ଭୁବନେଶ୍ବର: ସେପ୍ଟେମ୍ବର ଶେଷ ସପ୍ତାହରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ହାତରେ ଆଉ ଅଢ଼େଇ ମାସ ଥିବା ବେଳେ ବାଣୀବିହାରରେ କ୍ୟାମ୍ପସ ରାଜନୀତି ଜୋର୍ଧରିଛି। ଛାତ୍ର ସଙ୍ଗଠନଗୁଡ଼ିକ ନିଜର ପତିଆରା ଜାହିର କରିବା ସହ କ୍ୟାମ୍ପସ୍ ସମସ୍ୟା ଆଗକୁ ଆଣିବାକୁ ଲାଗିପଡ଼ିଛନ୍ତି। ଅଣଛାତ୍ରଙ୍କୁ ତଡ଼ିବା ଓ କ୍ୟାମ୍ପସ୍କୁ ନିଶାମୁକ୍ତ କରିବା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ନେତାମାନେ ଦୁଇମାସ ତଳେ ଧାରଣା ଦେଇଥିଲେ। ଯାହାକୁ ନେଇ ସେତେବେଳେ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା। କର୍ତ୍ତୃପକ୍ଷଙ୍କ ବୁଝାସୁଝା ପରେ ବିବାଦର ସମାଧାନ ହୋଇଥିଲା। ଦିନ କେଇଟା ଯାଇଛି କି ନାହିଁ ପୁଣିଥରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। କ୍ୟାମ୍ପସ୍ରେ ଅଣଛାତ୍ରଙ୍କ ପ୍ରାଦୁର୍ଭାବ ବଢ଼ୁଥିବା ଅଭିଯୋଗ ଆଣି ଆଜି ବିଜୁ ଛାତ୍ର ଜନତା ଦଳର ନେତାମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଛାତ୍ରନେତା ପ୍ରିୟରଞ୍ଜନ ନାୟକ, ସମ୍ବିତ୍ କୁମାର ସାହୁ, ଜଗନ୍ନାଥ ସ୍ୱାମୀ, ପ୍ରଭଞ୍ଜନ ଜେନା, ପ୍ରଦୀପ ମଲ୍ଲିକ, ସମ୍ବିତ କୁମାର ସେଠୀ, ସୌମ୍ୟପ୍ରକାଶ ରାଉତ ଏକ ସାମ୍ବାଦିକ ସମ୍ମିଳନୀ କରି ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଅଣଛାତ୍ରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। କ୍ୟାମ୍ପସ୍ରୁ ଅଣଛାତ୍ର ହଟାଇବା ଦାବିରେ କିଛି ଦିନ ତଳେ ଧାରଣାରେ ବସିଥିବା ଏବିଭିପି ଛାତ୍ରନେତା ବିଶ୍ବଜିତ୍ ପାତ୍ର ଦୁଇଦିନ ତଳେ କିଛି ଗୁଣ୍ଡା ଶ୍ରେଣୀୟ ଅପରାଧୀଙ୍କୁ ଏକାଠି କରି କ୍ୟାମ୍ପସ୍ରେ ବାଇକ ଶୋଭାଯାତ୍ରା କରିଥିଲେ। ଏହାଦ୍ବାରା କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଆଗକୁ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିପାରେ। ତେଣୁ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଏଦିଗରେ ପଦକ୍ଷେପ ନେବା ସହ କ୍ୟାମ୍ପସ୍ ଭିତରକୁ ଅଣଛାତ୍ର ପ୍ରବେଶ କରାଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ତେଜିଲା ବାଣୀବିହାର କ୍ୟାମ୍ପସ୍ ରାଜନୀତି
ସେପ୍ଟେମ୍ବର ଶେଷ ସପ୍ତାହରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ହାତରେ ଆଉ ଅଢ଼େଇ ମାସ ଥିବା ବେଳେ ବାଣୀବିହାରରେ କ୍ୟାମ୍ପସ ରାଜନୀତି ଜୋର୍ଧରିଛି। ଛାତ୍ର ସଙ୍ଗଠନଗୁଡ଼ିକ ନିଜର ପତିଆରା...
/sambad/media/media_files/2025/07/12/rnopasdfd-2025-07-12-06-54-38.jpg)