ଟ୍ରାଇର ନୂଆ ନିୟମକୁ ବିରୋଧ: କେବୁଲ ଅପରେଟର୍‌ଙ୍କ ବିକ୍ଷୋଭ

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ମାସ ୧ ତାରିଖରୁ ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମକୁ ନେଇ କେବୁଲ ଅପରେଟର୍‌ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ସିଧା ସଳଖ ପ୍ରଭାବ ଗ୍ରାହକ ଓ କେବୁଲ ଅପରେଟର୍‌ମାନଙ୍କ ଉପରେ ପଡ଼ିବ, ଏହା ଛଡ଼ା ଅନେକ ଚାକିରି ହରାଇବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜି ସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଟ୍ରାଇ ତାର ନିୟମର ପୁନର୍ବିଚାର କରୁ ବୋଲି ଦାବି କରାଯାଇଛି। ସଂଘ ପକ୍ଷରୁ କେ. ଶେଷ ସାଇ କହିଛନ୍ତି, ଫ୍ରେବୁଆରି ମାସ ୧ ତାରିଖରୁ ଟ୍ରାଇର ନୂଆ ନିୟମ ଅନୁଯାୟୀ ଗ୍ରାହକଙ୍କ ମାସିକ ଦେୟ ଅଢ଼େଇରୁ ତିନିଗୁଣା ବଢ଼ିଯିବ। ଫଳରେ ଗ୍ରାହକମାନେ କେବୁଲ ଅପରେଟର୍‌ମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବେ। ସେହିପରି କେବୁଲ ଅପରେଟର୍‌ମାନଙ୍କ ଲାଭାଂଶ ମଧ୍ୟ ଅନେକ ମାତ୍ରାରେ ହ୍ରାସ ପାଇବ। ଏପରିକି ସଂସ୍ଥା ଚଳାଇବା ଓ କେବୁଲ ମରାମତି କରିବା ମଧ୍ୟ କଷ୍ଟକର ହୋଇ ପଡ଼ିବ। ଫଳରେ ଅନେକ କର୍ମଚାରୀ ଚାକିରି ମଧ୍ୟ ହରାଇବେ। କୌଣସି କେବୁଲ ଅପରେଟର୍‌ କିମ୍ବା ଗ୍ରାହକମାନଙ୍କ ମତାମତ ନିଆ ନ ଯାଇ ଟ୍ରାଇ ମନ ଇଚ୍ଛା ଏଭଳି ନିୟମ ଲାଗୁ କରିବାକୁ ଯାଉଛି। ଟ୍ରାଇର ଏଭଳି ନିୟମରେ ଡିଟିଏଚ୍ ସମେତ କେତେକ ଘରୋଇ ଓ ବି‌ଦେଶୀ ଟିଭି ଚ୍ୟାନେଲ ଉପକୃତ ହେବେ ବୋଲି ସଂଘ ଅଭିଯୋଗ କରିଛି।

ଏହାର ପ୍ରତିବାଦରେ ଆଜି କେବୁଲ ଅପରେଟର୍‌ ସଂଘ ପକ୍ଷରୁ ‘ବ୍ଲା‌କ ଆଉଟ’ ପାଳନ କରାଯାଇଥିଲା। ଆଜି ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ କେବୁଲ ମାଧ୍ୟମରେ ପ୍ରସାରଣ ବନ୍ଦ କରାଯାଇଥିଲା। ଆଜି ପ୍ରତିବାଦରେ ପ୍ରାୟ ୬ଶହ କେବୁଲ ଅପରେଟର ସଂସ୍ଥା ସାମିଲ ହୋଇଥିଲେ। ପ୍ରକାଶଥାଉକି, ଟ୍ରାଇ କରିଥିବା ନିୟମ ଅନୁଯାୟୀ, ଗ୍ରାହକମାନେ ପ୍ରଥମ ଶହେଟି ଚ୍ୟାନେଲ୍‌ ଦେଖିବାକୁ ମାସିକ ୧୩୦ ଟଙ୍କା ଓ ଟିକସ( ଜିଏସଟି) ଦେବେ। ତନ୍ମୟ ଶତପଥୀ, ପ୍ରମୋଦ ଛଟୋଇ, ପ୍ରମୋଦ ନନ୍ଦ, ଆଶିଷ ରଂଜନ ମହାନ୍ତି ପ୍ରମୁଖଙ୍କ ନେତୃତ୍ବରେ ଏହି ବିକ୍ଷୋଭ ହୋଇଥିଲା।

ସମ୍ବନ୍ଧିତ ଖବର