ଭୁବନେଶ୍ୱର: ଜନ୍ମ-ମୃତ୍ୟୁ ପଞ୍ଜୀକରଣ ପ୍ରକ୍ରିୟାକୁ ରାଜ୍ୟ ସରକାର ସରଳୀକରଣ କଲେ। ପୂର୍ବର ଲମ୍ବାଧାଡ଼ି ଓ ସମୟ ସାପେକ୍ଷ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଉଭୟ ଆବେଦନ ଓ ପ୍ରମାଣପତ୍ର ପାଇବା ପାଇଁ ଅନ୍ଲାଇନ୍ ବ୍ୟବସ୍ଥା ଲାଗୁ ହେଲା। ଆଉ ଲୋକଙ୍କୁ ଜନ୍ମ-ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟକୁ ମାସ ମାସ ଦୌଡ଼ିବାକୁ କି ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଆବେଦନ କରିବାକୁ ପଡ଼ିବନି ବୋଲି ସରକାର ଲକ୍ଷ୍ୟ ରଖିଲେ। କିନ୍ତୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଜନ୍ମ-ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ଏବେ ବି ପୁରୁଣା ବ୍ୟବସ୍ଥାରୁ ବାହାରି ପାରିନି। ସେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ହେଉ କି ନାମ ପରିବର୍ତ୍ତନ ପ୍ରମାଣପତ୍ର, ଏବେ ବି ଆବେଦନକାରୀଙ୍କୁ ମାସ ମାସ ଧରି କାର୍ଯ୍ୟାଳୟକୁ ଦୌଡ଼ାଯାଉଛି। କାର୍ଯ୍ୟାଳୟର ଭୁଲ୍ ପାଇଁ ଭୋଗୁଛନ୍ତି ନିରୀହ ଲୋକେ। ତ୍ରୁଟିପୂର୍ଣ୍ଣ ପ୍ରମାଣପତ୍ର ଦେଇ ଲୋକଙ୍କୁ ହଇରାଣ କରୁଛନ୍ତି କାର୍ଯ୍ୟାଳୟ କର୍ତ୍ତୃପକ୍ଷ। ଏଣୁ ଲୋକେ ଜରୁରିକାଳୀନ ସମୟରେ ବି ପ୍ରମାଣପତ୍ର ନପାଇ ଅସୁବିଧାରେ ପଡ଼ୁଛନ୍ତି।
ଖାରବେଳନଗରରେ ରହିଛି ବିଏମ୍ସିର ଜନ୍ମ-ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ। ସେ ଜନ୍ମ ପ୍ରମାଣପତ୍ର ହେଉ କି ମୃତ୍ୟୁ ପ୍ରମାଣପତ୍ର ଅବା ନାମ ସଂଶୋଧନ ପରବର୍ତ୍ତୀ ପ୍ରମାଣପତ୍ର, ଦୈନିକ ୨୫ରୁ ୫୦ଟି ଆବେଦନ ଏଠାରେ ପଡ଼ୁଛି। ଭୁବନେଶ୍ବରର ମୂଳବାସିନ୍ଦା ଜଣେ ମହିଳା କହିଛନ୍ତି, ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ଝିଅର କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଜନ୍ମ ପ୍ରମାଣପତ୍ର ପାଇଁ ଅନ୍ଲାଇନ୍ରେ ସେ ଆବେଦନ କରିଥିଲେ। କିନ୍ତୁ ପ୍ରମାଣପତ୍ରରେ ଝିଅର ନାମ ତ୍ରୁଟିପୂର୍ଣ୍ଣ ରହିଥିଲା। କାର୍ଯ୍ୟାଳୟକୁ ମାସାଧିକ କାଳ ଦୌଡ଼ିବା ସହ ଏକାଧିକ ଥର ଅଭିଯୋଗ ପରେ ତାଙ୍କୁ ତ୍ରୁଟିଶୂନ୍ୟ ଜନ୍ମ ପ୍ରମାଣପତ୍ର ମିଳିଥିଲା। ସେହିଭଳି ରଙ୍ଗମାଟିଆର ପ୍ରିୟଦର୍ଶିନୀ ବେହେରା ତାଙ୍କର ଓ ତାଙ୍କ ଦୁଇ ଝିଅର ନାମ ସଂଶୋଧନ ପାଇଁ ଆବଶ୍ୟକ ସତ୍ୟପାଠ ଓ ଅନ୍ୟ ପ୍ରମାଣପତ୍ର ସହ ଆବେଦନ କରିଥିଲେ। ହେଲେ ଜନ୍ମ ପ୍ରମାଣପତ୍ରରେ ତାଙ୍କ ଝିଅ ନାମ ତ୍ରୁଟିପୂର୍ଣ୍ଣ ରହିଥିବା ବେଳେ ଦୁଇଝିଅଙ୍କର ଜନ୍ମ ପ୍ରମାଣପତ୍ରରେ ବି ଭୁଲ୍ ରହିଥିଲା। ଅଭିଯୋଗ କରିବାରୁ ଆବଶ୍ୟକ ସଂଶୋଧନ କରିଦେବେ ବୋଲି କହିଥିଲେ। କିନ୍ତୁ ଦ୍ବିତୀୟ ଥର ବି ଘଟଣାର ପୁନରାବୃତ୍ତି ଘଟିଲା। ତୃତୀୟ ଥରରେ ଯାଇ ଜନ୍ମ ପ୍ରମାଣପତ୍ରରେ ନାମ ଠିକ୍ ଆସିଥିଲା। ଅଭିଯୋଗ ହୋଇଛି, ଜନ୍ମ-ମୃତ୍ୟୁ ପଞ୍ଜୀକରଣ ସରଳୀକରଣ ବ୍ୟବସ୍ଥାକୁ ଅଧିକ ଜଟିଳ କରି ଦେଉଛନ୍ତି ଜନ୍ମ-ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ କାମ କରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନେ। ସେମାନେ ଯଦି ନିଜ କାମ ଠିକ୍ କରନ୍ତେ, ଏଭଳି ଅସୁବିଧା ଭୋଗିବାକୁ ପଡ଼ନ୍ତାନି।
ଏ ସଂପର୍କରେ ବିଏମ୍ସି ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ କହିଛନ୍ତି, ଅନେକ ସମୟରେ ଡାକ୍ତରଖାନାରୁ ଆମକୁ ତ୍ରୁଟିପୂର୍ଣ୍ଣ କାଗଜପତ୍ର ଆସି ପହଞ୍ଚୁଛି। ଯେଉଁଥିପାଇଁ ଜନ୍ମ କି ମୃତ୍ୟୁ ପ୍ରମାଣପତ୍ର, ଦେବା ବେଳେ ତ୍ରୁଟି ରହୁଛି। ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ନାମ ସଂଶୋଧନ କରି ଠିକ୍ ନାମ ଦେଲେ, ଆମେ ନାମ ସଂଶୋଧନ କରୁଛୁ। ନିୟମାନୁଯାୟୀ, ଆମେ ଡାକ୍ତରଖାନା କାଗଜପତ୍ର ଆଧାରରେ ହିଁ ନାମ ପଞ୍ଜୀକରଣ କରିପାରିବୁ। ବାକି ନାମ ସଂଶୋଧନ ପ୍ରକ୍ରିୟାରେ କେଉଁଠି ତ୍ରୁଟି ରହୁଛି, ଦେଖିବି ବୋଲି ସେ କହିଛନ୍ତି।
ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ପାଇଁ କଲବଲ: ଭୁଲ୍ କାହାର, ଭୋଗୁଛି କିଏ?
ଜନ୍ମ-ମୃତ୍ୟୁ ପଞ୍ଜୀକରଣ ପ୍ରକ୍ରିୟାକୁ ରାଜ୍ୟ ସରକାର ସରଳୀକରଣ କଲେ। ପୂର୍ବର ଲମ୍ବାଧାଡ଼ି ଓ ସମୟ ସାପେକ୍ଷ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଉଭୟ ଆବେଦନ ଓ ପ୍ରମାଣପତ୍ର ପାଇବା ପାଇଁ ଅନ୍ଲାଇନ୍ ବ୍ୟବସ୍ଥା ଲାଗୁ ହେଲା। ଆଉ ଲୋକଙ୍କୁ ଜନ୍ମ-ମୃତ୍ୟୁ...
/sambad/media/media_files/2025/07/22/death-birth-cartificate-2025-07-22-07-05-15.jpg)