ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ ନଷ୍ଟକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଦୁଇ ଦିନ ତଳେ ନିକଟବର୍ତ୍ତୀ ୧୦ଟି ଗାଁର ୫୦ଜଣ ଯୁବକ ଏକାଠି ହୋଇ ବିରୋଧ କରିଥିବା ବେଳେ ଆଜି ବ୍ୟାପକ ଆନ୍ଦୋଳନ କରାଯାଇଛି। ବିକାଶ ନାଁରେ ପାହାଡ଼ର ବିନାଶକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ଆଞ୍ଚଳିକ ଶିଖରଚଣ୍ଡୀ ସମିତି ପକ୍ଷରୁ ଡକାଯାଇଥିବା ସମାବେଶରେ ସାମିଲ ହୋଇଥିବା ନେତାମାନେ ପ୍ରକାଶ କରିଛନ୍ତି। ସେମାନେ କହିଥିଲେ ଯେ ଶିଖରଚଣ୍ଡୀ ମନ୍ଦିର ବିକାଶ ନାମରେ ପାହାଡ଼କୁ ବିକ୍ରି କରାଯାଇଛି। ପାହାଡ଼କୁ ଦିନ ରାତି ବଡ଼ ବଡ଼ ମେସିନ ଲଗାଇ କଟାଯାଇଛି। ଏହି ପାହାଡ଼ଟି ଅତି ପୁରାତନ ସହ ଐତିହ୍ୟ ପୀଠ। ଆଖପାଖ ୨୦ଟି ଗ୍ରାମର ଲୋକ ମା’ଙ୍କୁ ମାନୁଛନ୍ତି। ସମସ୍ତେ ଏହି ମନ୍ଦିରରେ ଏକାଠି ହେବା ସହ ଭୋଜି ଭାତ ମଧ୍ୟ କରନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପାହାଡ଼ରେ ଅନେକ ଜୀବଜନ୍ତୁ ଆଶ୍ରୟ ନେଉଥିଲେ। ମାତ୍ର ଏବେ ତାହାର ବିନାଶ କରାଯାଉଛି। ରାଜ୍ୟ ସରକାର କୌଣସି ପଲ୍ଲୀସଭା କିମ୍ବା ଜନଶୁଣାଣି ନକରି ସମ୍ପୂର୍ଣ୍ଣ ପାହାଡ଼କୁ କାଟି ଚାଲିଛନ୍ତି। ଏହାକୁ କୌଣସି ପ୍ରକା‌ରେ ବରଦାସ୍ତ କରାଯିବ ନାହିଁ।

Advertisment

ସମାବେଶରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବୁଧବାର ସମିତିର ଏକ ପ୍ରତିନିଧି ଦଳ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇ ଆସନ୍ତା ୭ଦିନ ଭିତରେ ପାହାଡ଼ କଟାଯାଉଥିବା କାର୍ଯ୍ୟକୁ ବନ୍ଦ କରିବାକୁ ନିବେଦନ କରାଯିବ। ଯଦି ଏହି ୭ ଦିନ ଭିତରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ବ୍ୟାପକ ଆନ୍ଦୋଳନ ସହ ଆଇନର ଆଶ୍ରୟ ନିଆଯିବାକୁ ସ୍ଥିର ହୋଇଛି। ବୈଠକ ପରେ ଶତାଧିକ ଯୁବକଙ୍କ ସମେତ ଗ୍ରାମ ମୁରବିମାନେ ପାହାଡ଼ ପରିଦର୍ଶନ କରି ସେଠାରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମାବେଶରେ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ, ସମିତି ସଭ୍ୟ ଅଜିତ ଶ୍ରୀଚନ୍ଦନ, ଚନ୍ଦକା ସରପଞ୍ଚ ଅଜୟ ବେହେରା ଓ ସମିତି ସଭ୍ୟ ଆକାଶ ମାଝୀ, ପଟିଆଗଡ଼ ଗ୍ରାମ କମିଟିର ଅଭୟ ଜେନା, ରଘୁନାଥପୁର ଗ୍ରାମ କମିଟି ସଭାପତି ମଣିକ ସାସମଲଙ୍କ ସମେତ ଦାରୁଠେଙ୍ଗ, ଚନ୍ଦକା, ପଟିଆ, ପଥରଗାଡ଼ିଆ, ଅନ୍ଧାରୁଆ, ରଘୁନାଥପୁର, ରଙ୍ଗମାଟିଆ, ଗାଡ଼କଣ, ପଦାସାହି, କଳାରାହାଙ୍ଗ, କଳାଝରି, ଶିଖରଚଣ୍ଡୀ ନଗର ଆଦି ଅଞ୍ଚଳର ମୁରବିମାନେ ଯୋଗ ଦେଇଥିଲେ।