ଭୁବନେଶ୍ବର: ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଡ୍ରଗ୍ସ, ତମାଖୁ ଓ ମଦ୍ୟପାନମୁକ୍ତ ସୁନିଶ୍ଚିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ନିଶା ବାରଣ ହେବ। ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ବରୂପ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଶା ସେବନଠାରୁ ଦୂରେଇ ରଖିବାକୁ କ୍ୟାମ୍ପସ୍‌ରେ ଶପଥ ପାଠ କରାଯିବ। ଏଥିସହ କଲେଜରେ ଥିବା ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌), ଯୁବ ରେଡ୍‌କ୍ରସ୍‌ ସ୍ବେଚ୍ଛାସେବୀଙ୍କ ସହାୟତାରେ ସାଧାରଣ ଲୋକଙ୍କ ମଧ୍ୟରେ ନିଶା ବିରୋଧରେ ସଚେତନତା ସୃଷ୍ଟି କରାଯିବ। ଶିକ୍ଷାନୁଷ୍ଠାନରେ ଆଲୋଚନାଚକ୍ର, କର୍ମଶାଳା, ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ପରାମର୍ଶ ଦିଆଯାଇଛି।
୨୦୨୨ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଦିଗରେ ପଦକ୍ଷେପ ନିଆଯାଇଥିଲା। କୌଣସି ପ୍ରଫେସର, ଅଧ୍ୟାପକ କିମ୍ବା କର୍ମଚାରୀ ଯଦି ମଦ୍ୟପାନ/ନିଶା ସେବନ କରି କ୍ୟାମ୍ପସ୍‌କୁ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଇନ ଅନୁଯାୟୀ କ୍ୟାମ୍ପସ୍‌୍‌ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ଚଢ଼ଉ, କୋଟପା ଆଇନ-୨୦୦୩ ଅନୁଯାୟୀ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଗାଇଡ୍‌ଲାଇନ୍‌ର ସଂଶୋଧନ ନିୟମକୁ କଡ଼ାକଡ଼ି ଲାଗୁ, ୧୫ ଦିନ କିମ୍ବା ମାସକୁ ଅତିକମ୍‌ରେ ଥରେ କ୍ୟାମ୍ପସ୍‌୍‌ ଓ ହଷ୍ଟେଲରେ ସଚେତନତା କାର୍ଯ୍ୟକ୍ରମ, ସ୍ଥାନୀୟ ଡାକ୍ତର, ସାମାଜିକ କର୍ମୀଙ୍କୁ ଡାକି କାର୍ଯ୍ୟକ୍ରମ କରିବାକୁ କୁହାଯାଇଥିଲା। ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯାଏ କୌଣସି ଉଚ୍ଚଶିକ୍ଷାନୁଷ୍ଠାନରେ ଗୋଟିଏ ବି ନିୟମ ଲାଗୁ ହୋଇପାରି ନାହିଁ।

Advertisment

କଲେଜଗୁଡ଼ିକୁ ପୁଣିଥରେ ଉଚ୍ଚଶିକ୍ଷା ବିଭାଗର ଚିଠି
ରାଜଧାନୀରେ ନୂଆ ନୂଆ ନିଶା ଆପଣାଉଛନ୍ତି
ଆଲୋଚନାଚକ୍ର, କର୍ମଶାଳା କରିବାକୁ ନିର୍ଦ୍ଦେଶ

କଲେଜ କଥା ଦୂରରେ ଥାଉ। ୨୦୨୩ ନଭେମ୍ବର ମାସରେ ରାଜଧାନୀରେ ଥିବା ସର୍ବପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌୍‌ରେ ନିଶାଦ୍ରବ୍ୟ ବିକ୍ରିକୁ ବାରଣ ହୋଇଥିଲା। ପାନ, ଗୁଟ୍‌ଖା, ସିଗାରେଟ୍‌ ପରି ନିଶାଦ୍ରବ୍ୟ ବ୍ୟବସାୟ ଉପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କଟକଣା ଲଗାଇଥିଲେ। ଯଦି କୌଣସି ଦୋକାନୀ ନିଜ ବ୍ୟବସାୟିକ ପ୍ରତିଷ୍ଠାନରେ ନିଶାଦ୍ରବ୍ୟ ବିକ୍ରି କରୁଥିବା ନଜରକୁ ଆସନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ କ୍ୟାମ୍ପସ୍‌୍‌ରୁ ତଡ଼ା ଖାଇବେ। ବାରମ୍ବାର ତାଗିଦ୍‌ ସତ୍ତ୍ବେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌୍‌ରେ ନିଶାଦ୍ରବ୍ୟ ବିକ୍ରି ଉପରେ କଟକଣା ଲାଗିପାରୁ ନ ଥିବାରୁ କର୍ତ୍ତୃପକ୍ଷ ଏମିତି ପଦକ୍ଷେପ ଗ୍ରହଣ କରିଥିଲେ। ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଗଲାଣି। କୁଳସଚିବ ବଦଳିଗଲେଣି। କୁଳପତି ବଦଳିବା ଉପରେ। ତା’ସତ୍ତ୍ବେ ମଧ୍ୟ କ୍ୟାମ୍ପସ୍‌ରୁ ନିଶା କାରବାର ବନ୍ଦ ହୋଇପାରି ନାହିଁ। ବରଂ ନିଶା କାରବାରରେ ସମ୍ପୃକ୍ତ ଥିବା ଯୁବକମାନେ କ୍ୟାମ୍ପସ୍‌ରେ ପତିଆରା ଜାହିର କରୁଥିବାରୁ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟ‌ରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିଶାକୁ ନା କହିବା ସହ କ୍ୟାମ୍ପସ୍‌କୁ ଅଣଛାତ୍ରମୁକ୍ତ କରିବାକୁ ଏବେ ଦାବି ଜୋର ଧରିଛି।

ସାମାଜିକ କର୍ମୀଙ୍କ କହିବା କଥା ହେଉଛି ଯେ ବର୍ତ୍ତମାନ ସମୟରେ ଯୁବପୀଢ଼ି ଅଧିକ ମାତ୍ରାରେ ନୂଆ ନୂଆ ପ୍ରକାରର ନିଶା ପ୍ରତି ଆକର୍ଷିତ ହେଉଛନ୍ତି। ‘ହୁକ୍କା’ ଭଳି ନିଶାରେ ଯୁବପୀଢ଼ି ସମ୍ପୂର୍ଣ୍ଣ ମାତ୍ରାରେ କବଳିତ। ଭୁବନେଶ୍ୱରରେ ତ ଛତୁ ଫୁଟିଲା ଭଳି ଡିସ୍କୋ କ୍ଲବ୍‌। ଯେଉଁଥିରେ କଲେଜ ପଢ଼ୁଆ ପୁଅ ଆଉ ଝିଅମାନଙ୍କୁ ଦେଖିବାକୁ ମିଳୁଛି। ବିଶେଷକରି ବାହାର ରାଜ୍ୟରୁ ଆସି ଏଠାକାର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ପିଲାମାନେ ଏଇ କ୍ଲବ୍‌ରେ ବେଶୀ ସମୟ ଅତିବାହିତ କରିଥାନ୍ତି। ବେଳେବେଳେ ଏସବୁ ଜାଗାଗୁଡ଼ିକରେ ଚଢ଼ଉ ହେଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୋକାଯାଇପାରି ନାହିଁ। ସହରରେ ରହୁଥିବା କିଛି ସମ୍ଭ୍ରାନ୍ତ ଶ୍ରେଣୀର ପିଲାମାନେ ମଧ୍ୟ ଏବେ ଏଇ ରାସ୍ତାରେ ଚାଲିଛନ୍ତି, ଯାହାକି ସଂପୃକ୍ତ ପରିବାର ପାଇଁ ଚିନ୍ତାର ବିଷୟ ପାଲଟିଛି।