କ‌ଲ୍ଲୋଳ ଆୱାର୍ଡସ୍-୨୦୧୯ : ୪୯ କ୍ଷୁଦ୍ର ଚଳଚ୍ଚିତ୍ରରୁ ପୁରସ୍କୃତ ହେଲେ ୫

ଭୁବନେଶ୍ବର : ସ୍ବେଚ୍ଛାସେବୀ ସଂଗଠନ ‘ଆଇନା’ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ଚଳିତ ବର୍ଷ ବିଭିନ୍ନ ବର୍ଗରୁ ୫ଟି କ୍ଷୁଦ୍ର ଚଳଚ୍ଚିତ୍ରକୁ କଲ୍ଲୋଳ ଆୱାର୍ଡସ୍- ୨୦୧୯ ପୁରସ୍କାର ମିଳିଛି। ଚଳିତ ବର୍ଷ ପ୍ରତିଯୋଗିତାର ୫ମ ସଂସ୍କରଣରେ ମୋଟ୍ ୪୯ଟି କ୍ଷୁଦ୍ର ଚଳଚ୍ଚିତ୍ର ଅଂଶ ଗ୍ରହଣ କରିଥିଲେ, ଯାହାକି ପୂର୍ବ ବର୍ଷମାନଙ୍କ ତୁଳନାରେ ବେଶ୍ ଅଧିକ ଥିଲା। ‘ସୁପୋଷଣ ଓ ସୁସ୍ଥ ଜୀବନଯାପନ ଶିଶୁମାନଙ୍କ ଅଧିକାର’ ଉପରେ ଆଧାରିତ ସମସ୍ତ ଚଳଚ୍ଚିତ୍ର ବେଶ୍ ସୁନ୍ଦର ହୋଇଥିଲା। ଏନେଇ ପୁରସ୍କାର ବିତରଣୀ ଉତ୍ସବ‌ରେ ଅତିଥିମାନେ ନିର୍ମାତାମାନଙ୍କୁ ପ୍ରଶଂସା କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ବଲିଉଡ୍‌ ଅଭିନେତ୍ରୀ ନନ୍ଦିତା ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ରାଜ୍ୟ ସରକାରଙ୍କ ସାମାଜିକ କଲ୍ୟାଣ ବିଭାଗ ଅଧିକାରୀ ତଥା ଆଇସିଡିଏସ୍‌ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ୍, ୟୁନିସେଫ୍ ଅଧିକାରୀ ମୋନିକା ଓ ନିଲ୍‌ସନ୍‌, ‘ମୋ କଲେଜ’ ଅଧ୍ୟକ୍ଷ ପୂର୍ବତନ ବିଧାୟକ ଆକାଶ ଦାସନାୟକ, ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର ଓ ଅଳଙ୍କାର ଟିଭିର ଦେବୀଦତ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାରେ ଯୁବ ପ୍ରତିଭାମାନେ ବଡ଼ ସୁନ୍ଦର କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ସେମାନଙ୍କର ଦକ୍ଷତା ପ୍ରତିପାଦନ କରିଥିବା ଯେତିକି ପ୍ରଶଂସନୀୟ କଥା, ତା’ଠାରୁ ଅଧିକ ବଡ଼ କଥା ଥିଲା ରାଜ୍ୟରେ ଚାଲିଥିବା ଶିଶୁଙ୍କୁ ସୁପୋଷଣ କାର୍ଯ୍ୟକ୍ରମ ଉପରେ ଚଳଚ୍ଚିତ୍ର ନିର୍ମାଣ। ଏହାଦ୍ବାରା ଏହି ଜନକଲ୍ୟାଣମୂଳକ ଯୋଜନାଟି ଅଧିକ ଲୋକାଭିମୁଖୀ ହୋଇପାରିବ ବୋଲି ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମକୁ ଆଇନାର ସମ୍ପାଦିକା ସ୍ନେହା ମିଶ୍ର, ୟୁନିସେଫ୍‌ର ଲୋପାମୁଦ୍ରା, ତ୍ରିପାଠୀ, ସୌରଭ ଭଟାଚାର୍ଯ୍ୟ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର