‘ଡାଏଲ୍-୧୦୦’ର କାର୍ଯ୍ୟ ପରିସର ବୃଦ୍ଧି, ରୋଗୀଙ୍କୁ ଡାକ୍ତରଖାନା ନେଇ ଯାଉଥିଲେ ପୁଲିସ ଅଟକାଇବନି

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପାଖ ମାର୍କେଟକୁ ଚାଲି ଚାଲି ଯିବାକୁ ଅନୁରୋଧ

ଭୁବନେଶ୍ବର: କରୋନା ମୁକାବିଲା ଲାଗି ଭୁବନେଶ୍ବର ସହରାଞ୍ଚଳ ପୁଲିସର ଡାଏଲ୍ ୧୦୦ର କାୟା ବଢ଼ିଛି। ଦିନକୁ ହଜାର ହଜାର କଲ୍ ଆସୁଥିବାରୁ କର୍ମଚାରୀଙ୍କ ସଂଖ୍ୟା ୧୨ରୁ ବଢ଼ାଇ ୨୪ କରି ଦିଆଯାଇଛି। ଯଦି ଏକାସାଙ୍ଗରେ ୨୦ଟି ଫୋନ୍ କଲ୍ ଆସେ, ତା’ ହେଲେ ସବୁ କଲର୍‌ ଗୋଟିଏ ସମୟରେ ଉତ୍ତର ଦିଆଯାଇ ପାରିବ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। କଲର୍‌ଙ୍କୁ ମାତ୍ର ଅଳ୍ପ କେଇ ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଆଗକୁ ଏହାକୁ ଜିରୋ ସେକେଣ୍ଡକୁ କମାଇବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ପନିପରିବା, ତେଜରାତି ଭଳି ସାମଗ୍ରୀ ପାଇଁ ଅଯଥା କଣ୍ଟ୍ରୋଲ ରୁମକୁ କଲ୍ କରି ହଇରାଣ ନ କରିବା ପାଇଁ ଅନୁରୋଧ କରିଛନ୍ତି ପୁଲିସ କମିସନର୍‌। ଏହି ସବୁ ସାମଗ୍ରୀ ରାଜଧାନୀର ସବୁ ଅଞ୍ଚଳରେ ସହଜରେ ମିଳି ପାରୁଛି। ଏବେ ଦିନ ସାରା ଦୋକାନ ଖୋଲା ରହୁଥିବାରୁ କିଛି ଅସୁବିଧା ମଧ୍ୟ ନାହିଁ। ପ୍ରାୟ ୧ କିଲୋମିଟର ପରିଧି ମଧ୍ୟରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଲୋକଙ୍କୁ ଚାଲି ଚାଲି ଯିବା ପାଇଁ ଅନୁରୋଧ କରିଛନ୍ତି ପୁଲିସ କମିସନର। ପନିପରିବା ପାଇଁ ଏକ ନମ୍ବର ହାଟକୁ ନ ଆସି ପାଖ ମାର୍କେଟରୁ ନେବା ପାଇଁ କହିଛନ୍ତି।

ସମ୍ପର୍କୀୟଙ୍କ ମୃତ୍ୟୁ ହେଲେ ଶେଷ ଦର୍ଶନରେ ଯାଇପାରିବେ
ଡାଏଲ୍ ୧୦୦କୁ ଫୋନ୍ କରିଲେ ମିଳିପାରିବ ମେସେଜ୍

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଯଦି ରୋଗୀକୁ କେହି ଡାକ୍ତରଖାନା ନେଇ ଯାଉଥିବେ, ତା’ ହେଲେ ପୁଲିସ ଅଟକାଇବନି। ଯଦି କେହି ଅଟକାଇବେ ତା’ ହେଲେ ସମ୍ପୃକ୍ତ ବ୍ୟକ୍ତି ଡାଏଲ୍ ୧୦୦କୁ କଲ୍ କରି ଜଣାଇପାରିବେ। ଗ୍ରାଉଣ୍ଡରେ ୬୪୦୦ପୁଲିସ କର୍ମଚାରୀ କାମ କରୁଛନ୍ତି। ତେଣୁ ସମସ୍ତେ ସମସ୍ୟା ବୁଝି ପାରିବେ ନାହିଁ। ଡାଏଲ୍ ୧୦୦କୁ କଲ୍ କରି ଜଣାଇଲେ ସମସ୍ୟାର ସମାଧାନ ହୋଇପାରିବ। କଲ୍‌ ମିଳିବା ପରେ ଛାଡ଼ିବା ପାଇଁ ଭିଏଚଏଫରେ ବାର୍ତ୍ତା ଯିବ। ଯଦି ପାଖରେ ମେଡିସିନ୍ ଚିଠା ଅଛି ତାହାଲେ ଡାଏଲ୍ ୧୦୦କୁ କଲ୍ କରିବା ପରେ ଯେଉଁ ଏସଏମଏସ୍ ମିଳିବ ତାକୁ ଦେଖାଇ ଯାଇପାରିବେ। ଯଦି ଘର ପାଖ ଅଞ୍ଚଳରେ ଥିବା ମେଡିସିନ୍ ଷ୍ଟୋରରେ ସେହି ଔଷଧ ମିଳୁଥିବ, ତା’ହେଲେ ସମ୍ପୃକ୍ତ ବ୍ୟକ୍ତି ଅଯଥାରେ ଅନ୍ୟ ସ୍ଥାନକୁ ନ ଯାଇ ଘର ପାଖରୁ ନେବାକୁ ଅନୁରୋଧ କରିଛନ୍ତି। ଯଦି କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ଶେଷ ଦର୍ଶନରେ ଯିବା ପାଇଁ ଡାଏଲ୍ ୧୦୦କୁ କଲ୍ କରନ୍ତୁ। ଶେଷ ଦର୍ଶନ ପାଇଁ ବାହାରକୁ ଯିବାକୁ ଚାହୁଥିଲେ ନିର୍ଦ୍ଦିଷ୍ଟ ସ୍ଥାନ ପର୍ଯ୍ୟନ୍ତ ପୁଲିସ ପାସ୍ ଯୋଗାଇ ଦେବ। ତାହାକୁ ଦେଖାଇ ସମ୍ପୃକ୍ତ ବ୍ୟକ୍ତି ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ସେହିପରି ବୟସ୍କ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ପଡ଼ୋଶୀ ସାହାଯ୍ୟ କରନ୍ତୁ। ହୋମ୍ ଡେଲିଭରି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଚେଷ୍ଟା କରାଯାଉଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାର ସବୁ ସେବା ଯୋଗାଇ ଦେବା ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି। ପୁଲିସ ବି ନିଜର କାର୍ଯ୍ୟ କରୁଛି। କିନ୍ତୁ ଜନସାଧାରଣ ସଚେତନ ହୋଇ ସହଯୋଗ କରିବା ଦରକାର ବୋଲି ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଜରୁରୀକାଳୀନ ସେବା ପାଇଁ ମିଳୁଛି ପାସ୍
ହସ୍ପିଟାଲ, ବିଦ୍ୟୁତ, ମେଡିସିନ୍ ଷ୍ଟୋର, ପାଥୋଲାବ୍, ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ମଲ୍, ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀଙ୍କୁ ପୁଲିସ ପାସ୍ ଯୋଗାଇ ଦେଉଛି। ଯେଉଁମାନେ ଆବେଦନ କରୁଛନ୍ତି, ସମସ୍ତଙ୍କୁ ପ୍ରାୟ ପାସ୍‌ ମିଳୁଛି। ଗତ ତିନି ଦିନ ଧରି ଜରୁରୀକାଳୀନ ସେବାରେ ନିୟୋଜିତ ଯେତିକି ବ୍ୟକ୍ତିଙ୍କ ପାସ୍ ଆବେଦନ ହୋଇଥିଲା, ସମସ୍ତଙ୍କୁ ପ୍ରାୟ ମିଳିଛି। କିପରି ସୁରୁଖୁରୁରେ ସବୁ ବ୍ୟବସ୍ଥା ପରିଚାଳିତ ହୋଇପାରିବ, ତା’ ଉପରେ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ସମ୍ବନ୍ଧିତ ଖବର