କାନାରା ବ୍ୟାଙ୍କ ଅଫିସର ସଂଘର କେନ୍ଦ୍ରୀୟ କମିଟି ବୈଠକ

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣକୁ ବିରୋଧ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣକୁ ବିରୋଧ କରିଛି କାନାରା ବ୍ୟାଙ୍କ ଅଫିସର ସଂଘ( ସିବିଓଏ)। ଏଭଳି ମିଶ୍ରଣ ଦ୍ବାରା ଉଭୟ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀମାନେ ପ୍ରଭାବିତ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ଦୁଇ ଦିନିଆ କେନ୍ଦ୍ରୀୟ କମିଟି ବୈଠକରେ ଯୋଗଦେବା ଅବସରରେ ସିବିଓଏ ମହାସଚିବ ଜି ଭି ମଣିମାରନ୍ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା କମାଇବାକୁ ସରକାର ଯୋଜନା କରିଛନ୍ତି। ସେଗୁଡ଼ିକୁ ଘରୋଇ କମ୍ପାନି ହାତକୁ ଟେକି ଦେବାକୁ ଲକ୍ଷ୍ୟ ରଖାଯାଇଛି। ବ୍ୟାଙ୍କଗୁଡ଼ିକର ମିଶ୍ରଣ ହେବା ଦ୍ବାରା ଗ୍ରାହକମାନେ ଓ ବ୍ୟାଙ୍କ କର୍ମଚାରୀ ପ୍ରଭାବିତ ହେବେ। ଏବେ ଗ୍ରାହକମାନେ ବିଭିନ୍ନ ବ୍ୟାଙ୍କ ନିକଟରୁ ଭିନ୍ନ ଭିନ୍ନ ପ୍ରକାରର ସେବା ପାଉଛନ୍ତି। ମିଶ୍ରଣ ଦ୍ବାରା ବ୍ୟାଙ୍କ ଶାଖା ସଂଖ୍ୟା କମିବ। ତେଣୁ ବ୍ୟାଙ୍କଗୁଡ଼ିକର ମନୋମୁଖୀ ବଢ଼ିବ। ଫଳରେ ଗ୍ରାହକମାନେ ଉପଯୁକ୍ତ ସେବା ପାଇ ପାରିବେ ନାହିଁ। ସେହିପରି ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିବ ବୋଲି ସେ କହିଛନ୍ତି। ଏଥିସହ ବ୍ୟାଙ୍କ ଅଫିସରଙ୍କ ସର୍ବନିମ୍ନ ବେତନରେ ସଂଶୋଧନ ଆଣିବାକୁ ମଧ୍ୟ ସିବିଓଏ ଦାବି କରିଛି। ଏହି ଅବସରରେ ସିବିଓଏ ଅଧ୍ୟକ୍ଷ ଭରଦ୍ୱାଜ୍‌ ଆରକେ, ସଭାପତି ମେହଟା ବି କେ, ଉପସଭାପତି ପି କେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର