ର‍୍ୟାମ୍ପ୍‌ରେ ଚାଲିଲେ କର୍କଟ ବିଜୟୀ

ଭୁବନେଶ୍ୱର: ମୁଖରେ ଥିଲା ବିଜୟ ଉଲ୍ଲାସ। ଚାଲିରେ ଝଲସୁଥିଲା ଜୀବନକୁ ଜିତି ଥିବାର ଆତ୍ମବିଶ୍ୱାସ। ଆଖିରେ ଥିଲା ପୁନର୍ଜନ୍ମକୁ ମନଭରି ଉପଭୋଗ କରିବାର ଭରପୂର ଇଚ୍ଛା। ର‍୍ୟାମ୍ପରେ କୌଣସି ମଡେଲ୍‌ ନ ଥିଲେ କିମ୍ବା ନ ଥିଲେ ଦାମୀ ଫ୍ୟାସନ୍‌ ଆଇକନ୍‌। କର୍କଟ ଭଳି ଦୁଃସାଧ୍ୟ ରୋଗକୁ ଦୃଢ଼ତାର ସହ ମୁକାବିଲା କରି ଜୀବନ ଯୁଦ୍ଧରେ ଜିତିଥିବା କର୍କଟ ବିଜୟୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ର‍୍ୟାମ୍ପ ସୋ’। ଆୟୋଜନ କରିଥିଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉମିଦେଁ’। ସ୍ଥାନୀୟ ଏକାମ୍ର ହାଟ ଖୋଲାମଞ୍ଚରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କର୍କଟ ରୋଗକୁ ନେଇ ବିଭିନ୍ନ ସଚେତନତା ବାର୍ତ୍ତା ବଣ୍ଟାଯିବା ସହ କର୍କଟ ରୋଗର ଲକ୍ଷଣ ଓ କାରଣଗୁଡ଼ିକୁ ଦର୍ଶାଯାଇଥିଲା। ଏହି ଅବସରରେ ୨୦/୨୫ଜଣ କର୍କଟ ବିଜୟୀଙ୍କ ସମେତ ଡାକ୍ତର, ଅଭିନେତା ଓ ସମାଜସେବୀମାନେ ର‍୍ୟାମ୍ପରେ ଚାଲିଥିଲେ। ଆଜିର କାର୍ଯ୍ୟକ୍ରମରେ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ, ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ଅରୂପ ପଟ୍ଟନାୟକ, ରାଜ୍ୟ ମାନବ ଅଧିକାର କମିସନ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ବିକେ ମିଶ୍ର, ବରିଷ୍ଠ ଅଭିନେତା ମିହିର ଦାସ, ପିଙ୍କି ପ୍ରଧାନ, ନମ୍ରତା ଚଢ଼ା, ସାଧନା ମିଶ୍ର, ରୀନା ରାଉତରାୟ, ଲୋରା ମହାପାତ୍ର, ଅଭିନେତା ହର ରଥ, ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ପ୍ରମୁଖ ଏଥିରେ ଉପସ୍ଥିତ ରହି କର୍କଟ ବିଜୟୀଙ୍କୁ ଶୁଭକାମନା ଦେବା ସହ କର୍କଟ ସଚେତନତା ପାଇଁ ଏକ ମାନବଶୃଙ୍ଖଳ ମଧ୍ୟ ଗଠନ କରିଥିଲେ।

ସମ୍ବନ୍ଧିତ ଖବର