଦର। ଗତ କିଛି ବର୍ଷ ହେଲା ରାଜଧାନୀ ବଜାରରେ ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକଙ୍କ ପସନ୍ଦର ଏହି ପରିବା ଉପଲବ୍ଧ ହେଉଛି।
ୟୁନିଟ-୮ କଲ୍ୟାଣ ମାର୍କେଟ ନିକଟରେ ଦେଖିବାକୁ ମିଳୁଛି ଏହି ରଙ୍ଗିନ ପରିବା। ଦୀର୍ଘ ୮ ବର୍ଷ ହେବ ଏଭଳି ପରିବା ବିକ୍ରି କରୁଛନ୍ତି ମାନସ ସାହୁ। ବର୍ତ୍ତମାନ ଲୋକଙ୍କ ଚାହିଦାକୁ ଦେଖି ୩୫ରୁ ୪୦ ପ୍ରକାର ବିଦେଶୀ ପରିବା ମହଜୁଦ୍ ରଖୁଛନ୍ତି। ପରିବା ଭିତରେ ରହିଛି ୧ କିଲୋ ପ୍ରତି ୬ ଶହ ଟଙ୍କାରେ ବିକ୍ରି ହେଉଥିବା ଆଭାକାଡ୍, ଚାଇନିଜ୍ କ୍ୟାବେଜ୍( କିଲୋ ୨୦୦ ଟଙ୍କା), ନାଲି ଓ ହଳଦିଆ କାକୁଡି (କିଲୋ ୨୦୦ ଟଙ୍କା), ନାଲି, ବାଇଗଣୀ ଓ ହଳଦିଆ କାପ୍ସିକମ୍ (କିଲୋ ୨୦୦ ଟଙ୍କା), ଲିକ୍ କିଲୋ ୨୦୦ ଟଙ୍କା, ଆସ୍ପାରାଗସ୍ କିଲୋ ୧୦୦ ଟଙ୍କା, ସବୁଜ କୋବି (ବ୍ରୋକଲି) କିଲୋ ୨୫୦ ଟଙ୍କା, ଚାଇନିଜ୍ ଧନିଆ ବିଡ଼ା ୨୦୦ ଟଙ୍କା, ମକା(ବେବିକର୍ଣ୍ଣ) କିଲୋ ୧୬୦ ଟଙ୍କା , ଚେରି ଟମାଟୋ କିଲୋ ୨୦୦ ଟଙ୍କା, ବେବି ପକ୍ଚୋଇ କିଲୋ ୨୫୦ ଟଙ୍କା, ବାଇଗଣୀ ରଙ୍ଗର ଚାଇନ୍ କ୍ୟାବେଜ୍ କିଲୋ ୨୦୦ ଟଙ୍କା, ଆଇସ୍ କୋବିଲ୍ କିଲୋ ୩୦୦ ଟଙ୍କା, ଅଦା ବା ଫ୍ରୋଏ ଜିଞ୍ଜର୍ କିଲୋ ୧୦୦୦ ଟଙ୍କା, ବ୍ରେସିଲ୍ କିଲୋ ୩୦୦ ଟଙ୍କା, ପାର୍ସେଲି କିଲୋ ୪୦୦ ଟଙ୍କା , ଆମେରିକାନ୍ ନାଲି କ୍ୟାବେଜ୍ କିଲୋ ୨୦୦ ଟଙ୍କା। ବଡ଼ କଥା ହେଉଛି ଏସବୁ ଦାମୀ ପରିବା ଗ୍ରାହକ ସଂଖ୍ୟା ବି ରାଜଧାନୀରେ କିଛି କମ୍ ନୁହଁନ୍ତି।
ମାନସଙ୍କ ଏହି ପରିବା ଦୋକାନ ଆଗରେ ବଡ଼ ଦାମୀ ସୌକିନ୍ ଗାଡ଼ି ଲାଗେ। ଅନେକ ଗ୍ରାହକ ଆଗୁଆ ଟଙ୍କା ଦେଇ ବରାଦ କରିଥାନ୍ତି। ସମ୍ଭ୍ରାନ୍ତ ଶ୍ରେଣୀର ଏହି ଲୋକମାନେ ଭୁବନେଶ୍ବର, କଟକ ଓ ଖୋର୍ଦ୍ଧା ଭଳି ସହରରୁ ମାନସଙ୍କ ପାଖକୁ ଆସନ୍ତି। ମାନସଙ୍କ କହିବା ପ୍ରଥମେ ସେ ରଙ୍ଗିନ୍ କ୍ୟାପ୍ସିକମ୍ ବେପାର ଆରମ୍ଭ କରିଥିଲେ। ପରେ ଚାହିଦା ଦେଖି ବିଭିନ୍ନ ପରିବା ଆମଦାନି କରୁଛନ୍ତି। ବର୍ତ୍ତମାନ ପ୍ରତି ୪-୫ ଦିନରେ ଟ୍ରେନ୍ ଯୋଗେ ୬୦ ହଜାର ଟଙ୍କାର ପରିବା ଆଣୁଛନ୍ତି। ଅବଶ୍ୟ କରୋନା କଟକଣା ଯୋଗୁଁ ବେପାର କିଛିଟା କମିଛି। କିନ୍ତୁ ବେପାର ଚାଲିଛି। କରୋନା ପୂର୍ବରୁ ଦୈନିକ ୧୦ ହଜାର ଟଙ୍କା କାରବାର ହେଉଥିଲା, ଏବେ ତାହା ୫ ହଜାର ଟଙ୍କାଙ୍କୁ ଖସି ଆସିଛି ବୋଲି ମାନସ କହିଛନ୍ତି। ଜଣେ ଗ୍ରାହକ ଶ୍ବୋତା ମିଶ୍ର କୁହନ୍ତି ଏହା ଛୋଟ ପିଲାଙ୍କ ମନପସନ୍ଦର ଖାଇବା ହୋଇଯାଇଛି। ଉଚ୍ଚ ରକ୍ତଚାପ, ହୃଦ୍ଘାତ ରୋଗୀଙ୍କ ପାଇଁ ଏଭଳି ପରିବା ଉପକାରୀ ଖାଦ୍ୟ। ସେହିଭଳି ଯୁବତୀମାନେ ସୌନ୍ଦର୍ଯ୍ୟ ବଢାଇବା ପାଇଁ ଏହି ପରିବା ଖାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/564fg564gd56jdgdgdgdgdgdgdgdgdgdgdgdgdgdgdgdg.jpg)