ଭୁବନେଶ୍ୱର : ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଆଜି ସନ୍ଧ୍ୟାରେ ୧୫ ମିନିଟ ପାଇଁ ବିଜୁଳି ବ୍ୟବହାର ବନ୍ଦ କରିବାକୁ ଦେଇଥିବା ଡାକରା ସଫଳ ହୋଇଛି। ସନ୍ଧ୍ୟା ୬ଟାରୁ ୬.୧୫ ମିନିଟ୍‌ ପର୍ଯ୍ୟନ୍ତ ବହୁ ଉପଭୋକ୍ତା ଆଜି ସ୍ବଇଚ୍ଛାରେ ନିଜ ଘରକୁ ଅନ୍ଧାର ରଖିବା ସହ ପୂରା ବିଦ୍ୟୁତ୍ ବ୍ୟବହାର ବନ୍ଦ କରି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

Advertisment

ବାଲେଶ୍ବର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ କ‌ଂଗ୍ରେସ ପକ୍ଷରୁ ଏକ ନିର୍ବାଚନୀ ସଭା ଆୟୋଜନ କରାଯାଇଥିଲା। କଂଗ୍ରେସ ପ୍ରଭାରି ଏ ଚେଲାକୁମାର, ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରାର୍ଥୀ ମମତା କୁଣ୍ଡୁ ଓ ଅନ୍ୟ ନେତା କର୍ମୀମାନେ ଏହି ସଭାରେ ଉପସ୍ଥିତ ଥିଲେ। ଏହି ସଭାରେ ମଧ୍ୟ ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରାଯାଇ ମଞ୍ଚକୁ ଅନ୍ଧାର କରାଯାଇଥିଲା। ସେହିଭଳି ରାଜ୍ୟର ବିଭିନ୍ନ କୋଣଅନୁକୋଣରେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରି ଲୋକେ ୧୫ ମିନିଟ ପାଇଁ ନିଜ ଘରକୁ ଅନ୍ଧାର କରି ରଖିଥିଲେ। ତେଣୁ ମହାସଂଘର ସଭାପତି ପଞ୍ଚାନନ କାନୁନଗୋ ଏହି ଆନ୍ଦୋଳନକୁ ସମର୍ଥନ କରିଥିବା ସମସ୍ତ ରାଜନୈତିକ ଦଳ, ନେତା, ସାମାଜିକ କର୍ମୀ, ସମାଜସେବୀ ଓ ସମସ୍ତ ଉପଭୋକ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ଚଳିତ ବର୍ଷ ଅକ୍ଟୋବର ମାସରୁ ବିଜୁଳି ୟୁନିଟ୍‌ ପିଛା ୨୦ ପଇସା ଦର ବୃଦ୍ଧି କରିଛନ୍ତି।