ବିଏମ୍‌ସି ହେଲ୍‌ପ ଲାଇନ୍‌‌ରେ ଦିନକୁ ଆସୁଛି ୫୦୦ ଅଭିଯୋଗ

ବିଭିନ୍ନ ଜିଲ୍ଲାର ଲୋକ ବି ଅଭିଯୋଗ ବାଢ଼ୁଛନ୍ତି, କୁକୁର ପାଇଁ ଆମ୍ବୁଲାନ୍ସ ପଠାଅ, ଆମେ ଦିନ ମଜୁରିଆ, ଖାଇବୁ କ’ଣ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସାରା ରାଜ୍ୟ‌ରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏ ପରିପ୍ରେକ୍ଷୀରେ ରାଜଧାନୀରେ ଲୋକଙ୍କ ଅଭିଯୋଗ ଶୁଣିବା ଓ ଏହାର ସମାଧାନ ପାଇଁ ଦୁଇଟି ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ଲୋକମାନେ ୧୯୨୯ ଏବଂ ୧୮୦୦୩୪୫୦୦୬୧ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ଭୁବନେଶ୍ବର ସେଣ୍ଟରରେ ୨୪ ଘଣ୍ଟା ଲୋକଙ୍କ ଅଭିଯୋଗ ରଖାଯାଉଛି। ହେଲେ ଏହି ଦୁଇ ନମ୍ବରକୁ ରାଜଧାନୀବାସୀ ଯେତିକି ଫୋନ୍ କରୁନାହାନ୍ତି, ତା’ଠାରୁ ଅଧିକ ବାହାର ଜିଲ୍ଲାର ଲୋକ ଫୋନ୍ କରୁଛନ୍ତି। ଯାହା ଏବେ କଣ୍ଟ୍ରୋଲ ରୁମ୍‌ରେ ବସୁଥିବା କର୍ମଚାରୀଙ୍କ ଚିନ୍ତା ବଢ଼ାଇ ଦେଇଛି।

କଣ୍ଟ୍ରୋଲ ରୁମ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ଦିନକୁ ପ୍ରାୟ ୫୦୦ ଅଭିଯୋଗ ଆସୁଛି। ବିଏମ୍‌ସିର ଟୋଲ୍‌ ଫ୍ରି ନମ୍ବର ୧୮୦୦୩୪୫୦୦୬୧ରେ ୧୯୨୯ ଟୋଲ୍‌ ଫ୍ରି ନମ୍ବର ସଂଯୋଗ କରାଯିବା ପରେ ଅଭିଯୋଗ ସଂଖ୍ୟା ବଢ଼ୁଛି। ହେଲେ ଭୁବନେଶ୍ବର ବାହାରୁ ଅଧିକ ଅଭିଯୋଗ ଆସୁଛି। ଯେଉଁମାନେ ଭୁବନେଶ୍ବର ବାହାରୁ ଅଭିଯୋଗ କରୁଛନ୍ତି, ସେମାନଙ୍କୁ କ’ଣ କରିବାକୁ ପଡ଼ିବ, ସେନେଇ ପରାମର୍ଶ ଦିଆଯାଉଛି। ଭୁବନେଶ୍ବରର କେହି ଅଭିଯୋଗ କଲେ ସେମାନଙ୍କ ଅଭିଯୋଗ ସମାଧାନ ନେଇ ପଦକ୍ଷେପ ନିଆଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାର ଜଣେ ଲୋକ ଫୋନ୍ କରି କହିଲେ ଯେ ମୋ କୁକୁର ଦେହ ଖରାପ ଅଛି। ତାକୁ ହସ୍ପିଟାଲ ନେବି। ଆମ୍ବୁଲାନ୍ସ ପଠାନ୍ତୁ। ଏହାପରେ କଣ୍ଟ୍ରୋଲ ରୁମ୍ କର୍ମଚାରୀ କହିଥିଲେ କୁକୁର ପାଇଁ ଆମ୍ବୁଲାନ୍ସ ନାହିଁ। ଏହାପରେ ପ୍ରବଳ ଗାଳି ଦେଇ ଫୋନ୍ କାଟିଦେଲେ। ସେହିପରି ଗତକାଲି ସକାଳୁ କୋରାପୁଟର ଜଣେ ଲୋକ ଫୋନ୍‌ କରି କହିଲେ ଯେ ଏଠାରେ ଆଳୁ କେଜି ୩୫ ଟଙ୍କାରେ ବିକ୍ରି ହେଉଛି। ଦୋକାନୀକୁ ବାନ୍ଧ। ଆଉ କିଛି ଲୋକ ଫୋନ୍‌ କରି କହିଥିଲେ, ଆମେ ଦିନମଜୁରିଆ, କାମଧନ୍ଦା ମିଳୁନି। କ’ଣ ଖାଇବୁ, କେମିତି ଚଳିବୁ। ସରକାରଙ୍କୁ କୁହ ଆମ ପାଇଁ କିଛି କରିବେ।

କେନ୍ଦ୍ରାପଡ଼ାର ଅନ୍ୟ ଜଣେ ଫୋନ୍ କରି କହିଲେ ଯେ ଆମ ଅଞ୍ଚଳକୁ କୋଲକାତା, ବେଙ୍ଗାଲୁରୁ, ହରିୟାଣାରେ କାମ କରୁଥିବା କିଛି ଯୁବକ ଆସିଛନ୍ତି। ସେମାନଙ୍କର ଥଣ୍ଡା, ଛିଙ୍କ ହେଉଛି। ସେମାନେ ବାହାରେ ବୁଲୁଛନ୍ତି। ସେମାନଙ୍କୁ କରୋନା ହୋଇଛି କି ନାହିଁ, ପରୀକ୍ଷା କରାଯାଉ। କଣ୍ଟ୍ରୋଲ ରୁମ୍‌ରୁ ଉତ୍ତର ମିଳିଥିଲା, ସ୍ଥାନୀୟ ଥାନାକୁ ଜଣାଅ। ଏହାପରେ ଫୋନ୍ କରିଥିବା ଲୋକଜଣଙ୍କ କହିଥିଲେ ଥାନାରେ ଅଭିଯୋଗ କରିଥିଲୁ। ହେଲେ କିଛି ଶୁଣିଲେନି। ଏହାପରେ କଣ୍ଟ୍ରୋଲ ରୁମ୍‌ ପକ୍ଷରୁ କୁହାଯାଇଥିଲା ଯେ ବିଡିଓଙ୍କୁ ଦେଖା କର। ବିଡିଓଙ୍କୁ ଭେଟିଥିଲୁ କିଛି ହେଲାନି। କଣ୍ଟ୍ରୋଲ ରୁମ୍ ପକ୍ଷରୁ କୁହାଗଲା ୧୦୪ରେ ଫୋନ୍‌ କର। ଏହାପରେ ଫୋନ୍‌ କରିଥିବା ଲୋକ କଣ୍ଟ୍ରୋଲ ରୁମ୍ କର୍ମଚାରୀଙ୍କୁ ଧୂମ୍ ଗାଳି ଦେଇ ଫୋନ୍‌ କାଟି ଦେଇଥିଲେ।

କଣ୍ଟ୍ରୋଲ ରୁମ୍ କର୍ମଚାରୀ କହିଛନ୍ତି ଯେ ଏହି ନମ୍ବର କେବଳ ଭୁବନେଶ୍ବର ବାସିନ୍ଦାଙ୍କ ପାଇଁ ବୋଲି କହିବା ପରେ ବି ଲୋକ ଶୁଣୁନାହାନ୍ତି। ବାହାର ଜିଲ୍ଲାରୁ ଲୋକ ଫୋନ୍ କରୁଛନ୍ତି ହେଲେ ଆମେ ସେମାନଙ୍କ ଅଭିଯୋଗ ସମାଧାନ କରିପାରିବୁନି ବୋଲି କହିବା ପରେ ବି ସେମାନେ ବିଶ୍ବାସ କରୁନାହାନ୍ତି।

ସମ୍ବନ୍ଧିତ ଖବର