ଭୁବନେଶ୍ୱର: କଲ୍ଭର୍ଟ ହେଇଛି। ଅଥଚ ପାଣି ଯାଉନି। ନିର୍ମାଣ ଏମିତି ହୋଇଛି ଯେ, ନଳା ପାଣି କଲ୍ଭର୍ଟ ତଳେ ଯାଇଯାଇ ୨ଫୁଟ ଗଭୀରର ଗାତ ସୃଷ୍ଟି କରିଛି। ଏକରକମ ଝୁଲି ରହିଛି କଲଭର୍ଟ। ତା’ଠୁ ବଳି ଯାଇଛି ଗତ ବର୍ଷାରେ କଲଭର୍ଟ ମଝିରେ ସୃଷ୍ଟି ହୋଇଥିବା ବିରାଟ ଗାତ। ଏମିତି ଏକ ବିପଦସଙ୍କୁଳ ସ୍ଥିତି ଉପୁଜିଛି ମଞ୍ଚେଶ୍ୱର ରେଲ୍େଓ୍ଵ କଲୋନି ନିକଟ ପାତ୍ର ସାହିରେ। ଅବସ୍ଥା ଏତେ ସଙ୍ଗିନ ଯେ କେତେବେଳେ କଲ୍ଭର୍ଟ ଗଳି ପଡ଼ିବ ତାହା କହି ହେବ ନାହିଁ। ପାତ୍ର ସାହିରେ ୨ଶହରୁ ଅଧିକ ପରିବାର ରୁହନ୍ତି। ତେଣୁ ୮୦୦ରୁ ଅଧିକ ଲୋକଙ୍କ ଯାତାୟାତ ରାସ୍ତାରେ ଥିବା ଏହି ବିପଦସଙ୍କୁଳ କଲଭର୍ଟ ଏବେ ଲୋକଙ୍କ ପାଇଁ କାଳ ସାଜିଛି। ପାତ୍ର ସାହିକୁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିବାରୁ ଲୋକେ ଏହି ଗୋଟିଏ ରାସ୍ତା ଉପରେ ନିର୍ଭରଶୀଳ। କିନ୍ତୁ ଯେବେଠୁ ବର୍ଷା ଯୋଗୁଁ କଲ୍ଭର୍ଟରେ ଏଭଳି କ୍ଷତ ସୃଷ୍ଟି ହୋଇଛି ଲୋକଙ୍କୁ ମାପିଚୁପି ଯା ଆସ କରିବାକୁ ପଡ଼ୁଛି। ଗତଥର ବର୍ଷାରେ ସାଢ଼େ ୩ ଫୁଟ ଲମ୍ବ ଓ ଗଭୀରର ଗାତ କଲ୍ଭର୍ଟ ମଝିରେ ସୃଷ୍ଟି ହୋଇଥିବା ଯୋଗୁଁ ୨ ଜଣ ଗଳି ପଡ଼ିଥିଲେ। ତେଣୁ ସାହି ଲୋକ କାଠ ପକେଇ ଗାତକୁ ଘୋଡ଼ାଇ ସେହି ବାଟରେ ଯିବା ଆସିବା କରୁଛନ୍ତି।
କଲ୍ଭର୍ଟ ତଳେ ମାଟି ଧସିଯାଇ ନାଳର ସ୍ରୋତ ଫିଟିଥିବାରୁ କଲ୍ଭର୍ଟ ଝୁଲନ୍ତା ଅବସ୍ଥାରେ ରହିଛି। ଏକ ପାର୍ଶ୍ୱରେ ଫାଟ ବି ସୃଷ୍ଟି ହୋଇଛି। ଆସନ୍ତାକାଲିଠୁ ପୁଣି ୭ଦିନ ଲଗାଣ ବର୍ଷା ଥିବା ନେଇ ପାଣିପାଗ ବିଭାଗ ସୂଚେଇ ଦେଇଛି। ତେଣୁ ଏହା ଯେ କେତେବେଳେ ଭୁଶୁଡ଼ି ପଡ଼ିବ ତାହା କହିହେବ ନାହିଁ। ଏନେଇ ସ୍ଥାନୀୟ ବାସିନ୍ଦା କ୍ଷେତ୍ରମୋହନ ଦାସ କୁହନ୍ତି ଯେ, ଏ ବାବଦରେ ସ୍ଥାନୀୟ ଓ୍ଵାର୍ଡର କର୍ପୋରେଟର୍ଙ୍କୁ ଅବଗତ କରାଯାଇଥିଲା। ପରେ ସେ ଏ ବାବଦରେ ବିଏମ୍ସିକୁ ଅବଗତ କରିବାରୁ ଇଂଜିନିୟର ଏସ୍କେ ଦାସ ଘଟଣାସ୍ଥଳକୁ ଆସି ଦେଖି ଯାଇଥିଲେ। ପ୍ରଥମତଃ ଅଣଓସାରିଆ ରାସ୍ତା। ସେଥିରେ ପୁଣି କଲ୍ଭର୍ଟରେ ଏତେ ବଡ଼ ଗାତ ଯୋଗୁଁ ବାଇକ୍ ନେଇ ଯିବା ବେଳେ ଖସିପଡ଼ିବାର ଆଶଙ୍କା ରହୁଛି ବୋଲି ବରିଷ୍ଠ ନାଗରିକମାନେ କହିଛନ୍ତି। ସମସ୍ୟା ଏତିକିରେ ସୀମିତ ନୁହେଁ। ବର୍ଷେ ଆଗରୁ ଅଧା କଲ୍ଭର୍ଟ ଭାଙ୍ଗିଯାଇଥିଲା। କହିକହି କେହି ନଶୁଣିବାରୁ ସାହି ଲୋକ ଅଧା କଲ୍ଭର୍ଟ ପୋତିଥିଲେ। ଏବେ ପୁଣି ଏମିତି ସ୍ଥିତି ଉପୁଜିବା ସତ୍ତ୍ୱେ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନନେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/culvert-2.jpg)