ଦୁଃଖ ଦେଉଛି କେନାଲ ପାଣି: ଗାଁରେ ଭାସୁଛି ପାଣି, ବ୍ୟାପୁଛି ରୋଗ

ଘରେ ଚୁଲି ବି ଜଳୁନି

ବାଲିପାଟଣା: ଆଙ୍କୁଶପୁର କେନାଲରେ ପାଣି ଆସିବା ପରେ ବନ୍ଧ ନିକଟରେ ଥିବା ଗାଁ ଗୁଡିକର ଦୁଃଖ ବଢ଼ିଯାଇଛି। ଦୁର୍ବଳ ବନ୍ଧ ଯୋଗୁଁ ଅନେକ ସ୍ଥାନରେ ଘଳିଆ ସୃଷ୍ଟି ହେଉଛି। ଫଳରେ ଗାଁ ଦାଣ୍ଡରେ ପାଣି ସୁଅ ଚାଲୁଛି। ଘର ପାଣିରେ ଭିଜୁଛି। ଚୁଲି ଓଦା ହୋଇଯିବାରୁ ରୋଷେଇ କରିବା ସମ୍ଭବ ହେଉନାହିଁ। ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ୱାର୍ଡ ନମ୍ବର ୧୭ କୁଳନ୍ତିରା ମଲ୍ଲିକ ସାହିର ଲୋକେ ଏଭଳି ହୀନସ୍ଥା ଭୋଗୁଛନ୍ତି। ପରିବେଶ ସନ୍ତସନ୍ତିଆ ରହିବାରୁ ଲୋକେ ନାନା ରୋଗର ଶିକାର ହେଉଛନ୍ତି। ଏନେଇ ଜଳସେଚନ ବିଭାଗ ନିକଟରେ ଅଭିଯୋଗ କରୁଥିଲେ ହେଁ କୌଣସି ସୁଫଳ ମିଳୁ ନ ଥିବା ଗ୍ରାମବାସୀ କହିଛନ୍ତି।

ସୂଚନା ଅନୁସାରେ, ବାଲିପାଟଣା ଜଳସେଚନ ବିଭାଗ ଅଧୀନ ଆଙ୍କୁଶପୁର କେନାଲରେ ଭରା ପାଣି ଚାଲୁଛି। କେନାଲ ବନ୍ଧ ଦୁର୍ବଳ ଯୋଗୁଁ ବହୁ ସ୍ଥାନରେ ଘଳିଆ ପଡ଼ି କେନାଲ କୂଳ ଗାଁରେ ପାଣି ପଶୁଛି। ସରାଟଶାସନ, ବେହେରା ସାହି, କୁଳନ୍ତିରା ପ୍ରଭୃତି ସ୍ଥାନରେ ଘଳିଆ ବର୍ଷ ବର୍ଷ ହେବ ପଡ଼ିରହିଛି। ସେଥିମଧ୍ୟରୁ କୁଳନ୍ତିରା ମଲ୍ଲିକ ସାହି ଅନ୍ୟତମ। ଏହି ଗାଁରେ ୧୦/୧୨ ପରିବାର ବସବାସ କରନ୍ତି। କେନାଲରେ ପାଣି ଆସିଲେ ଗାଁ ଲୋକଙ୍କ ଦୁର୍ଦଶା ବଢ଼ିଯାଉଛି। ଘଳିଆରେ ପାଣି ଆସି ଗାଁର ଚାରିପଟ ବୁଡ଼ି ରହିବା ସହ ଗାର୍ଡୱାଲ ଡେଇଁ ପାଣି ଗାଁରେ ପଶୁଛି। ରାତିରେ ଜରି କିମ୍ବା ଆଖା ପକାଇ ଲୋକେ ଘରେ ଶୋଉଛନ୍ତି। କାନ୍ଥ ପାଣିରେ ଭିଜି ଭାଙ୍ଗି ପଡୁଛି। ବହୁ ଘର ଏବେବି ବିପଦ ସଂକୁଳ ଅବସ୍ଥାରେ ରହିଛି। ସନ୍ତସନ୍ତିଆ ପରିବେଶ ଯୋଗୁଁ ଲୋକମାନେ ଥଣ୍ଡା, ଜ୍ବର ଭଳି ଅନେକ ରୋଗର ଶିକାର ହେଉଛନ୍ତି। ଦୁର୍ଗନ୍ଧ ପରିବେଶ ଭିତରେ ମଶା ଓ ପୋକଜୋକ ଦାଉ ସାଧୁଛନ୍ତି। ପିଇବା ପାଣି ପାଇଁ ବସିଥିବା ଏକ ମାତ୍ର ନଳକୂପ ମୂଳରେ ଅପରିଷ୍କାର ପାଣି ଜମି ରହୁଛି। ସେଇ ନଳକୂପ ପାଣିକୁ ଲୋକେ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି। ଗ୍ରାମର ହୀରା ମଲ୍ଲିକ, ଛେତ ମଲ୍ଲିକ ରବୀନ୍ଦ୍ର ମଲ୍ଲିକ, ରମେଶ ମଲ୍ଲିକ କହିଛନ୍ତି କେନାଲରେ ପାଣି ଆସିବାରୁ ଏପରି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହୁଛି। ଅଭିଯୋଗ କଲେ ବି ସମାଧାନ ହେଉନାହିଁ। ବାଲିପାଟଣା ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ସମ୍ବିତ କୁମାର ସାହୁଙ୍କ ସୂଚନା ଅନୁସାରେ, ନିମାପଡ଼ା ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଆଙ୍କୁଶପୁର କେନାଲରେ ପାଣି ଛଡ଼ାଯାଇଛି। ଘଳିଆ ପଡ଼ିଥିବା ସ୍ଥାନ ତୁରନ୍ତ ମରାମତି କରାଯିବ। ପାଣି କମିବା ପରେ ଗାର୍ଡୱାଲ ପାଇଁ ବିଭାଗ ତରଫରୁ ଯୋଜନା କରାଯାଇ ସ୍ଥାୟୀ ସମାଧାନ ହେବ ବୋଲି ଯନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର