ଏକାମ୍ରରେ ଚାଲିଛି ବୈଠକ ଓ ଶୋଭାଯାତ୍ରା

ମସ୍‌ଜିଦ୍‌ରେ ଅନନ୍ତଙ୍କ ପ୍ରଚାର, ବିଜେପି କର୍ମୀଙ୍କୁ ଆକ୍ରମଣ

ପୁରୁଣା ଭୁବନେଶ୍ୱର : ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପାଇଁ ପ୍ରଚାର କରୁଥିବାବେଳେ ବିଜେପି ପ୍ରାର୍ଥୀ ବାବୁ ସିଂହ ଓ କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ର ବି ନିଜ ନିଜର ପ୍ରଚାର କରିଛନ୍ତି। ସକାଳ ଓ ସନ୍ଧ୍ୟାରେ ବାଇକ୍‌ ଶୋଭାଯାତ୍ରା କରିଥିବା ବେଳେ ମଧ୍ୟାହ୍ନରେ ମୁରବୀମାନଙ୍କ ସହ ବୈଠକ କରି ନିଜ ପାଇଁ ପ୍ରଚାର କରିଛନ୍ତି। ବିଜେପି ପ୍ରାର୍ଥୀ ବାବୁ ସିଂ ଆଜି ବିଭିନ୍ନ ଅଞ୍ଚଳ ପରିକ୍ରମା ବେଳେ ତାଙ୍କର ପୋଷ୍ଟର ବ୍ୟାନର ଆଦି ନଷ୍ଟ କରାଯିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେ ଆଜି ପଳାସପଲ୍ଲୀ, ଟାଙ୍ଗି ସାହି, କେଳା ସାହି, ଏରୋଡ୍ରମ ଏରିଆରେ ବୁଲିଥିବା ବେଳେ ସନ୍ଧ୍ୟାରେ ଟଙ୍କପାଣି ରୋଡ଼୍ ଅଞ୍ଚଳ, ତାରେଣୀ ବସ୍ତି, ବ୍ରହ୍ମେଶ୍ବର ପାଟଣା, କଳ୍ପନା, ପାଣ୍ଡବ ନଗର, ନୂଆଗାଁ ଆଦି ଅଞ୍ଚଳରେ ପଦଯାତ୍ରା କରି ପ୍ରଚାର କରିଥିଲେ।

ସେହିପରି କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ର ପୂର୍ବାହ୍ନରେ ମହତାବ ରୋଡ୍‌ ନାରାୟଣୀ କ୍ଲବ ରାସ୍ତାସ୍ଥିତ ତାରେଣୀ ମନ୍ଦିଠାରୁ ବାହାରି ଭୀମଟାଙ୍ଗି ତଳ ଫେଜ୍, ଭୀମଟାଙ୍ଗି ଉପର ଫେଜ୍, ପୁନାମା ଗେଟ୍‌, ତାଳବଣିଆ, ଯୋଗେଶ୍ୱର ପାଟଣା ଆଦି ଅଞ୍ଚଳରେ ପ୍ରଚାର କରିଥିଲେ। ମଧ୍ୟାହ୍ନରେ ଯଦୁପୁରରେ, ଅପରାହ୍‌ଣରେ ପୋଖରୀପୁଟରୁ ବାଇକ ଶୋଭାଯାତ୍ରାରେ ବାହାରି ଗଣ୍ଡମୁଣ୍ଡା, ଭକ୍ତମଧୁ ନଗର, ତାରେଣୀ ବସ୍ତି, ତାଳବଣିଆ, ଅନନ୍ତ ବିହାର, ଆଇଟିଇଆର୍ ଅଞ୍ଚଳ ଆଦି ପରିକ୍ରମା କରିଥିଲେ।

ମସ୍‌ଜିଦ୍‌ରେ ଅନନ୍ତଙ୍କ ପ୍ରଚାର

ଭୁବନେଶ୍ବର : ଆଜି ଶୁକ୍ରବାର ଥିବାରୁ ଭୁବନେଶ୍ବରର ବିଭିନ୍ନ ମସ୍‌ଜିଦ୍‌ରେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଭିଡ଼ ଜମିଥିଲା। ମଧ୍ୟାହ୍ନରେ ନମାଜ୍‌ ପାଠ କରିବାକୁ ସେମାନେ ମସ୍‌ଜିଦ୍‌କୁ ଆସିଥିଲେ। ଏହାର ସୁଯୋଗ ନେଇ ଭୁବନେଶ୍ବର ମଧ୍ୟର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ୟୁନିଟ-୪ ଏବଂ ୟୁନିଟ-୩ ମସ୍‌ଜିଦ୍‌ରେ ପହଞ୍ଚିଥିଲେ। ମୁସଲିମ୍‌ ସମର୍ଥକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ଅନୁରୋଧ କରିଥିଲେ।

ବିଜେପି କର୍ମୀଙ୍କୁ ଆକ୍ରମଣ

ଭୁବନେଶ୍ବର : ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ନୂଆପଲ୍ଲୀ ଥାନା ଅଧୀନ ମୁଣ୍ଡାସାହି ବସ୍ତିରେ ଜଣେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଛି। ଏଥିରେ ତାଙ୍କର ମୁଣ୍ଡ ଫାଟି ଯାଇଛି। ସେ ହେଲେ ତ୍ରିଲୋଚନ ସେଠୀ। ଆକ୍ରମଣକୁ ବିରୋଧ କରିବା ବେଳେ ତାଙ୍କ ପତ୍ନୀ ମୀନାକ୍ଷୀ ମଧ୍ୟ ଆହତ ହୋଇଛନ୍ତି। ଏ ନେଇ ତ୍ରିଲୋଚନ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର