ଭୁବନେଶ୍ୱର: ପୂର୍ଣ୍ଣ ଅନୁଦାନ ଦାବିରେ ରାସ୍ତାକୁ ଓହ୍ଲାଇଥିବା ଶିକ୍ଷକ ଓ ଅଧ୍ୟାପକଙ୍କ ଦାବିିିରେ କ୍ୟାବିନେଟ୍‌ ମୋହର ବାଜିଛି। ବ୍ଲକ୍‌ଗ୍ରାଣ୍ଟ୍‌ ବ୍ୟବସ୍ଥା ଉଚ୍ଛେଦ କରି ୨୦୧୮ ପହିଲାରୁ ପୂର୍ଣ୍ଣ ଅନୁଦାନ ମିଳିବା ନେଇ ଘୋଷଣା ହୋଇଛି। ତେବେ ଏଥିରେ ଏତେଟା ଖୁସି ବ୍ୟକ୍ତ କରିନାହାନ୍ତି ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକ। କହିଛନ୍ତି ଏହା ପୁରୁଣା କଥା। ଗତ ୨୨ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦେଶକୁ ଯାହା କ୍ୟାବିନେଟ୍‌ ମଂଜୁରି ମିଳିଛି। ମାତ୍ର ବ୍ୟକ୍ତିଗତ ସତ୍ୟପାଠ ଉଚ୍ଛେଦ କରାଯାଇ ନାହିଁ। ସେହିଭଳି ସରକାର ନୋସ୍‌ନାଲ୍‌ ଜିଆଇଏ ପଲିସି ଲାଗୁ କରିନାହାନ୍ତି। ମୁଖ୍ୟ ଶାସନ ସଚିବ ଏ ବାବଦରେ ତର୍ଜମା କରାଯାଉଛି ବୋଲି କହିଥିବା ବେଳେ ଏହି ବାବଦ ନିଷ୍ପତ୍ତିକୁ ଅପେକ୍ଷା ରହିଛି ବୋଲି ଓଡ଼ିଶା ସ୍କୁଲ୍‌ କଲେଜ୍‌ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା କହିଛନ୍ତି।

Advertisment

ଶ୍ରୀ ମହାଲା କହିଛନ୍ତି ଯେ, ସରକାର ୨୦୧୮ ଜାନୁଆରିରୁ ପୂର୍ଣ୍ଣ ଅନୁଦାନ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ମାତ୍ର ଯୋଗ୍ୟତା ଦିନରୁ ପୂର୍ଣ୍ଣ ଅନୁଦାନ ଦେବାକୁ ଶ୍ରୀ ମହାଲା ଦାବି କରିଛନ୍ତି। ସେ କହିଛନ୍ତି ଯେ, ଯୋଗ୍ୟତା ଦିନରୁ ଏହି ଅନୁଦାନ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଜୁନ୍‌ ୩୦ ତାରିଖ ଭିତରେ ସରକାର ଏହା ପାଳନ କରିବାକୁ ସେ ଦାବି କରିଛନ୍ତି। ଏନେଇ ମଞ୍ଚର ଅନ୍ୟତମ ସଦସ୍ୟ ତଥା ୬୬୨ ବର୍ଗ କଳେଜ୍‌ ଶିକ୍ଷକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି, ଆମେ ସ୍କୁଲ୍‌ କଲେଜ୍‌ରେ ଦୀର୍ଘ ବର୍ଷ ହେଲା କାମ କରୁଛୁ। କିନ୍ତୁ ୨୦୧୮ ପହିଲାରୁ ଆମକୁ ପୂର୍ଣ୍ଣ ଅନୁଦାନ ଭିତ୍ତିରେ ଦରମା ଦେବାକୁ ସ୍ଥିର ହୋଇଛି। ହୁଏତ ଯୋଗ୍ୟତା ଦିନରୁ ଏରିଅର୍‌ ଦେବା ସମ୍ଭବ ହେବ ନାହିଁ କିମ୍ବା ବୃହତ୍‌ ଆର୍ଥିକ ବୋଝ ପଡ଼ିବ। ମାତ୍ର ନୋସ୍‌ନାଲ୍‌ ଜିଆଇଏ ପଲିସି ମୁତାବକ ଆମକୁ ଯୋଗ୍ୟତା ଦିନରୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଉ। ଚାକିରି ସର୍ତାବଳୀ ଲାଗୁ କରିବା ସହ ପେନ୍‌ସନ୍‌ ସୁବିଧା, ବଦଳି, ଇପିଏଫ୍‌ ଆଦିର ବନ୍ଦୋବସ୍ତ କରାଯାଉ। ନୋସ୍‌ନାଲ୍‌ ଜିଆଇଏ ବ୍ୟବସ୍ଥା ବିଷୟରେ ତର୍ଜମା କରିବା ପାଇଁ ଜୁଲାଇ ୧୮ ପର୍ଯ୍ୟନ୍ତ ସରକାର ସମୟ ନେଇଛନ୍ତି। ହିସାବ ମୁତାବକ ଏହା କାର୍ଯ୍ୟକାରୀ ହେଲେ ସରକାରଙ୍କୁ ଅଧିକ ୬୦୦ କୋଟି ଟଙ୍କାର ଆବଶ୍ୟକତା ପଡ଼ିବ। ତେଣୁ ଏରିଅର୍‌ ପଛେ ଦିଆ ନଯାଉ କିନ୍ତୁ ଆମ ପାଇଁ ନୋସନାଲ୍‌ ଜିଆଇଏ ନିୟମ ଲାଗୁ ହେଉ। ନଚେତ୍‌ ଆମେ ଅବସର ନେବା ବେଳକୁ ସରକାର ଆମକୁ କେବଳ ୨ ଲକ୍ଷ ଟଙ୍କା ଏକ୍ସଗ୍ରାସିଆ ବାବଦରେ ଦେବେ। ଏତେ ବର୍ଷ ଶିକ୍ଷା ସେବା ଦେଇ ବି ଆମେ ବୃଦ୍ଧ ବୟସରେ ହଇରାଣ ହେବୁ। ମୁଖ୍ୟ ଶାସନ ସଚିବ ଏନେଇ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ସମୟ ନେଇଥିବାରୁ ସରକାର ଏ ଦିଗରେ ଆମ ପ୍ରତି ଉଚିତ ବିଚାର କରିବେ ବୋଲି ଆଶା କରୁଛୁ। ଯଦି ଏହା ନକରନ୍ତି ତେବେ ଆମେ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବୁ ବୋଲି ସେ କହିଛନ୍ତି।