କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲା: ମେମୋରି ଚିପ୍‌ରେ ଥିଲା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଭିଡିଓ!

ଭୁବନେଶ୍ବର: କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ପଛର ମାଷ୍ଟରମାଇଣ୍ଡ ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କ ପତ୍ତା ମିଳୁନି। ପୁଲିସ ମାମଲାର ଯେତେ ଭିତରକୁ ପଶୁଛି, ସେତେ ରହସ୍ୟମୟ ଘଟଣାର ସୁରାକ୍ ପା‌ଉଛି। ଏବେ ସାମ୍ବାଦିକା ଶର୍ମିଷ୍ଠାଙ୍କ ସହ ଆଉ ଜଣେ ରହସ୍ୟମୟୀ ମହିଳା ଓ ଅନ୍ୟ ଦୁଇ ବିଶିଷ୍ଟ ଚରିତ୍ରଙ୍କ କଥା ଉଠିଛି।

ପାଵାର କରିଡରରେ ଥିଲା ସାମ୍ବାଦିକାଙ୍କ ଦବ୍‌ଦବା

ହତ୍ୟା ପରେ ପ୍ରଶାସନିକ ଅଧିକାରୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ

ଜଣେ ରହସ୍ୟମୟୀ ମହିଳାଙ୍କ ସହ ଦୁଇ ଚରିତ୍ର ସାମିଲ୍‌

ହାର୍ଡ ଡିସ୍କ ଜବତ, ଫରେନ୍‌ସିକ୍ ଲାବରେଟୋରିକୁ ପଠାଯିବ

ସେମାନେ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡରେ ମୂଳରୁ ଶେଷ ପର୍ଯ୍ୟନ୍ତ ସାମିଲ୍‌ ଥିବା ଜଣାପଡ଼ିଲାଣି। ମାନସଙ୍କ ନିକଟରେ ରହିଯାଇଥିବା ମେ‌ମୋରି ଚିପ୍‌ରେ ଯେଉଁ ସଂଗିନ୍‌ ଭିଡିଓ ଥିବା କୁହାଯାଉଛି, ତାହା ସେହି ରହସ୍ୟମୟୀ ମହିଳା ଓ ଦୁଇ ବିଶିଷ୍ଟ ଚରିତ୍ରଙ୍କର ବୋଲି ଅନୁମାନ କରାଯାଉଛି। ତେବେ ଶର୍ମିଷ୍ଠା ଗିରଫ ନହେବା ପର୍ଯ୍ୟନ୍ତ ଏସବୁ ରହସ୍ୟ ଭେଦ କରିବା ପୁଲିସ ପାଇଁ କାଠିକର ପାଠ ହୋଇପଡ଼ିଛି। ଏବେ ପୁଲିସ ମାନସଙ୍କ ଘରୁ କମ୍ପ୍ୟୁଟର ହାର୍ଡ ଡିସ୍କ ଜବତ କରି ଫରେନ୍‌ସିକ୍‌ ଲାବରେ‌ଟୋରିକୁ ପଠାଇଛି। ସେଥିରେ ହୁଏତ କୌଣସି ଭିଡିଓ ଥିବ ବୋଲି ପୁଲିସ ସନ୍ଦେହ କରୁଛି।

ଭିଡିଓରେ କ’ଣ ଅଛି?

ମାନସ ହତ୍ୟାକାଣ୍ଡ ପଛରେ ରହିଛି ସେହି ରହସ୍ୟମୟ ମେମୋରି ଚିପ୍‌। ସେଥିରେ ଥିବା ଭିଡିଓ ପାଇଁ ମାନସଙ୍କ ମୁଣ୍ଡ ଗଡ଼ିଛି। ଚିପ୍‌ ହାସଲ କରିବାକୁ ଶର୍ମିଷ୍ଠା ଶେଷରେ ଏଭଳି ଚରମ ପଦକ୍ଷେପ ନେଇଥିବାରୁ ତାହା କୌଣସି ସାଧାରଣ ଭିଡିଓ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ତେବେ ଏହି ରହସ୍ୟମୟ ଭିଡିଓଟି କଣ? ଭିଡିଓରେ କିଏ ସବୁ ଚରିତ୍ର ଅଛନ୍ତି? ସେଥିରେ ଏମିତି କି ପ୍ରକାର ଦୃଶ୍ୟ ଥିଲା?

ଏହାକୁ ନେଇ ଏବେ ସବୁ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ସେହିଭଳି ଏହି ମାମଲାରେ ଶର୍ମିଷ୍ଠାଙ୍କ ଭଳି ଜଣେ ସାମ୍ବାଦିକା ତଥା ୱେବ୍‌ ଚ୍ୟାନେଲ୍ ମାଲିକାଣୀ ସିଧାସଳଖ ସମ୍ପୃକ୍ତ ଥିବାରୁ ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କର ହାତ ରହିଛି ବୋଲି ସ୍ବାଭାବିକ ଭାବେ କୁହାଯାଉଛି। ତେଣୁ ତୁରନ୍ତ ଏହି ମାମଲା ଉପରୁ ପର୍ଦ୍ଦା ହଟିବା ଜରୁରୀ ବୋଲି ବିଭିନ୍ନ ମହଲରୁ ପୁଲିସ ଉପରେ ଚାପ ପଡ଼ୁଛି।

ବଡ଼ କଥା ହେଉଛି ଶର୍ମିଷ୍ଠାଙ୍କର ପାଵାର୍‌ କରିଡର୍‌ରେ ବେଶ୍ ଦବ୍‌ଦବା ଥିଲା। ରାଜନେତା, ପ୍ରଶାସନିକ ଅଧିକାରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଖରେ ସେ ସବୁବେଳେ ରହୁଥିଲେ। ତେଣୁ ଭିଡିଓରେ ବହୁ ଗୁମର ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏବେ ଆଉ ଏକ ସଂଗିନ୍‌ ତଥ୍ୟ ପୁଲିସ ହାତରେ ଲାଗିଛି। ହତ୍ୟାକାଣ୍ଡ ପରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ସହ ଶର୍ମିଷ୍ଠା ବାରମ୍ବାର ଫୋନ୍‌ରେ କଥା ହୋଇଥିବା ତାଙ୍କ କଲ୍ ଡିଟେଲ୍ସ ରେକର୍ଡ (ସିଡିଆର୍‌)ରୁ ପୁଲିସ ଜାଣିବାକୁ ପାଇଛି।

ହତ୍ୟାକାଣ୍ଡ ପରେ କାହିଁକି ଉକ୍ତ ପ୍ରଶାସନିକ ଅଧିକାରୀଙ୍କ ସହ କଥା ହୋଇଥିଲେ ଶର୍ମିଷ୍ଠା? ମେମୋରି ଚିପ୍‌ରେ ଥିବା ଭିଡିଓ ସହ ଉକ୍ତ ପ୍ରଶାସନିକ ଅଧିକାରୀଙ୍କର କିଛି ସମ୍ପର୍କ ରହିଛି କି? ପୁଲିସ ସ୍କାନର୍‌କୁ ଆସିଥିବା ସେହି ରହସ୍ୟମୟୀ ମହିଳା ଓ ଉକ୍ତ ପ୍ରଶାସନିକ ଅଧିକାରୀଙ୍କ କୌଣସି ଅନ୍ତରଙ୍ଗ ଭିଡିଓ ସେହି ଚିପ୍‌ରେ ଥିଲା କି? ମାନସଙ୍କୁ ହତ୍ୟା କରିବା ପୂର୍ବରୁ ସେମାନେ ଏହି ଚିପ୍‌ ହାସଲ କରିଛନ୍ତି କି? ଏମିତି ବହୁ ପ୍ରଶ୍ନ ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ବୃଦ୍ଧାଶ୍ରମ ସାଜିଥିଲା ଢାଲ

ତଳ ମହଲାରେ ବୃଦ୍ଧାଶ୍ରମ ଚାଲିଥିବା ବେଳେ ଉପରମହଲାରେ ଶର୍ମିଷ୍ଠାଙ୍କ ୱେବ୍‌ଚ୍ୟାନେଲ୍ କାର୍ଯ୍ୟାଳୟ ଚାଲିଥିଲା। ସେଠାରେ ଭିଡିଓ ସୁଟିଂ କରାଯାଉଥିଲା। ସେଠାକୁ ‌ୱେବ୍‌ଚ୍ୟାନେଲ୍‌ର କର୍ମଚାରୀଙ୍କ ସହ ବହୁ ଯୁବକଯୁବତୀ ଯିବା ଆସିବା କରୁଥିଲେ। ତଳ ମହଲାରେ ବୃଦ୍ଧାଶ୍ରମ ଥିବାବେଳେ ଉପର ମହଲାରେ ୱେବ୍‌ ଚ୍ୟାନେଲ୍‌ କାର୍ଯ୍ୟାଳୟ ଥିବାରୁ କେହି ସେଠାରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ଉପରେ ସନ୍ଦେହ କରୁନଥିଲେ। ବୃଦ୍ଧାଶ୍ରମକୁ ଢାଲ କରି ଶର୍ମିଷ୍ଠା ୱେବ୍‌ଚ୍ୟାନେଲ୍‌ କାର୍ଯ୍ୟାଳୟରେ ଅନୈତିକ କାର୍ଯ୍ୟ ଚଳାଉଥିବା ଚର୍ଚ୍ଚା ହେଉଛି।

ଶବ ଲୁଚାଇବାକୁ କସରତ

ମାନସଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଲୁଚାଇବାକୁ ହତ୍ୟାକାରୀମାନେ ବହୁ କସରତ କରିଥିବା ଜଣାପଡ଼ିଛି। ତାଙ୍କୁ ଚାନ୍ଦବାଲିରୁ ଅପହରଣ କରିବାକୁ ଯେମିତି କସରତ କରିଥିଲେ, ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ଲୁଚାଇବାକୁ ଯାଇ ସେମାନେ ବେଶ୍ କଷ୍ଟ କରିଥିବା ଜଣାପଡ଼ିଛି। ଫେବ୍ରୁଆରି ୭ ରାତିରେ ତାଙ୍କୁ ଦୟାଲ୍‌ ବୃଦ୍ଧାଶ୍ରମରେ ହତ୍ୟା କରିବା ପରେ ଭୋର୍‌ ସମୟରେ ସୁନ୍ଦରପଦା-ଜଟଣୀ ରାସ୍ତାରେ କେଉଁଠି ଶବ ପୋତିବାକୁ ଯୋଜନା କରିଥିଲେ। କିନ୍ତୁ ସମ୍ଭବ ହେଲା ନାହିଁ। ଭୋର୍‌ ୫ଟାରୁ ଅପରା‌ହ୍ଣ ୫ଟା ପର୍ଯ୍ୟନ୍ତ ସେମାନେ ଶବକୁ କାର୍‌ରେ ରଖିବା ପରେ ନୟାଗଡ଼ ନେବାକୁ ଯୋଜନା କରିଥିଲେ। ଶେଷରେ ରାତିରେ ରଣପୁର ଥାନା ବଧିପାଟଣା ପାହାଡ଼ ପାଦଦେଶରେ ଶବକୁ ପୋତି ଦେଇଥିଲେ।

ରାଜ୍‌ କିଏ?

ମାନସକୁ ହତ୍ୟା କରିବା ପାଇଁ ଶର୍ମିଷ୍ଠା ଯେତିକି ତତ୍ପର ନଥିଲେ, ଉକ୍ତ ରହସ୍ୟମୟୀ ମହିଳା ସେତିକି ବ୍ୟଗ୍ର ଥିଲେ। ଉକ୍ତ ମହିଳାଙ୍କ ସହଯୋଗୀ ରାଜ୍‌ ଶବ ଲୁଚାଇବାକୁ ସୁଚିନ୍ତିତ ଯୋଜନା ପ୍ରଣୟନ କରିଥିଲେ। ପୁଲିସ ରାଜ୍‌ ବାବଦରେ କିଛି ସୁରାକ୍‌ ପାଇଥିଲେ ବି ତାକୁ ଗିରଫ କରିନଥିବାରୁ ତା’ ବାବଦରେ ମୁହଁ ଖୋଲିନାହିଁ। ବଡ଼ କଥା ହେଉଛି ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରିବାଠାରୁ ନୟାଗଡ଼ରେ ପୋତିବା ପର୍ଯ୍ୟନ୍ତ ରାଜ୍ ହିଁ ଥିଲା ବୋଲି ପୁଲିସ ଜାଣିସାରିଛି। ରାଜ୍ ହିଁ ଏଥିପାଇଁ ତିନିଟି କାର୍‌ ଯୋଗାଡ଼ କରିଥିବା ଜଣାପଡ଼ିଛି। ତେବେ ଗୋଟିଏ କାର୍‌ ଜବତ ହୋଇଥିବା ବେଳେ ଅନ୍ୟ ଦୁଇଟି କାର୍‌ର ପତ୍ତା ମିଳିନାହିଁ।

ଡିଏନ୍‌ଏ ପରୀକ୍ଷା ହେବ

ପ୍ରାୟ ୩୨ ଦିନ ପରେ ମାଟି ତଳୁ ମାନସଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସାର୍ଟ, ପ୍ୟାଣ୍ଟ ସବୁ କିଛି ଠିକ୍‌ ଥିବା ବେଳେ ମୁହଁ ଓ ଶରୀରର ବହୁ ଅଂଶ ନଷ୍ଟ ହୋଇଯାଇଥିଲା। ମୃତଦେହ ମାନସଙ୍କର ବୋଲି ଚିହ୍ନଟ ହୋଇଥିଲେ ବି ଆଇନଗତ ଦୃଷ୍ଟିରୁ ଡିଏନ୍ଏ ପରୀକ୍ଷାର ଆବଶ୍ୟକତା ରହିଛି। ତେଣୁ ପୁଲିସ ମୃତଦେହରୁ ଚୁଟି, ନଖ ଓ ହାଡ଼ର ମଞ୍ଜ ଆଦି ନମୁନା ସଂଗ୍ରହ କରିଛି। ଡିଏନ୍‌ଏ ପରୀକ୍ଷା ପାଇଁ ଆବେଦନ କରାଯାଇଛି। ପରିବାର ଲୋକଙ୍କ ନମୁନା ସଂଗ୍ରହ ପରେ ଡିଏନ୍ଏ ପରୀକ୍ଷା କରାଯାଇ ମାନସଙ୍କ ମୃତଦେହ ବୋଲି ପ୍ରମାଣ ରଖିବ ପୁଲିସ।

ସ୍ଥାନାନ୍ତରିତ ହେଲେ ବୃଦ୍ଧାଶ୍ରମ ଅନ୍ତେବାସୀ

ଏହି ଘଟଣା ପରେ ଗତକାଲିଠାରୁ ଅବହେଳିତ ଅବସ୍ଥାରେ ଥିବା ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ଏୟାର୍‌ଫିଲ୍ଡ ଥାନା ପୁଲିସ ସହାୟତାରେ ସେମାନଙ୍କୁ ଜଟଣୀସ୍ଥିତ ଏକ ବୃଦ୍ଧାଶ୍ରମକୁ ନିଆଯାଇଛି। ଖାଇବା ପିଇବାରେ ସେମାନଙ୍କ କୌଣସି ଅସୁବିଧା ଯେମିତି ନହୁଏ, ସେଥିପ୍ରତି ପୁଲିସ ଧ୍ୟାନ ଦେଇଛି। ଜଟଣୀ ବୃଦ୍ଧାଶ୍ରମ ବି ଏହି ଅନ୍ତେବାସୀଙ୍କୁ ଠିକ୍‌ ଯତ୍ନ ନେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର