ନ୍ଦ୍ରଶେଖରପୁର: ବୟସ ମାତ୍ର ୨୮। ବାହାଘରକୁ ଦୁଇବର୍ଷ ବି ଯାଇନି। ଭଗବାନଙ୍କ ଆଶୀର୍ବାଦ ସ୍ୱରୂପ ବାହାଘର ପରେ କୋଳକୁ ଆସିଛି ପରୀ ରୂପରେ ଝିଅଟିଏ। ନାଁ ତା’ର ସ୍ମୃତି। ସରଳ ନିଷ୍ପାପ ସ୍ମୃତି କିନ୍ତୁ ଜାଣିନି ଯେ ତା’ ମୁଣ୍ଡ ଉପରୁ ବାପା’ର ସାହାରାକୁ ଭଗବାନ କାଢ଼ି ନେଇପାରନ୍ତି। ସାଲିଆସାହି ଆଦିବାସୀ ଗାଁରେ ରହୁଥିବା ପ୍ରମୋଦ ମହାନ୍ତିଙ୍କ ଏକ ବର୍ଷର କୁନି ଝିଅ ସ୍ମୃତିର ଏହେଉଛି କରୁଣ କାହାଣୀ। ତା’ର ବାପା ପ୍ରମୋଦ ଯୁବାବସ୍ଥାରୁ ହିଁ ଦୁରାରୋଗ୍ୟ କ୍ୟାନ୍‌ସରରେ ପୀଡ଼ିତ। ଜଟଣୀ ବିସାପଡ଼ାର ମୂଳନିବାସୀ ପ୍ରମୋଦ ନିଜ ବୃଦ୍ଧ ପିତାମାତାଙ୍କ ସହିତ ସାଲିଆସାହିରେ ରହୁଛି। ଡ୍ରାଇଭର୍‌ ଭାବରେ କାମ କରୁଥିବା ପ୍ରମୋଦଙ୍କ ହସଖୁସିର ସୁନା ସଂସାର ସୁରୁଖୁରୁରେ ଚାଲୁଥିଲା। ବାପା-ମା’, ସ୍ତ୍ରୀ ଓ କୁନି ଝିଅ ସହିତ ବେଶ୍‌ ଆନନ୍ଦରେ କାଳ କାଟୁଥିଲେ ପ୍ରମୋଦ। ମାତ୍ର ହଠାତ୍‌ କାଳରୂପୀ କ୍ୟାନ୍‌ସର ପ୍ରମୋଦଙ୍କ ପରିବାରକୁ ଝଡ଼ ଭାବରେ ପଶି ଆସିଥିଲା। ନାକରୁ ରକ୍ତ ପଡ଼ିବା ସହିତ ଅସହ୍ୟ ମୁଣ୍ଡ ବିନ୍ଧାର ଚିକିତ୍ସା କରାଇବାରୁ ତାହା କ୍ରମେ କ୍ୟାନ୍‌ସର ବୋଲି ଜଣାପଡ଼ିଥିଲା। କଟକ ବଡ଼ ଡାକ୍ତରଖାନାରେ ନିଜର ସଞ୍ଚିତ ଅର୍ଥକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ ସେ। ଅପରେସନ୍‌ ହୋଇଥିଲା। କେମୋ ଲାଗିଲା। ପ୍ରାୟ ୬ମାସର ଚିକିତ୍ସା ପରେ ବର୍ତ୍ତମାନ ସାମାନ୍ୟ ସୁସ୍ଥ ହୋଇଛନ୍ତି ପ୍ରମୋଦ। ମାତ୍ର ଚିକିତ୍ସା ଜାରି ରଖିବାକୁ ପଡ଼ିବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କିନ୍ତୁ ଏଯାବତ୍‌ ହୋଇଥିବା ଚିକିତ୍ସାରେ ସ୍ୱଳ୍ପ ରୋଜଗାର କରୁଥିବା ପ୍ରମୋଦଙ୍କର ସମସ୍ତ ସଞ୍ଚିତ ଅର୍ଥ ଶେଷ ହୋଇଯାଇଛି। ଏପରିକି ପତ୍ନୀ ଓ ମା’ଙ୍କର ଗହଣାଗାଣ୍ଠି ମଧ୍ୟ ଚିକିତ୍ସାରେ ବିକ୍ରି ହୋଇଯାଇଛି। ବର୍ତ୍ତମାନ ଏହି ରୋଗ ପାଇଁ ଆବଶ୍ୟକ ଦାମୀ ଔଷଧ ଓ ଚିକିତ୍ସା ପାଇଁ କଟକ ଯିବାକୁ ମଧ୍ୟ ପାଖରେ ଟଙ୍କାଟିଏ ନାହିଁ। ଏବେ ମଧ୍ୟ ନାକରୁ ରକ୍ତ ପଡ଼ୁଛି। କଣ କରିବେ ସେ ନେଇ ଭାଳି ହେଉଛନ୍ତି। ଟିକି ଝିଅ ସ୍ମୃତିକୁ ଦେଖି କାନ୍ଦି ପକେଇଥିଲେ ପ୍ରମୋଦ। ମୁଁ ମରିଗଲେ ସେ ବେସାହାରା ହୋଇପଡ଼ିବ। ଏମିତି କହି ନିଜ କୋହକୁ ଅଟକାଇ ପାରି ନଥିଲେ ପ୍ରମୋଦ। ଘରେ ଏକମାତ୍ର ରୋଜଗାରକ୍ଷମ ପୁଅର ଏ ଅବସ୍ଥା ଦେଖି ବୃଦ୍ଧ ବାପା-ମା’ ମଧ୍ୟ ଅସହାୟ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ସ୍ୱାମୀଙ୍କ ଆରୋଗ୍ୟ କାମନା କରି ଠାକୁରଙ୍କ ପାଖରେ ମୁଣ୍ଡ ପିଟୁଛନ୍ତି ପ୍ରମୋଦଙ୍କ ଅସହାୟ ପତ୍ନୀ।

Advertisment

ସାହାଯ୍ୟ ସହଯୋଗ ମିଳିଲେ କୁନି ଝିଅ ସ୍ମୃତି ଯେ ଭବିଷ୍ୟତରେ ବେସାହାରା ହେବନାହିଁ, ଏମିତି ଦୃଢ଼ ବିଶ୍ୱାସ ରଖିଛନ୍ତି ପ୍ରମୋଦ। ସହୃଦୟ ବ୍ୟକ୍ତିଙ୍କ ସହଯୋଗ ଓ ଭଲପାଇବା ଉପରେ ପାଞ୍ଚପ୍ରାଣୀ କୁଟୁମ୍ବର ଭାଗ୍ୟ ନିର୍ଭର କରୁଛି। ପ୍ରମୋଦଙ୍କୁ ସହଯୋଗର ହାତ ବଢ଼ାଇବାକୁ ଚାହୁଁଥିବା ହୃଦୟବାନ ବ୍ୟକ୍ତିମାନେ ପ୍ରମୋଦଙ୍କ ଆକାଉଣ୍ଟ୍‌ ନମ୍ବର ୮୦୦୮୨୨୫୦୦୬୪୦୨ (ଆଇଏଫ୍‌ଏସ୍‌ସି କୋଡ଼୍‍-ଏସ୍‌ଓ୍ଵାଇଏନ୍‌ବି୦୦୦୮୦୦୮) ମାଧ୍ୟମରେ ସହଯୋଗ କରିପାରିବେ। ପ୍ରମୋଦଙ୍କୁ ଯୋଗାଯୋଗ କରିବା ନିମନ୍ତେ ୯୭୭୬୦୧୩୪୦୦/୭୩୨୭୦୯୭୩୭୦ ରେ ଯୋଗାଯୋଗ ମଧ୍ୟ କରିପାରିବେ।