ପୂଜା ମଣ୍ଡପ ବୁଲୁଛନ୍ତି ଆଶାୟୀ ପ୍ରାର୍ଥୀ

ଚନ୍ଦ୍ରଶେଖରପୁର: ଏ ବର୍ଷ ଶେଷ ନ ହେଲେ ଆସନ୍ତା ବର୍ଷ ପ୍ରଥମାର୍ଧରେ ସାଧାରଣ ନିର୍ବାଚନ। ଏହାସହ ୨୦୧୯ର ପ୍ରଥମ ଛ’ମାସ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ହେବା ସମ୍ଭାବନା ଅଛି। ହାତରେ କମ୍‌ ସମୟ ଥିବାରୁ ବିଧାୟକ, କର୍ପୋରେଟର, ସାଂସଦ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଶେଷକରି ପୂଜା ସମୟରେ ଯୁବଗୋଷ୍ଠୀଙ୍କ ନିକଟତର ହେବା ପାଇଁ ଆଶାୟୀ ପ୍ରାର୍ଥୀମାନେ ଏ ମଣ୍ଡପରୁ ସେ ମଣ୍ଡପ ବୁଲୁଛନ୍ତି। ଲୋକଙ୍କ ସହ ଆଲୋଚନା କରୁଛନ୍ତି। ସମସ୍ୟା ବୁଝୁଛନ୍ତି। ପୂଜା ପାଇଁ ମୋଟା ଅଙ୍କର ଚାନ୍ଦା ବି ଦେଉଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଆଶାୟୀ ନେତାଙ୍କ ଏଭଳି କାର୍ଯ୍ୟକଳାପ ଏବେ ବଢ଼ି ଯାଇଛି। ଗଣେଶ ପୂଜା ସରିବା ପରେ ଏବେ ବିଶ୍ୱକର୍ମାଙ୍କ ଆରାଧନା ଚାଲିଛି। ଶତାଧିକ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଚନ୍ଦକା ଶିଳ୍ପାଞ୍ଚଳ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି, କିଟ୍‌ ଅଞ୍ଚଳରେ ବିଶ୍ୱକର୍ମାଙ୍କ ପୂଜା ଚାଲିଛି। ସନ୍ଧ୍ୟା ହେଲେ ଏହି ସ୍ଥାନରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ ଜମୁଛି। ଜଣେ ଯିବା କ୍ଷଣି ଆଉ ଜଣେ ନେତା ଆସି ପହଞ୍ଚି ଯାଉଛନ୍ତି। ବିଜେଡି, ବିଜେପି ସମେତ କଂଗ୍ରେସ ଦଳରୁ ଟିକେଟ୍‌ ପାଇବା ପାଇଁ ଅନେକ ଆଶା କରିଛନ୍ତି। ଯେଉଁଥିପାଇଁ ସେମାନେ ପୂଜା ମଣ୍ଡପ ବୁଲି ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି। ବିଜେଡି ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ସେମାନେ ଏବେ ଏହି ଅଞ୍ଚଳରେ ଥିବା ବିଏମ୍‌ସିର ବିଭିନ୍ନ ଓ୍ଵାର୍ଡ ସମେତ ଭୁବନେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲୁଛନ୍ତି। ଯୁବକମାନଙ୍କୁ ଭେଟୁଛନ୍ତି। ସନ୍ଧ୍ୟା ସମୟରେ ମହିଳାଙ୍କ ଭିଡ଼ ହେଉଥିବାରୁ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବି ଆଶାୟୀ କୌଣସି ସୁଯୋଗ ଛାଡ଼ୁନାହାନ୍ତି।

ସମ୍ବନ୍ଧିତ ଖବର