କ୍ୟାପିଟାଲ ହସପିଟାଲରେ ଖୋଲିଲା କର୍କଟ ବିଭାଗ, କାର୍ଯ୍ୟକ୍ଷମ ହେଲା ଚକ୍ଷୁ ବିଭାଗର ନୂତନ ଓଟି

ଭୁବନେଶ୍ୱର: କ୍ୟାପିଟାଲ ହସପିଟାଲରେ ଖୋଲିଲା ଶୁକ୍ରବାର କର୍କଟ ବିଭାଗ ଖୋଲିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଏହି ନୂତନ ବିଭାଗର ଉଦ୍‌ଘାଟନ କରିଛନ୍ତିା ପ୍ରକାଶ ଥାଉକି କର୍କଟ ରାଜ୍ୟରେ ୨୦୧୬ ମସିହାରୁ କମ୍ପ୍ରେହେନ୍‌ସିଭ୍‌ କ୍ୟାନସର କେୟାର କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ୟାପିଟାଲ ହସପିଟାଲ, ରାଉରକେଲା ସରକାରୀ ହସପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ମାଗଣାରେ ପରାମର୍ଶ, କେମୋଥେରାପି,ଉପଶମକ ଚିକିତ୍ସା ଏବଂ ଚିକିତ୍ସା ପରବର୍ତି ସେବା ପ୍ରଦାନ ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ଡାକ୍ତରଖାନାମାନଙ୍କରେ ୬ ଶଯ୍ୟା ବିଶିଷ୍ଟ ଦିନରେ କେମୋଥେରାପି (ଡେକେୟାର) ଦିଆଯିବାର ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ଆରମ୍ଭ ହେବା ଦିନରୁ ଏ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ମାନଙ୍କରେ ୧୧,୩୩୦ ଜଣ କର୍କଟ ରୋଗୀ ବର୍ହିବିଭାଗରେ ଚିକିତ୍ସା ନିମନ୍ତେ ଆସିଛନ୍ତି । ମାଗଣାରେ ୧୦୨୮୫ ଥର କେମୋଥେରାପ ଦିଆଯାଇଛିି ।

ସେହିପରି ଚକ୍ଷୁ ବିଭାଗରେ ଏକ ନୂତନ ଓଟି ମଧ୍ୟ ମନ୍ତ୍ରୀ ଶ୍ରୀ ଜେନା ଉଦ୍‌ଘାଟନ କରିଛନ୍ତିା ସୁନେତ୍ର ଯୋଜନାରେ ଚକ୍ଷୁ ବିଭାଗର ଉନ୍ନତି କରଣ ସହିତ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଅତ୍ୟାଧୁନିକ ଯନ୍ତ୍ରପାତିର ମଧ୍ୟ ବ୍ୟବସ୍ଥା ହୋଇଛି । ଏହି ନୂତନ ଓଟି କାର୍ଯ୍ୟକ୍ଷମ ହେବା ଫଳରେ ଏଠାରେ ରେଟିନା ସର୍ଜରୀ କରାଯାଇପାରିବା ସହିତ ମୋତିବିନ୍ଦୁ ସର୍ଜରୀ ମଧ୍ୟ ଅଧିକ ସଂଖ୍ୟାରେ କରାଯାଇପାରିବ । ବର୍ତମାନ କ୍ୟାପିଟାଲ ହସପିଟାଲରେ ମଧୁମେହ ଆକ୍ରାନ୍ତ ଚକ୍ଷୁ ରୋଗୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି । ଏଥି ପାଇଁ ଆବଶ୍ୟକ ପଡୁଥିବା ବ୍ୟୟ ବହୁଳ ଇଜେକସନ ଯାହାର କି ବଜାର ମୂଲ୍ୟ ୨୦ ରୁ ୨୫ ହଜାର ଟଙ୍କା, ତାହା ରାଜ୍ୟ ସରକାରଙ୍କ ତରଫରୁ ନିରାମୟ ଯୋଜନାରେ ମାଗଣାରେ ପ୍ରଦାନ କରାଯାଉଛି ।

ସେହିପରି ବର୍ତମାନ ଆରମ୍ଭ ହେବାକୁ ଯାଉଥିବା ରେଟିନା ଚିକିତ୍ସା ମଧ୍ୟ ମାଗଣାରେ କରାଯିବ । ଏହି ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ । ଏହି ଚିକିତ୍ସା ପାଇଁ ରୋଗୀଙ୍କୁ ବାହାରେ ଘରୋଇ ଡାକ୍ତରଖାନା ମାନଙ୍କରେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ହେଲେ ଏଠାରେ ସୁନେତ୍ର ଯୋଜନାରେ ସମ୍ପୂର୍ଣ୍ଣ ମାଗଣାରେ ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତିା

ସମ୍ବନ୍ଧିତ ଖବର