ଭୁବନେଶ୍ବର ୱାଡ ନଂ. ୫୮: ବାସ୍ତବତାରେ ବିଶ୍ବାସ କରେ: ନମିତା

ଭୁବନେଶ୍ବର: ପେସା ଆଇନଜୀବୀ ହେଲେ ମଧ୍ୟ ସମାଜସେବା ନିଶାରେ ୫୮ନମ୍ବର ୱାର୍ଡରୁ ସ୍ବାଧୀନ ଭାବେ କର୍ପୋରେଟର ପଦ ପାଇଁ ଲଢ଼ୁଛନ୍ତି ନମିତା ମହାପାତ୍ର। ଆଜି ସେ ଏହି ୱାର୍ଡରେ ଜୋରଦାର ପ୍ରଚାର କରିଛନ୍ତି। ତାଙ୍କ ସହ ଏହି ୱାର୍ଡର ବିଭିନ୍ନ ବର୍ଗର ଲୋକେ ପ୍ରଚାରରେ ସାମିଲ ହୋଇଛନ୍ତି। କାହାକୁ ମିଥ୍ୟା ପ୍ରତିଶ୍ରୁତି ନ ଦେଇ ୱାର୍ଡବାସୀଙ୍କ ମୌଳିକ ସମସ୍ୟାର ସମାଧାନ ସହ ବିକାଶମୂଳକ କାର୍ଯ୍ୟ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ଆଜି ଶତାଧିକ ସମର୍ଥକଙ୍କ ସହ ଘର ଘର ବୁଲି ‘ଫଳନ୍ତି ନଡିଆ ଗଛ’ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି।

ତାଙ୍କ ସହିତ ତାଙ୍କ ଭାଇ ତଥା ପୂର୍ବତନ କର୍ପୋରେଟର ମଳୟ ମହାପାତ୍ର ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ମଳୟ ଏହି ୱାର୍ଡରୁ ଦୁଇ ଥର ସ୍ବାଧୀନ ଭାବେ ଲଢ଼ି କର୍ପୋରେଟର ହୋଇଥିଲେ। ତାଙ୍କ ସମୟରେ ଚିଲି ପୋଖରୀଠାରେ ଟଙ୍କପାଣି ପୋଲର ପ୍ରଶସ୍ତୀକରଣ, ବ୍ରହ୍ମେଶ୍ବର ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ, କମ୍ୟୁନିଟି ସେଣ୍ଟର, ରାଧାକୃଷ୍ଣନଗର, ଗଡ଼ମହାବୀର ଓ ସାମନ୍ତରାପୁର ଅଞ୍ଚଳରେ କଂକ୍ରିଟ ରାସ୍ତାର ନିର୍ମାଣ ସହ ବସ୍ତିବାସିନ୍ଦାଙ୍କୁ ଥଇଥାନ ଓ ଆଲୋକୀକରଣ କାର୍ଯ୍ୟ ହୋଇଥିଲା। ଭାଇଙ୍କର ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ନମିତା ଉଦ୍ୟମ କରିବା ସହ ୱାର୍ଡବାସୀଙ୍କ ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ଲୋକଙ୍କୁ ବୁଝାଇଥିଲେ।

ଭୁବନେଶ୍ବର ୱାଡ ନଂ. ୩୫: ଦଳୀୟ ପ୍ରାର୍ଥୀଙ୍କୁ ଟକ୍କର ଦେଉଛନ୍ତି ସୁମିତା

ବିଏମ୍‌ସି ନିର୍ବାଚନରେ ରାଜଧାନୀର ଯେଉଁ କେତୋଟି ୱାର୍ଡରେ କଡ଼ା ଲଢ଼େଇ ହେଉଛି ସେଥିରୁ ୱାର୍ଡ ୩୫ ଅନ୍ୟତମ। ଏଠାରେ ପୂର୍ବରୁ କର୍ପୋରେଟର ଥିବା ଦେବାଶିଷ ସିଟ୍‌ ଏଥର ବିଜେଡି ଟିକେଟ ନପାଇବାରୁ ତାଙ୍କ ପତ୍ନୀ ସୁମିତା ସିଟ୍‌ଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ୟୁନିଟ-୩ ଓ ୟୁନିଟ-୯ ଅଞ୍ଚଳକୁ ନେଇ ଗଠିତ ଏହି ୱାର୍ଡରେ ଦେବାଶିଷଙ୍କ ଦବ୍‌ଦବା ଥିବାରୁ ସେ ବିଜେଡି ଓ ବିଜେପିର ଦଳୀୟ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଉଛନ୍ତି।

ସୁମିତାଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି ତାଙ୍କ ସ୍ବାମୀ ଦେବାଶିଷ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କର୍ପୋରେଟର ଥିବାବେଳେ ୱାର୍ଡବାସୀଙ୍କ ପାଇଁ କ’ଣ କରିଛନ୍ତି ତାହାକୁ ହିଁ ମାଧ୍ୟମ କରି ସେ ପ୍ରଚାର ଚଳାଇଛନ୍ତି। ଆଉ ଆଗାମୀ ଦିନରେ ସେ ହିଁ ସ୍ଥାନୀୟ ବାସିନ୍ଦାଙ୍କ ସହ ୱାର୍ଡର ଉନ୍ନତି ପାଇଁ କାମ କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ସୁମିତା କହିଛନ୍ତି ଯେ, ତାଙ୍କ ସ୍ବାମୀ କର୍ପୋରେଟର ଥିବାବେଳେ ୟୁନିଟ-୯ସ୍ଥିତ ବଂଶୀବିଳାସ ଡେଭଲପମେଣ୍ଟ ସୋସାଇଟିର ୨୫ବର୍ଷର ସମସ୍ୟା ଦୂର କରିଥିଲେ। ଏଠାରେ ଶତାଧିକ ଲୋକ ରହୁଥିଲେ ହେଁ ସ୍ବେରେଜ୍‌, ଡ୍ରେନେଜ୍ ବ୍ୟବସ୍ଥା ନଥିଲା। ଯାହାକୁ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ କରାଯାଇଥିଲା। ସେହିପରି ୱାର୍ଡର ପ୍ରତି ଗଳିକନ୍ଦିରେ ଚକାଚକ୍ ରାସ୍ତା, ଡ୍ରେନ୍ ନିର୍ମାଣ ହୋଇଛି, ଷ୍ଟ୍ରିଟଲାଇଟ୍‌ ଲାଗିଛି। ବସ୍ତିରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ପାଖରେ ଛିଡ଼ା ହୋଇଥିଲେ। ତେଣୁ ୱାର୍ଡବାସୀ ତାଙ୍କୁ ନିଶ୍ଚୟ ଜିତାଇବେ ବୋଲି ସୁମିତା ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର