ଲକ୍‌ଡାଉନ୍‌ରେ କଲ୍‌ ବଏ ସାଜିଲେ ଯୁବକ, ହରାଇଲେ ୯ ହଜାର ଟଙ୍କା

ଜାଲ୍‌ ଜିଗଲୋ ରାକେଟରେ ସାମିଲ ଅଛନ୍ତି ଯୁବତୀ

ଭୁବନେଶ୍ବର: ଲକ୍‌ଡାଉନ୍‌ ସଜାଇ ଦେଲା ଜିଗଲୋ(କଲ୍‌ ବଏ)। ଘରୋଇ କମ୍ପାନିରେ ଅଧା ଦରମା ମିଳୁ ଥିବାରୁ ପେଟ ପୋଷିବା ପାଇଁ କଲ୍‌ ବଏ ପନ୍ଥାକୁ ଆପଣାଇ ନେଲେ ଯୁବକ। କିନ୍ତୁ ଟଙ୍କା ରୋଜଗାର କରିବେ କ’ଣ, ଓଲଟା ଠକଙ୍କ ହାବୁଡ଼ରେ ପଡ଼ି ଟଙ୍କା ହରାଇଲେ। ରାଜଧାନୀରେ ଜାଲ ଜିଗଲୋ ରୢାକେଟ୍‌ର ଶିକାର ହୋଇଛନ୍ତି ଏହି ଯୁବକ। ଯୁବକଙ୍କ କହିବା ଅନୁସାରେ, ସେ ଏକ ଘରୋଇ କମ୍ପାନିରେ ସ୍ବଳ୍ପ ଦରମାରେ ଚାକିରି କରୁଛନ୍ତି। ସୀମିତ ଦରମାରେ କଷ୍ଟେମଷ୍ଟେ ପରିବାର ଚଳାଇ ନେଉଥିଲେ। କିନ୍ତୁ ୬ମାସ ହେଲା କରୋନା ଯୋଗୁଁ ଦରମା ଅଧା ହୋଇଯିବା ପରେ ସେ ଅନ୍‌ଲାଇନ୍‌ରେ ରୋଜଗାର ପାଇଁ ସର୍ଚ୍ଚ କରୁଥିଲେ। ସେହି ସମୟରେ କଲ୍‌-ବଏ ବିଜ୍ଞାପନ ଦେଖିବାକୁ ପାଇଥିଲେ। ପ୍ରଥମେ ରେଜିଷ୍ଟ୍ରେସନ୍‌ ପାଇଁ ସମ୍ପୃକ୍ତ ସଂସ୍ଥା ୨ହଜାର ଟଙ୍କା ନେଇଥିଲା। କଲ ବଏ ପରିଚୟ ପତ୍ର ମଧ୍ୟ ଦେଇଥିଲା। କଳ୍ପନା ଛକରେ ଏକ ହୋଟେଲରେ ଗତ ୨୨ତାରିଖରେ ଜଣେ ମହିଳାଙ୍କ ପାଖକୁ ଯିବା ଲାଗି ସମ୍ପୃକ୍ତ ସଂସ୍ଥା ପକ୍ଷରୁ କଲ୍ ଆସିଥିଲା।

ହୋଟେଲ ରୁମ୍ ନମ୍ବର, ସମୟ ସବୁ ଫୋନ୍ ମେସେଜ୍ ମାଧ୍ୟମରେ ଦିଆଯାଇଥିଲା। ମହିଳା ଏଥିଲାଗି ୨୮ ହଜାର ଟଙ୍କା ଦେବେ ବୋଲି ସଂସ୍ଥାର ଜଣେ ଯୁବକ ଫୋନ୍ କରି କହିଥିଲା। ଏହାର ୨୫ ପ୍ରତିଶତ ଅର୍ଥ ସମ୍ପୃକ୍ତ ସଂସ୍ଥା ଆକାଉଣ୍ଟକୁ ପଠାଇ ଦେବା ଲାଗି କୁହାଯାଇଥିଲା। ଏକାଥରକେ ଏତେ ଟଙ୍କା ମିଳିବାର ଲୋଭ ଦେଖି କଲ୍‌ ବଏ ସାଜିଥିବା ଯୁବକ ତୁରନ୍ତ ୭ହଜାର ଟଙ୍କା ପଠାଇ ଦେଇଥିଲେ। କିନ୍ତୁ ସେହି ହୋଟେଲରେ ପହଞ୍ଚିବା ପରେ ସେମିତି କୌଣସି ମହିଳା ସେହି ରୁମରେ ନ ଥିବା ଜାଣିବାକୁ ପାଇଥି‌ଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ପୂରା ଘଟଣା ହୋଟେଲ ମ୍ୟାନେଜରଙ୍କୁ ଜଣାଇଥିଲେ। ହୋଟେଲ ମ୍ୟାନେଜର୍‌ ଜିଗଲୋ ସଂସ୍ଥାର ସର୍ଚ୍ଚ କରିବା ପରେ ତାଙ୍କ ହୋଟେଲର ନାଁ ଦିଆଯାଇଥିବା ଦେଖିବାକୁ ପାଇଥିଲେ। ହୋଟେଲକୁ ବଦନାମ୍ କରାଯାଉଥିବା ଜାଣିବା ପରେ ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ଏହା ଏକ ଜାଲ ଜିଗଲୋ ରୢାକେଟ୍‌ ହୋଇଥିବା ବେଳେ ଏଥିରେ ଯୁବତୀ ସାମିଲ ରହିଛନ୍ତି। ଯୁବତୀମାନେ କଲ ବଏଙ୍କୁ ଫୋନ୍ କରି ଜାଲରେ ଫସାଇବା ପରେ ଟଙ୍କା ଲୁଟୁଛନ୍ତି।

ସମ୍ବନ୍ଧିତ ଖବର