ଭୁବନେଶ୍ୱର: ରାଜଧାନୀର ୪ ସ୍ଥାନରୁ ଆଜି ୮୮ଟି ଜବରଦଖଲରେ ହଟାଯାଇଛି। ବରମୁଣ୍ଡା, କଳାରାହାଙ୍ଗ, ଡମଣା ଓ ନୂଆପଲ୍ଲୀ ଆଦି ଅଞ୍ଚଳରୁ ଏହି ଉଚ୍ଛେଦ କରାଯାଇଛି। ବରମୁଣ୍ଡାସ୍ଥିତ ବସ୍ ଟର୍ମିନାଲ ନିକଟରୁ ୨୭ଟି ଫାଷ୍ଟଫୁଡ୍‌/ଟିଫିନ୍‌ ଷ୍ଟଲ ହଟିଥିବା ବେଳେ ଡ. ଆମ୍ବେଦକର ଏସ୍‌ସି ଓ ଏସ୍‌ଟି କ୍ଲବର ୪ଟି ଛାତ ଘର, ୭ଟି ଆଜବେଷ୍ଟସ୍‌ ଦୋକାନ, ୨୫ଟି କ୍ୟାବିନ୍‌, ୩ଟି ହଷ୍ଟେଲ, ୧୧ଟି ପଲିଥିନ ନିର୍ମିତ ଦୋକାନ ଏବଂ ୫ଟି ଫଳ ଓ ପରିବା ଦୋକାନ ଉଚ୍ଛେଦ ହୋଇଛି। ଡମଣା ଛକରୁ ୬ଟି ଅର୍ଦ୍ଧନିର୍ମିତ ଦୋକାନ ଭଙ୍ଗାଯାଇଛି। ନୂଆପଲ୍ଲୀ ଅଞ୍ଚଳରୁ ଗୋଟିଏ ହୋଟେଲ, ୨ଟି ଫାଷ୍ଟଫୁଡ ଓ ଗୋଟିଏ କ୍ୟାବିନ ଭାଙ୍ଗିଛି। ଆଇଆର୍‌ସି ଭିଲେଜ ଇନ୍ଦ୍ରଧନୁ ମାର୍କେଟରୁ ଫାଷ୍ଟଫୁଡ ଓ ହୋଟେଲ ଭଙ୍ଗାଯାଇଛି। ବିଡିଏ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ର ଓ ବିଡିଏ ଲିଆସନ୍‌ ଅଫିସର୍‌ ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ତତ୍ତ୍ବାବଧାନରେ ଏହି ଉଚ୍ଛେଦ ହୋଇଥିଲା।
ୱାର୍ଡ ନମ୍ବର-୨ର କଳାରାହାଙ୍ଗଠାରେ ପ୍ଲଟ ନଂ-୩୦ରେ ପ୍ରଭାତ ଭିଲ୍ଲା ନିକଟରେ କେତେକ ଅଂଶ ଭଙ୍ଗାଯାଇଛି। ବିଭୂତି ଭୂଷଣ ଆଚାର୍ଯ୍ୟ ନାମକ ବ୍ୟକ୍ତି ୯ଶହ ବର୍ଗଫୁଟ୍‌ ସରକାରୀ ରାସ୍ତା ମାଡ଼ି ବସି ଘର ନିର୍ମାଣ କରିଥିଲେ। ଆଜି ସକାଳୁ ଟିମ୍‌ ପ୍ରାଇଡ୍‌ ଉଚ୍ଛେଦ କରିଥିଲା।

Advertisment

ଗୋଟିଏ ପଟେ ବିଏମ୍‌ସି ଓ ବିଡିଓ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଅନ୍ୟ ପଟେ ହକି ବିଶ୍ବକପ୍‌ ସମୟରେ ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନେ ପୁଣି ପୁରୁଣା ଜାଗାକୁ କବ୍‌ଜା କରିଛନ୍ତି। ଆଜି କଳ୍ପନାରୁ ରାଜମହଲ ପର୍ଯ୍ୟନ୍ତ ଅଞ୍ଚଳରେ ବ୍ୟବସାୟ କରୁଥିବା ଉଠାଦୋକାନୀ ଟିମ୍‌ ପ୍ରାଇଡ୍‌ ଦ୍ବାରା ଉଚ୍ଛେଦ ହେବା ପରେ ରାସ୍ତା ଅବରୋଧ କରିଥିଲେ। ସେମାନେ ରାସ୍ତା ମଝିରେ ବସି ରହିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଯାଇଥିଲା। ଖବର ପାଇ ପୁଲିସ ପହଞ୍ଚି ସେମାନଙ୍କୁ ରାସ୍ତାରୁ ହଟାଇଥିଲା। ବଡ଼ ବଡ଼ ବ୍ୟବସାୟୀଙ୍କ ଇସାରାରେ ବିଏମସି ଛୋଟ ଛୋଟ ଦୋକାନୀଙ୍କ ଉପରେ ଦାଉ ସାଧୁଥିବା ସେମାନେ ଅଭିଯୋଗ କରିଥିଲେ।