ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିଥିଲେ; କାର୍‌ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଭୁବନେଶ୍ବର: ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ଲିଙ୍ଗରାଜ ମନ୍ଦିର ନିକଟରେ ଗତକାଲି ଏଭଳି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣା ଘଟା‌ଇଥିବା ଗାଡ଼ି ଚାଳକ କୃଷ୍ଣଚନ୍ଦ୍ର ବେହେରାକୁ ଲିଙ୍ଗରାଜ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଗେଟ୍‌ ବଜାର ଅଞ୍ଚଳର ଜୁରିନାଥ ବେବର୍ତ୍ତା ପରିବାର ସଦସ୍ୟଙ୍କ ସହ ଦୀପାବଳିରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିଥିଲେ। ପାର୍କିଂରେ ଗାଡ଼ି ରଖି ପରିବାର ସହ ଲିଙ୍ଗରାଜଙ୍କ ଦର୍ଶନ ସାରି ଗାଡ଼ି ପାଖକୁ ଫେରୁଥିଲେ। ସେହି ସମୟରେ ଲକ୍ଷ୍ମୀସାଗରରେ ରହୁଥିବା ଗୌତମ ମିଶ୍ର ଏକ ନୂଆ କାର୍‌ ଲିଙ୍ଗରାଜଙ୍କ ନିକଟରେ ପୂଜା କରିବାକୁ ଆସିଥିଲେ। ପାର୍କିଂରେ ଗାଡ଼ି ଚାଳକ ପୁରୀ ଜିଲ୍ଲା କଣାସ ଥାନା ମୋଟାରୀ ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା ଗାଡ଼ିରେ ଆଗ ଗିୟର ପକାଇବା ବଦଳରେ ପଛ ଗିୟର ପକାଇ ଦେଇଥିଲା। ଫଳରେ ଗାଡ଼ିଟି ସ୍ବାମୀ ଜୁରିନାଥଙ୍କ ସହ ସ୍ତ୍ରୀ ସୁଲୋଚନା ମହାନ୍ତି(୫୧)ଙ୍କୁ ଧକ୍କା ଦେଇ ନିକଟରେ ଥିବା ମଣ୍ଡପରେ ଚାପି ଦେଇଥିଲା। ଜୁରିନାଥ ଛିଟିକି ପଡ଼ିବାରୁ ଆହତ ହୋଇଥିଲେ। କିନ୍ତୁ କାର୍‌ ମଣ୍ଡପର ଏକ କୋଣରେ ସୁଲୋଚନାଙ୍କୁ ଚାପି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆହତ ଜୁରିନାଥଙ୍କୁ ପରିବାରବର୍ଗ ଏକ ଘରୋଇ ଡାକ୍ତରଖାନାକୁ ‌ନେଇ ଯାଇଥିଲେ। ଏନେଇ ଆହତ ଜୁରିନାଥଙ୍କ ବନ୍ଧୁ ନରସିଂହ ପାତ୍ରଙ୍କ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର