ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଗୁରୁବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହେବ। ତା’ପୂର୍ବରୁ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ କୌଣସି ସୁଯୋଗକୁ ହାତଛଡ଼ା କରି ନ ଥିଲେ ପ୍ରାର୍ଥୀ ଓ ସମର୍ଥକ। ସଭା, ଶୋଭାଯାତ୍ରା, ପ୍ରଚାର ବନ୍ଦ ଥିବାରୁ ପ୍ରାର୍ଥୀମାନେ ସାମାଜିକ ଗଣମାଧ୍ୟମକୁ ପ୍ରଚାର ପାଇଁ ବ୍ୟବହାର କରିଛନ୍ତି। ହ୍ବାଟ‌୍‌ସଆପ୍‌, ଫେସ୍‌ବୁକ୍‌, ଟୁଇଟର ପ୍ରଭୃତି ମାଧ୍ୟମରେ ୱାର୍ଡବାସୀଙ୍କ ନିକଟରେ ପହଞ୍ଚିଛନ୍ତି। ମୋବାଇଲ୍‌ରୁ ମୋବାଇଲ୍‌କୁ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ବାର୍ତା ଘୂରି ବୁଲିଥିଲା। ରାତି ଅନିଦ୍ରା ହୋଇ କର୍ମୀମାନେ ଭୋଟରଙ୍କ ନିକଟକୁ ଭଏସ୍‌ କଲ ପଠାଇଥିଲେ। କେହି କେହି ପୁସିଂ କାର୍ଡକୁ ପଠାଉଥିବାର ଦେଖିବାକୁ ମିଳିଛି।

Advertisment

ମତଦାନ ପୂର୍ବରୁ ବ୍ଲକ ଭଏସ୍‌ କଲ ମାଧ୍ୟମରେ ପ୍ରାର୍ଥୀ ନିଜ କଣ୍ଠରେ ଭଏସ୍‌ ରେକର୍ଡ କରି ଜନସାଧାରଣଙ୍କୁ ଭୋଟ୍‌ ପାଇଁ ଅପିଲ କରିଛନ୍ତି। କର୍ପୋରେଟର ହେଲେ ୱାର୍ଡର ବିକାଶ ପାଇଁ କ’ଣ ସବୁ କରି‌ବେ? ରାସ୍ତାଘାଟ, ଆଲୋକୀକରଣ, ଡ୍ରେନ୍‌ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ‌ଦେଇଛନ୍ତି। ବୟସ୍କଙ୍କ ଲାଗି ସ୍ବତନ୍ତ୍ର ସୁବିଧା, ଯୁବପିଢ଼ିଙ୍କ ପାଇଁ କ୍ଲବ, ମହିଳାଙ୍କ ଲାଗି ସ୍ବତନ୍ତ୍ର ସୁବିଧା କରାଇ ଦେବାକୁ ଭଏସ୍‌ କଲ୍‌ରେ ପ୍ରତିଶ୍ରୁତି ଦେଇଛନ୍ତି। ବଲ୍କ ହ୍ବାଟ୍‌ସଆପ୍ ମେସେଜ୍‌ ବି କରାଯାଇଛି। ଯେଉଁଥିରେ ପ୍ରାର୍ଥୀଙ୍କ ନାମ, ୱାର୍ଡ, ଚିହ୍ନ ଭଳି ସମସ୍ତ ତଥ୍ୟ ଭୋଟରଙ୍କ ନିକଟରେ ପହଞ୍ଚିପାରିଛି। ଭୋଟ ଦେବାକୁ ଯିବା ପୂର୍ବରୁ ଭୋଟରମାନେ ତାହାକୁ ଭଲ ଭାବେ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।

କ୍ୟୁଆର କୋଡ୍ ସ୍କାନର ମାଧ୍ୟମରେ ଭୋଟର ପୁସିଙ୍ଗ କାର୍ଡକୁ ସ୍କାନ କରି ପ୍ରାର୍ଥୀଙ୍କ ବିଷୟରେ ତଥ୍ୟ ଜାଣିପାରିଛନ୍ତି। ତେବେ ହ୍ବାଟ‌୍‌ସଆପରେ ୫ରୁ ଅଧିକ ମେସେଜ ପଠାଇବା ସମ୍ଭବପର ହେଉ ନ ଥିବାରୁ କର୍ମୀଙ୍କୁ ନାକେଦମ ହେବାକୁ ପଡ଼ିଛି। ମାତ୍ର ଭଏସ ‌କଲ ଓ ମେସେଞ୍ଜର ମାଧ୍ୟମରେ ଏକାଥର‌କରେ ବହୁ ଲୋକଙ୍କ ନିକଟରେ ପହଞ୍ଚିପାରିଛନ୍ତି ପ୍ରାର୍ଥୀ।

ସେପଟେ ନେତାମା‌ନେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ଲାଗି ସୋସିଆଲ ମିଡିଆରେ ପ୍ରଚାର କରିଛନ୍ତି। ଭୋଟରଙ୍କୁ ଶୁଭେଚ୍ଛା ଜଣାଇବା ସହ ମେୟର ପ୍ରାର୍ଥିନୀ ଓ କର୍ପୋରେଟର ପ୍ରାର୍ଥୀ/ପ୍ରାର୍ଥିନୀଙ୍କୁ ଦଳୀୟ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ଭିଡିଓ ସୋ‌ସିଆଲ୍‌ ମିଡିଆରେ ଘୂରି ବୁଲିଥିଲା। ଶ୍ରୀ ଜେନା କହିଛନ୍ତି ଯେ ଆପଣମାନଙ୍କ ଆଶୀର୍ବାଦରୁ ଭୁବନେଶ୍ବର ମହାନଗର ନିଗମର ମେୟର ହୋଇ ଦୁଇ ଦୁଇ ଥର ସେବା କରିବାର ସୁଯୋଗ ପାଇଛି।

ସମସ୍ତଙ୍କ ସହଯୋଗ ଯୋଗୁଁ ଭୁବନେଶ୍ବର ମହାନଗର ନିଗମ ଦେଶର ସ୍ମାର୍ଟ ସହରର ମାନ୍ୟତା ପାଇଛି। ଏହି ବିକାଶଧାରାକୁ ଆଗକୁ ନେବା ପାଇଁ ଆପଣମାନେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ନିବେଦନ କରୁଥିବା ଦେଖିବାକୁ ମିଳିଛି। ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସାମାଜିକ ଗଣମାଧ୍ୟମରେ ଭୋଟରଙ୍କୁ ନିବେଦନ କରିଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସୋସିଆଲ୍‌ ମିଡିଆରେ ନିବେଦନ କରାଯାଇଥିବା ଦେଖିବାକୁ ମିଳିଛି।