କୁକୁଡ଼ା ଫାର୍ମ ଢାଞ୍ଚାରେ ଗଞ୍ଜେଇ ଚାଷ, ଓଡ଼ିଶା ଚାଷୀ, ଅଣଓଡ଼ିଆ ଅର୍ଥଲଗାଣକାରୀ

ବର୍ଷକୁ ୧୫ଶହ କୋଟିର ବେପାର

ଭୁବନେଶ୍ବର: କୁକୁଡ଼ା ଚାଷ ଢ଼ାଞ୍ଚାରେ ଚାଲିଛି ଓଡ଼ିଶାରେ ଗଞ୍ଜେଇ ଚାଷ। ଜଙ୍ଗଲ ଓ ପାହାଡ଼ିଆ ଉତ୍କୃଷ୍ଟ ଅଞ୍ଚଳରେ ଅଣଓଡ଼ିଆ ଅର୍ଥଲଗାଣକାରୀ ମାଫିଆମାନେ ଏହି ଚାଷ କରାଉଛନ୍ତି। ଓଡ଼ିଶାର ଆଦିବାସୀମାନଙ୍କୁ ଚାଷ ପାଇଁ ସବୁ ପ୍ରକାର ସହଯୋଗ କରୁଛନ୍ତି ଗଞ୍ଜେଇ ମାଫିଆମାନେ। ଚାଷ ସିଜିନ୍‌ ଆରମ୍ଭରୁ ବେପାରୀମାନେ ଆସି ମଞ୍ଜି, ଚାରା, ପାଣି ମୋଟର, ସାର ଓ ଚାଷ ପାଇଁ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଅନ୍ତି। ଗଛରୁ କଲି ବାହାରିଲା ପରେ ପାରିଶ୍ରମିକ ବାବଦରେ କିଛି ଟଙ୍କା ଦେଇ ସେମାନେ ରାଜ୍ୟ ବାହାରକୁ ମାଲ୍ ଚାଲାଣ କରନ୍ତି। ଆଦିବାସୀ ଚାଷୀ ଓ କିଛି ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତବାରିସି କରି ଅଣଓଡ଼ିଆ ମାଫିଆମାନେ ବର୍ଷବର୍ଷ ଧରି ଏହି କାରବାର ଚଳାଇ ଆସୁଛନ୍ତି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଦେବଗଡ଼, ଅନୁଗୁଳ ଓ ସମ୍ବଲପୁରରେ ଏହି ଅଣଓଡ଼ିଆ ବେପାରୀଙ୍କ ଉପସ୍ଥିତି ଜାହିର ରହିଛି। ବର୍ଷକୁ ପ୍ରାୟ ୧୫ଶହ କୋଟି ଟଙ୍କାର ବେପାର ହେଉଥିବା ଆକଳନ କରାଯାଉଛି। ଅଥଚ ପୁଲିସ ପ୍ରଶାସନ ଓ ଅବକାରୀ ବିଭାଗ ନିକଟରେ ଏହି ତଥ୍ୟ ପହଞ୍ଚି ପାରୁନାହିଁ। ଅନେକ ସମୟରେ ଏହାକୁ ଦେଖି ନ ଦେଖିବାର ଅଭିନୟ କରାଯାଉଛି ବୋଲି ଅଭିଯୋଗ ହୋଇଥାଏ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିହାର ଓ କେରଳର ସର୍ବାଧିକ ଗଞ୍ଜେଇ ମାଫିଆଙ୍କ ପ୍ରଭାବ ଓଡ଼ିଶାରେ ରହିଛି। ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ, କନ୍ଧମାଳ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ଏହି ଦୁଇ ରାଜ୍ୟର ମାଫିଆ ନିୟନ୍ତ୍ରଣ କରୁଛନ୍ତି। ବିଶେଷକରି ଆଦିବାସୀଙ୍କୁ ଟାର୍ଗେଟ କରନ୍ତି ଅଣଓଡ଼ିଆ ମାଫିଆମାନେ। ଅଳ୍ପ ପାରିଶ୍ରମିକରେ ସେମାନେ ଚାଷ କରନ୍ତି। ମଞ୍ଜି, ଚାରା, ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତି ମାଫିଆ। ଚାଷୀମାନଙ୍କୁ କେବଳ ଯାହା ପରିଶ୍ରମ କରିବାକୁ ପଡ଼େ, କିନ୍ତୁ ପଇସାଟିଏ ଖର୍ଚ୍ଚ କରିବାକୁ ପଡ଼ିନଥାଏ। ତେଣୁ ଲାଭ କ୍ଷତିର ହିସାବ ନଥିବାରୁ ଚାଷୀମାନେ ଏଥିପ୍ରତି ଅଧିକ ଆଗ୍ରହ କରୁଛନ୍ତି। ପ୍ରାୟ ୪ ମାସ ପରେ ଗଛରୁ କଲି ବାହାରେ ଓ ଏଜେଣ୍ଟଙ୍କ ଜରିଆରେ ମାଫିଆମାନେ ରାଜ୍ୟ ବାହାରକୁ ଚାଲାଣ କରାଯାଏ। ପରିବା ଟ୍ରକ୍, ଟ୍ୟାଙ୍କର, ଗ୍ରୋସରି ସାମଗ୍ରୀ ବାହାନାରେ ଓଡ଼ିଶା ସୀମା ଦେଇ ରାଜ୍ୟ ବାହାରକୁ ଚାଲାଣ ହେବାର ନଜିର୍ ରହିଛି। ସେହିଭଳି ସମ୍ବଲପୁର, ଦେବଗଡ଼, ଅନୁଗୁଳରେ ଗଞ୍ଜେଇ ଅମଳ ହେବା ପରେ ତାଳଚେରରୁ ଟ୍ରେନ୍‌ ଯୋଗେ ଚାଲାଣ ହୋଇଥାଏ। ଏହି ଦୁଇ ରାଜ୍ୟ ବାଦ୍ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ମାଫିଆମାନେ ମଧ୍ୟ କିଛି ଅଞ୍ଚଳକୁ ନିୟନ୍ତ୍ରଣ କରୁଛନ୍ତି।

ମାଲକାନଗିରିର ଚିତ୍ରକୋଣ୍ଡା, ମୁଦୁଲିପଡ଼ା, କୋରାପୁଟର ବୈପାରିଗୁଡା, ଲମତାପୁଟ ଆଦି ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ଏବେ ବି ରହିଛି। ଅଣଓଡ଼ିଆ ବେପାରୀମାନେ ଚାଷ କରିବା ପାଇଁ ନକ୍ସଲମାନଙ୍କ ସହ ହାତ ମିଳାଇଛନ୍ତି। ନକ୍ସଲମାନଙ୍କୁ ବିପୁଳ ଆର୍ଥିକ ସହାୟତା ଦେଇ ମାଫିଆମାନେ ପୁଲିସ ନଜରକୁ ଏଡ଼ାଇବାରେ ସକ୍ଷମ ହେଉଛନ୍ତି। ତେବେ ଗୁରୁତ୍ବପୂର୍ଣ କଥା ହେଉଛି, କେତେକ ଔଷଧ କମ୍ପାନି ମଧ୍ୟ ଏହି ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। କିଛି ଔଷଧରେ ଗଞ୍ଜେଇ ବ୍ୟବହାର ହେଉଥିବାରୁ ସେମାନେ ମଧ୍ୟ ପରୋକ୍ଷରେ ଏହି ଚାଷକୁ ସହାୟତା ଦେଉଥିବା ଜଣାପଡ଼ିଛି। କେତେକ ଘଟଣାରେ ପୁଲିସ ଓ ଅବକାରୀ ବିଭାଗର ଭୂମିକା ମଧ୍ୟ ସନ୍ଦେହ ପରିସରକୁ ଆସିଛି। ଗତ ଜୁନ୍‌ ମାସରେ କୋରାପୁଟ ପୁଲିସ ସୁନାବେଡ଼ା ଅଞ୍ଚଳରେ ବଡଧରଣର ଚଢ଼ଉ କରିଥିଲା। ଉକ୍ତ ମାମଲାରେ ପଟାଙ୍ଗୀ ଥାନା ସବ୍‌ଇନ୍‌ସ୍ପେକ୍ଟର ଗୋଲକ ନାୟକଙ୍କ ସମେତ ୨୭ ଜଣ ଗିରଫ ହୋଇଥିଲେ ଓ ୧୬୭୩ କେଜି ଗଞ୍ଜେଇ ବୋଝେଇ ୧୦ଟି ଗାଡ଼ି ଜବତ ହୋଇଥିଲା। ତେଣୁ ଗଞ୍ଜେଇ ଚୋରା ଚାଲାଣରେ କେତେକ ପୁଲିସ ଓ ଅବକାରୀ କର୍ମଚାରୀଙ୍କ ହାତ ରହିଥିବାର ପୂର୍ବ ଅଭିଯୋଗରେ ସତ୍ୟତା ରହିଛି ବୋଲି ପ୍ରମାଣିତ ହୋଇଥିଲା। ପୂର୍ବତନ ଅବକାରୀ କମିସନର ସୁଦର୍ଶନ ନାୟକ କହିଛନ୍ତି, ଓଡ଼ିଶା ଗଞ୍ଜେଇ ଦିଲ୍ଲୀ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମହାରାଷ୍ଟ୍ର ଆଦି ଅଞ୍ଚଳକୁ ଚାଲାଣ ହୋଇଥାଏ। ସେଠାରେ ପହଞ୍ଚିବା ପରେ ଏହାର ମୂଲ୍ୟ ଢ଼େର୍ ଅଧିକ ହୋଇଯାଏ। ତେଣୁ ଆନ୍ତଃରାଜ୍ୟ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ଏହି କାରବାର କମି ପାରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟରେ ପୁଲିସ ୭୦୦ କ୍ବିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଜବତ କରିଛି। ୨୦୧୯ରେ କୋରାପୁଟରେ ୧୦୨ଟି ମାମଲାରେ ୨୫୧ଜଣ ଗିରଫ ହୋଇଥିଲେ ଓ ୧୦୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା। ସେହି ବର୍ଷ ମାଲକାନଗିରିରେ ୧୩୦ଟି ମାମଲାରେ ୨୨୦ ଜଣଙ୍କୁ ଗିରଫ କରାଯାଇଥିଲା ଓ ୨୫୦ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା। ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ମାଲକାନଗିରିରେ ୨୦୦ରୁ ଅଧିକ ଗିରଫ ହୋଇଥିବା ବେଳେ ୨୫୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୮୦ ରୁ ଅଧିକ ଗାଡ଼ି ଜବତ ହୋଇଛି। ଗିରଫ ବେପାରୀ, ଏଜେଣ୍ଟ ଓ ମଧ୍ୟସ୍ଥିଙ୍କ ଭିତରୁ ପ୍ରାୟ ୬୦ ପ୍ରତିଶତରୁ ଅଧିକ ବାହାର ରାଜ୍ୟର ବୋଲି ଜଣାପଡ଼ିଛି। ତେବେ ବର୍ଷକୁ ୧୫ ଶହ କୋଟି ଟଙ୍କାର କାରବାର ଚାଲିଥିବା ବେଳେ ଧରାପଡ଼ିଥିବା ମାଲ୍ ବେଶ୍ କମ୍ ବୋଲି ଜଣାପଡ଼ିଛି। କରୋନା କଟକଣାରେ ଗଞ୍ଜେଇ ଚାଷ ଓ ବେପାର ବଢ଼ିଥିବା ବେଳେ ସେହି ପରିମାଣରେ ନଷ୍ଟ ହୋଇ ପାରିନାହିଁ ବୋଲି ଜଣାପଡ଼ିଛି।

ବଡ଼ କଥା ହେଉଛି, ଯେଉଁମାନେ ଗିରଫ ହେଉଛନ୍ତି, ସେମାନେ ବାସ୍ତବରେ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ। ପ୍ରକୃତ ମାଫିଆଙ୍କ ପାଖରେ କାହିଁକି ପହଞ୍ଚି ପାରୁ ନାହିଁ ପୁଲିସ ଓ ଅବକାରୀ? ଧରାପଡ଼ୁଥିବା ଏଜେଣ୍ଟଙ୍କଠାରୁ କାହିଁକି ବଡ଼ ମାଫିଆଙ୍କ ସମ୍ପର୍କରେ ସୂଚନା ମିଳି ପାରୁନାହିଁ ? ଏମିତି ବଡ଼ ବଡ଼ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି।

ସମ୍ବନ୍ଧିତ ଖବର