ବିଏମ୍‌ସି ନିର୍ବାଚନ: ପ୍ରାର୍ଥୀଙ୍କ ଏଜେଣ୍ଡାରେ ନାହିଁ ବଡ଼ ପ୍ରସଙ୍ଗ

ଭୁବନେଶ୍ବର: ସହରରେ ରହିଛି ଅନେକ ପ୍ରସଙ୍ଗ ଓ ସମସ୍ୟା। ମାତ୍ର ଏସବୁ ପ୍ରସଙ୍ଗକୁ ଉଠାଇବାରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସମ୍ପୂର୍ଣ୍ଣ ବିଫଳ। କେନ୍ଦ୍ର ସରକାରଙ୍କ ବିଫଳତାକୁ ବି ସାମ୍ନାକୁ ଆଣିପାରୁନି ବିଜେଡି। ମେୟରଙ୍କଠାରୁ ଆରମ୍ଭ କରି କର୍ପୋରେଟର ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ସମସ୍ତେ କେବଳ ରାସ୍ତାଘାଟ, ଡ୍ରେନ୍‌, ଆଲୋକୀକରଣରେ ସୀମିତ ରହିଛନ୍ତି। ମୁଣ୍ଡ ଉପରେ ବିଏମ୍‌ସି ନିର୍ବାଚନ ଥିଲେ ମଧ୍ୟ କୌଣସି ବି ମେୟର ପ୍ରାର୍ଥୀଙ୍କ ଏଜେଣ୍ଡାରେ ନାହିଁ ସହରର ପ୍ରମୁଖ ପ୍ରସଙ୍ଗ। କେବଳ ଯାହା ଉପର ଠାଉରିଆ ଭାବେ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳୁଛି। ବସ୍ତିବାସିନ୍ଦାଙ୍କୁ ମୋହରା କରି ଭୋଟ ହାତେଇବାକୁ ସମସ୍ତେ ଲାଗିପଡ଼ିଛନ୍ତି। ସହରର ବିକାଶ କଥା ଆଦୌ ଚିନ୍ତା ହିଁ କରୁନାହାନ୍ତି।

ଏକ ଦଶନ୍ଧିରୁ ଅଧିକ ସମୟ ହେଲାଣି ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟବାସୀ ଯେଉଁ ସ୍ବପ୍ନ ଦେଖୁଥିଲେ ତାହା ମଉଳିଗଲାଣି। ଏପର୍ଯ୍ୟନ୍ତ ପ୍ଲାଟ୍‌ଫର୍ମର ବିକାଶ ହୋଇନାହିଁ। ବର୍ତ୍ତମାନ ବିଭିନ୍ନ ଏଟିଏମ୍‌ ଯେଉଁ ପାର୍ଶ୍ବରେ ଅଛି(ପାର୍କିଂ ଅଞ୍ଚଳ) ସେହି ଅଞ୍ଚଳରେ ନିର୍ମାଣ କରାଯିବାକୁ ସ୍ଥିର ହୋଇଥିଲେ ମଧ୍ୟ କାମ ଆଗେଇପାରିନାହିଁ। ଚଳିତ ରେଳ ବଜେଟ୍‌ରେ ଭୁବନେଶ୍ବର ରେଳ ଷ୍ଟେସନରେ ଗୋଟିଏ ନୂଆ ପ୍ଲାଟଫର୍ମ ଏବଂ ଏବେ ଥିବା ଫୁଟ୍‌ ଓଭରବ୍ରିଜ୍‌କୁ ସମ୍ପ୍ରସାରଣ ପାଇଁ ମାତ୍ର ୨.୫୩କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ବିଶ୍ବସ୍ତରୀୟ ରେଳ ଷ୍ଟେସନ ପାଇଁ ୪୫୫ କୋଟି ଟଙ୍କାର ଏକ ବଡ ବଜେଟ ଆକଳନ କରାଯାଇଥିଲା। ତିନି ବର୍ଷ ତଳେ ଯେଉଁ ୭୦କୋଟି ଟଙ୍କା ମିଳିଥିଲା ତାହା ଖର୍ଚ୍ଚ ହୋଇ ପାରିନଥିବାରୁ ମାର୍ଚ୍ଚ ୩୧ ପରେ ଫେରିଯିବାର ଆଶଙ୍କା ରହିଛି। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏହି ୭୦କୋଟି ତିନିବର୍ଷ ହେଲା ଧରିବସିବା ସତ୍ତ୍ବେ ପ୍ରକଳ୍ପ ଆରମ୍ଭ ହୋଇ ନପାରିବାରୁ ଟଙ୍କା ଫେରସ୍ତ କରିବାକୁ ଯାଉଛନ୍ତି। ଏହି ପ୍ରସଙ୍ଗରେ କୌଣସି ପ୍ରାର୍ଥୀ ମୁହଁ ଖୋଲୁନାହାନ୍ତି।

ରେଳଷ୍ଟେସନ୍ କାମ ହେଉନି, ସ୍ମାର୍ଟ ସିଟି ଅଧପନ୍ତରା
କୃତ୍ରିମ ବନ୍ୟାରେ ଭାସୁଛି ଅଧା ରାଜଧାନୀ
୬ ବର୍ଷ ବିତି ଯାଇଥିଲେ ବି ଭୁବନେଶ୍ବର ସ୍ମାର୍ଟସିଟି କାମ ଅଧପନ୍ତରିଆ। ଅନେକ ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ରାହଜାନି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ି ଚାଲିଛି। ସ୍ବରେଜ୍‌ ସଂଯୋଗୀକରଣ କାମ ୨୦୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଥିଲା। ମାତ୍ର ତାହା ମଧ୍ୟ ଅଧା ହୋଇ ପଡ଼ିଛି। କେବଳ ନାମ ଫଳକରେ ସ୍ମାର୍ଟ ସିଟି ସୀମିତ ରହିଛି। ମନ୍ଦିରମାଳିନୀ ଭୁବନେଶ୍ବରକୁ ସ୍ମାର୍ଟସିଟି କରିବା ପାଇଁ ବହୁତଳ ବାଣିଜ୍ୟିକ ମଲ୍‌, ଚିକ୍କଣ ରାସ୍ତା, ଆଲୋକମାଳାରେ ଝଲସୁଥିବା ଫୁଟ୍‌ପାଥ୍‌, ସ୍ମାର୍ଟ ଟଏଲେଟ୍‌ ବ୍ୟବସ୍ଥା, ବ୍ୟବସ୍ଥିତ ସ୍ବରେଜ୍‌ ପାଇଁ ବହୁ ଭତ୍ତିପ୍ରସ୍ତର ପଡ଼ିଥିଲା।

ରାଜଧାନୀବାସୀ ରଙ୍ଗୀନ୍ ସ୍ବପ୍ନ ବି ଦେଖିଲେ। ରାହାଗିରି କରି ବିଏମ୍‌ସି ଓ ବିଡିଏ ସରକାରୀ ତହବିଲ୍‌ରୁ କୋଟି କୋଟି ଟଙ୍କା ସାରିଲେ। ମାତ୍ର କୌଣସି ଗୋଟିଏ କାମ ସମ୍ପୂର୍ଣ୍ଣ ହୋଇପାରିଲାନି। ଏଭଳି ମାଳ ମାଳ ଅଭିଯୋଗ ନେଇ ଗତବର୍ଷ ଗର୍ଜୁଥିବା କଂଗ୍ରେସ ବିଏମ୍‌ସି ନିର୍ବାଚନ ବେଳେ ଚୁପ୍‌।

ଡ୍ରେନେଜ୍‌ ଅବସ୍ଥା ନ କହିବା ଭଲ। ଅସରାଏ ବର୍ଷାରେ ରାଜଧାନୀରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ଯେଉଁଥିପାଇଁ ୨୦୧୫ରେ ନୂଆପଲ୍ଲୀ ମମତାଜ୍ ଅଲ୍ଲୀ ହାଇସ୍କୁଲ୍‌ ନିକଟରେ ମୁକୁଳା ଡ୍ରେନ୍‌ରେ ଭାସି ଯିବାରୁ ନାବାଳକ ପୁପୁନ୍ ବିଶ୍ବାଳଙ୍କର ମୃତ୍ୟୁ ଘଟିଥିଲା। ଏହା ଭିତରେ ୭ବର୍ଷ ବିତିଯାଇଥିଲେ ମଧ୍ୟ ସହରର ମୁକୁଳା ଡ୍ରେନ୍ ସଜଡ଼ା ହୋଇପାରି ନାହିଁ। ଯେଉଁଥିପାଇଁ ବର୍ଷା ଦିନେ କେଉଁଠି କାନ୍ଥ ଭୁଶୁଡ଼ୁଛି ତ ଆଉ କେଉଁଠି ରାସ୍ତା ଧୋଇଯାଉଛି।

ଅସରାଏ ବର୍ଷାରେ ଇସ୍କନ୍‌ ମନ୍ଦିର ସମ୍ମୁଖ, ବମିଖାଲ-ରସୁଲଗଡ଼ ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ପ୍ରତିବର୍ଷ ସହରବାସୀ ଏହି ସମସ୍ୟାରେ ଆଉଟୁପାଉଟୁ ହେଉଥିଲେ ମଧ୍ୟ ସମାଧାନ ହେଉନି। ବିଏମ୍‌ସି ନିର୍ବାଚନରେ କୌଣସି ବି ରାଜନୈତିକ ଦଳ ଏହାକୁ ପ୍ରସଙ୍ଗ କରିନାହାନ୍ତି।

ଐତିହ୍ୟ କୀର୍ତ୍ତିରାଜିର ବିକାଶ ବି ଆଶାନୁରୂପ ନୁହେଁ
ତିନି ଦଳର ମେୟର ପ୍ରାର୍ଥୀ ବଡ଼ ପ୍ରସଙ୍ଗରେ ନିରବ

ଦେଶର ସ୍ମାର୍ଟ ସହରର ମାନ୍ୟତା ପାଇଥିବା ଭୁବନେଶ୍ବରରେ ଆଜି ପର୍ଯ୍ୟନ୍ତ ନାଇଟ୍‌ ଲାଇଫ୍‌ ବୋଲି କିଛି ହୋଇପାରିନାହିଁ। ହଜାରେ ଦର୍ଶକ ବସି ମନୋରଞ୍ଜନ କରିବା ପାଇଁ ସରକାରୀ ପ୍ରେକ୍ଷାଳୟ ନାହିଁ। ରାତି ୧୦ଟା ବାଜିଲେ ଦୋକାନ ବଜାରରେ ତାଲା ପଡ଼ୁଛି। ରାସ୍ତାଘାଟ ଶୂନଶାନ ହୋଇଯାଉଛି। ହକି ବିଶ୍ବକପ୍‌ ବେଳେ ପ୍ରଦର୍ଶନ ପଡ଼ିଆ ରାସ୍ତାକୁ ଚକ୍କାଚକ୍‌ କରି କିଛି ଗୋଟିଏ କରିବେ ବୋଲି ଯୋଜନା କରିଥିଲେ। ମାତ୍ର ତାହା ଫଳପ୍ରଦ ହେଲା ନାହିଁ। ଏକାମ୍ର ହାଟକୁ ନାଇଟ୍‌ ମାର୍କେଟ କରିବାକୁ ଯୋଜନା ଥିଲା, ଯାହାକି ଏବେ ଘୋଷଣାରେ ଅଟକି ଯାଇଛି।

ଐତିହ୍ୟ ସହରରେ ମାଳ ମାଳ କୀର୍ତ୍ତୀରାଜି ଥିଲେ ମଧ୍ୟ ସେଗୁଡ଼ିକର ବିକାଶ ହୋଇପାରିନାହିଁ। ନା ଖଣ୍ଡଗିରି-ଉଦୟଗିରି ରୂପରେଖ ବଦଳିଛି, ନା ଧଉଳିର ବିକାଶ ହୋଇଛି। ନା ଶିଖରଚଣ୍ଡିର ଉନ୍ନତିକରଣ। ସବୁ କିଛି କେବଳ ଘୋଷଣାରେ। ଏଭଳି ପ୍ରସଙ୍ଗକୁ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଧରି ନାହାନ୍ତି। ପ୍ରଚାର ପାଇଁ ହାତରେ ଆଉ ମାତ୍ର ୧୦ ଦିନ। ରାଜନୈତିକ ଦଳର ପ୍ରାର୍ଥୀମାନେ କେବେ ଏଜେଣ୍ଡା ପ୍ରସ୍ତୁତ କରି ଭୋଟରଙ୍କ ପାଖକୁ ଯିବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ନା ବିନା ଏଜେଣ୍ଡାରେ ପ୍ରାର୍ଥୀମାନେ ଏମିତି ପ୍ରଚାର କରୁଥିବେ।

ସମ୍ବନ୍ଧିତ ଖବର