ଭୁବନେଶ୍ବର: ଡେଟିଂ ଆପ୍ରେ ଫସାଇଲେ। ପରେ ସମ୍ପୃକ୍ତ ଯୁବକଙ୍କୁ ଡାକି ମାଡ଼ ମାରିବା ସହ ଲୁଟ୍ପାଟ୍ କଲେ। ଏତିକିରେ ମନ ଶାନ୍ତ ହେଲାନି ଯେ, ନର୍ଦ୍ଦମା ପାଣି ପିଆଇ ଘର ଲୋକଙ୍କଠାରୁ ଅଧିକ ଟଙ୍କା ଆଣିବାକୁ ଚାପ ପକାଇଲେ। ଏଭଳି ଏକ ଘଟଣା ଘଟିଛି ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟନଗର ଅଞ୍ଚଳରେ। ଏହି ଘଟଣାରେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇ ଯାଇଛନ୍ତି।
ସୂଚନା ମୁତାବକ, କେନ୍ଦ୍ରାପଡ଼ାର ଜିତେନ୍ଦ୍ର ଲେଙ୍କା (ଛଦ୍ମନାମ) ଭୁବନେଶ୍ବରରେ ଏକ ହୋଟେଲରେ ଵେଟର ଭାବେ କାମ କରନ୍ତି। ସେ ଟିଣ୍ଡର୍ ଡେଟିଂ ଆପ୍ରେ ଏକ ଆକାଉଣ୍ଟ ଖୋଲିଥିବା ବେଳେ ସେହି ଗ୍ରୁପ୍ର ଅନ୍ୟ ଜଣେ ଯୁବକ (ଡେଲିଭରି ବଏ) ତାଙ୍କ ସହ ଫୋନ୍ରେ ଯୋଗାଯୋଗ କରିଥିଲେ। ଯୌନ ସୁଖ ମେଣ୍ଟାଇବା ପାଇଁ ଅଭିଯୋଗକାରୀ ଜଣକ ଡେଲିଭରି ବଏ କଥାରେ ରାଜି ହୋଇ ସତ୍ୟନଗର ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଜାଗାରେ ଛିଡ଼ା ହୋଇଥିଲେ। ଯୁବକଜଣକ ଏକ ବାଇକ୍ରେ ଆସି ଜିତେନ୍ଦ୍ରଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇଯାଇଥିଲା। ସେଠାରେ ପୂର୍ବରୁ ୪ଜଣ ଯୁବକ ଥିଲେ। ଜିତେନ୍ଦ୍ର ନିଜକୁ ଅସୁରକ୍ଷିତ ମଣିବାରୁ ତାଙ୍କୁ ଡାକିଥିବା ଡେଲିଭରି ବଏକୁ ଗାଳି କରିଥିଲେ। ତା’ପରେ ଜିତେନ୍ଦ୍ରଙ୍କୁ ଡେଲିଭରି ବଏ ଓ ତା’ର ଅନ୍ୟ ୪ ସାଥୀ ମିଳିତ ଭାବେ ଆକ୍ରମଣ କରିଥିଲେ। ଏମିତିକି ତାଙ୍କୁ ବିବସ୍ତ୍ର କରି ମାରଣାସ୍ତ୍ର ଦେଖାଇଲେ।
ଏକତ୍ରିତ ହୋଇ ନିର୍ଧୂମ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା ଏଟିଏମ୍ କାର୍ଡ ଲୁଟ୍ କରିଥିଲେ। ଏମିତିକି ନର୍ଦ୍ଦମା ପାଣି ପିଆଇ ଅଧିକ ଟଙ୍କା ଆଣିବାକୁ ପରିବାର ଲୋକଙ୍କୁ ଫୋନ୍ କରିବା ଲାଗି ଚାପ ମଧ୍ୟ ପକାଇଲେ। ଜିତେନ୍ଦ୍ର କୌଶଳକ୍ରମେ ନିଜ ରୁମ୍ମେଟ୍ଙ୍କୁ ବିପଦରେ ପଡ଼ିଥିବା ଜଣାଇ ମେସେଜ୍ କରିବା ସହ ଲାଇଭ୍ ଲୋକେସନ ପଠାଇଥିଲେ। ତାଙ୍କ ରୁମ୍ମେଟ୍ ଏ ସମ୍ପର୍କରେ ପୁଲିସକୁ ଜଣାଇବା ସହ ଲାଇଭ୍ ଲୋକେସନ୍ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ନିର୍ଯାତନା ଦେଇଥିବା ୩ଜଣ ଯୁବକଙ୍କୁ କାବୁ କରିଥିଲା। ମାତ୍ର ଆଉ ୨ଜଣ ଚମ୍ପଟ ମାରିଥିଲେ। ଗିରଫ ତିନି ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା କରିବା ସହ ଲୁଟ୍ ଓ ନିର୍ଯାତନା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।