ଭୁବନେଶ୍ବର: ଦୟାୱେଷ୍ଟ କେନାଲ ତଳେ ଯାଇଥିବା ସାଇଫନ୍ରେ ଜଳ ନିଷ୍କାସିତ ହୋଇ ନପାରି ଲୋକଙ୍କ ଘରେ ପଶିଛି। ଏଥିପାଇଁ କେନାଲ ଦୁଇ ପାଖ ରାସ୍ତାକୁ କାଟି ଦିଆଯାଇଛି। ଏବେ ଚିନ୍ତାମଣିଶ୍ବର ପଟରୁ ୬ ନମ୍ବର ଡ୍ରେନ୍ରେ ଆସୁଥିବା ପାଣି ସହ ଦୟାୱେଷ୍ଟ କେନାଲ ପାଣି ମଧ୍ୟ ଏହି ଡ୍ରେନ୍ରେ ନିଷ୍କାସନ କରାଯାଉଛି। ଗତକାଲିଠାରୁ ଅଗ୍ନିଶମ, ବିଏମ୍ସି କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ବୁଡ଼ିଥିବା ଘରୁ ନର୍ଦ୍ଦମା ପାଣି ବାହାରିଛି। ବିଏମ୍ସିର ୨୬ ଏଚ୍ପିର ପମ୍ପ ସହ ଅଗ୍ନିଶମର ୬ଟି ଉଚ୍ଚକ୍ଷମତା ବିଶିଷ୍ଟ ପମ୍ପ ଲଗାଯାଇ ଲୋକଙ୍କ ଘରୁ ପାଣି କଢ଼ା ଯାଇଥିଲା। କେନାଲ ନିକଟରେ ଥିବା ସାରୁଗାଡ଼ିଆ, ହୁଡ଼ା ସାହି, ଚୌଧୁରୀ କଲୋନି, ଶବରସାହି, କେଳାସାହି, ଇନ୍ଦ୍ରାବତୀ କଲୋନି ଇତ୍ୟାଦି ସ୍ଥାନରେ ଲୋକଙ୍କ କୋଟି କୋଟି ଟଙ୍କାର ଆସବାପତ୍ର ନଷ୍ଟ ହୋଇଛି। ନର୍ଦ୍ଦମା ପାଣି ଛାଡ଼ିବା ପରେ ମଧ୍ୟ ଦୁର୍ଗନ୍ଧରେ ଲୋକେ ଘରେ ପଶି ପାରୁନାହାନ୍ତି। ଗତକାଲିଠାରୁ ଅନେକଙ୍କ ଘରେ ରୋଷେଇ ବନ୍ଦ ରହିଛି।
ଅନ୍ୟପଟେ ଆଜି ପୂର୍ବାହ୍ନରେ ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲ ଘଟଣାସ୍ଥାଳ ପରିଦର୍ଶନ କରି ସ୍ଥିତି ପରଖିଥିଲେ। ଏହି ସମୟରେ ସ୍ଥାନୀୟ କର୍ପୋରେଟର ଅମରେଶ ଜେନାଙ୍କ ସମେତ ଜଳସମ୍ପଦ ବିଭାଗ, ପୂର୍ତ୍ତ ବିଭାଗ, ବିଏମ୍ସି, ୱାଟ୍କୋ, ଟିପିସିଓଡିଏଲ୍, ଓପିଟିସିଏଲ୍ର ଅଧିକାରୀମାନେ ଉପସ୍ଥିତ ଥିଲେ। ପାଖରେ ବିଏମ୍ସି କମିସନର ଓ ଅନ୍ୟ ଅଧିକାରୀଙ୍କୁ ପାଇ ସ୍ଥାନୀୟ ଲୋକ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ବାରମ୍ବାର ନର୍ଦ୍ଦମା ପାଣି ଘରେ ପଶୁଥିଲେ ହେଁ କାହିଁକି ପୂର୍ବରୁ ଏହାର ସମାଧାନ କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ।
ସୂଚନାଯୋଗ୍ୟ, ଦୟାୱେଷ୍ଟ କେନାଲ ତଳେ ହୋମ୍ ପାଇପ୍ ଜରିଆରେ ୬ ନମ୍ବର ଡ୍ରେନ୍ପାଣି ନିଷ୍କାସନ ପାଇଁ ଯୋଜନା ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଯାହାଫଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ୍ଷ୍ମୀସାଗରରୁ ବଡ଼ଗଡ଼ ଯାତାୟାତ ବିଛିନ୍ନ ହୋଇଛି। ଆଜି ବଡ଼ଗଡ଼ ଆସିବା ଲୋକଙ୍କୁ କଟକରୋଡ୍ ଦେଇ ବୁଲି ବୁଲି ଆସିବାକୁ ପଡ଼ିଥିଲା।
Advertisment

Sambad is now on WhatsApp
Join and get latest news updates delivered to you via WhatsApp