ଜିପ୍‌ରେ ବୁଲିଲେ ପ୍ରାର୍ଥୀ

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ପ୍ରଚାରକୁ ନେଇ ଏବେ ତିନି ପ୍ରମୁଖ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଛି। କିଏ କେଉଁଦିନ କେଉଁଠି ପ୍ରଚାର କରିବେ ତାହାକୁ ନେଇ ଏକପ୍ରକାର କସରତ ଚାଲିଛି। ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ, ବିଜେପି ପ୍ରାର୍ଥିନୀ ଅପରାଜିତା‌ ମହାନ୍ତି ଓ କଂଗ୍ରେସ ପ୍ରାର୍ଥୀ ଇତିଶ୍‌ ପ୍ରଧାନ ଆଜି ଦିନତମାମ ଭିନ୍ନ ଭିନ୍ନ ଜାଗାରେ ପ୍ରଚାର କରିଛନ୍ତି। ସମସ୍ତ ପ୍ରାର୍ଥୀ ଜିପ୍‌ରେ ଶୋଭାଯାତ୍ରା କରି ଭୋଟ ଭିକ୍ଷା କରିଛନ୍ତି। ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ଆଜି ବିଏମ୍‌ସିର ବିଭିନ୍ନ ୱାର୍ଡ ବୁଲିଛନ୍ତି। ବିଏମ୍‌ସି ୮ ନମ୍ବର ୱାର୍ଡରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଏହାପରେ ୱାର୍ଡ ୬ ଓ ୭ ବୁଲିଥିଲେ। ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାର, ନୀଳାଦ୍ରିବିହାର, ଶିଶୁ ବିହାର, କାନନ ବିହାର ଆଦି ଅଞ୍ଚଳ ବୁଲିଥିଲେ। ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ସେଗୁଡ଼ିକର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୁଶାନ୍ତଙ୍କ ସହ ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନା, କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ଜିଲ୍ଲା ଯୁବ ସଭାପତି ଅମରଜିତ୍‌ ସେନାପତିଙ୍କ ସମେତ ସ୍ଥାନୀୟ ପୂର୍ବତନ କର୍ପୋରେଟରମାନେ ସାମିଲ ହୋଇଥିଲେ। ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତି ବି ନିଜ ସମର୍ଥକଙ୍କ ସହ ରସୁଲଗଡ଼, ଜିଜିପି କଲୋନି, ପଳାସୁଣୀ ପ୍ରଭୃତି ଅଞ୍ଚଳ ବୁଲିଥିଲେ। ସାଙ୍ଗରେ ବିଜେପିର ସ୍ଥାନୀୟ ‌ନେତାମାନେ ସାମିଲ ହୋଇଥିଲେ। ପଳାସୁଣୀ ନିକଟରେ ବିଜେପିର କେତେକ ପୁରୁଣା କର୍ମୀ ଅପରାଜିତାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ କିଛି ସମୟ ହୋହଲ୍ଲା ହୋଇଥିଲା। ବୁଝାସୁଝା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏହାପରେ ଅପରାଜିତା ସମର୍ଥକଙ୍କ ସହ ସାହିକୁ ସାହି ବୁଲି ପ୍ରଚାର କରିଥିଲେ। କଂଗ୍ରେସ ପ୍ରାର୍ଥୀ ଇତିଶ୍‌ ପ୍ରଧାନ ଆଜି  ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ୫ ପଞ୍ଚାୟତକୁ ଫୋକସ୍‌ କରିଥିଲେ। କର୍ମୀଙ୍କ ସହ ମିଶି ସେ ୫ଟି ପଞ୍ଚାୟତର ବିଭିନ୍ନ ଗାଁ ବୁଲିଥିଲେ। ସିପିଆଇ(ଏମ-ଏଲ) ପର୍ଥୀ ମହେନ୍ଦ୍ର ପରିଡ଼ା ଆଜି ସାଲିଆସାହି ଓ ନୀଳାଦ୍ରି ବିହାର ଅଞ୍ଚଳରେ ଘର ଘର ବୁଲି ନିର୍ବାଚନ ପ୍ରଚାର କରି ବସ୍ତିବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା, ଶ୍ରମିକମାନଙ୍କର ମଜୁରି ବୃଦ୍ଧି, ପିଇବା ପାଣି ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ତିନି ତାରା ପତାକା ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି।

ସମ୍ବନ୍ଧିତ ଖବର