କାଜୁ ପାର୍ସଲ ନାଁରେ ଗଞ୍ଜେଇ ଚାଲାଣ ଘଟଣା, ରାକେଟ୍‌ ମାଷ୍ଟରମାଇଣ୍ଡକୁ କରୋନା

ଜିଆରପି ଆଇଆଇସିଙ୍କ ସମେତ ୬ ସଙ୍ଗରୋଧରେ

ଭୁବନେଶ୍ବର: କାଜୁ ପାର୍ସଲ ନାଁରେ ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ ମାମଲାରେ ଭୁବନେଶ୍ୱର ଜିଆରିପି ପୁଲିସ୍‌ ଗତକାଲି ମାଷ୍ଟରମାଇଣ୍ଡ ଅନିଲ ବାତ୍ରାକୁ ଗିରଫ କରିଛି। ଜିଆର୍‌ପିର ଏକ ଟିମ୍‌ ରାୟଗଡ଼ାରୁ ତାକୁ ଗିରଫ କରିଥିବା ଜଣାଯାଇଛି। ଗତକାଲି ଅନିଲର କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଅନିଲକୁ ରାଜଧାନୀର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଅନିଲକୁ ରାୟଗଡ଼ାରୁ ଗିରଫ କରି ଭୁବନେଶ୍ବର ଆଣିବା ଓ ତା’ ସଂସ୍ପର୍ଶରେ ଆସିଥିବା ୬ଜଣ ପୁଲିସ କର୍ମଚାରୀ ଏବେ ସଙ୍ଗରୋଧରେ। ମାମଲାର ତଦନ୍ତକାରୀ ଅଧିକାରୀ ତଥା ଜିଆରପି ଆଇଆଇସି ଜୟଦେବ ବିଶ୍ବଜିତଙ୍କ ସମେତ ୬ ଜଣ ସଙ୍ଗରୋଧରେ ରହିଛନ୍ତି। ସେମାନଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

ମାଷ୍ଟରମାଇଣ୍ଡ ଅନିଲଠାରୁ ଜିଆରପିକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଅନିଲ ଏକ ଭଡ଼ା ଗାଡ଼ିରେ ୪ କ୍ବିଣ୍ଟାଲ ୧୦ କେଜି ଗଞ୍ଜେଇ ଭୁବନେଶ୍ବର ପଠାଇଥିଲା। ଛୋଟ ଛୋଟ ପେଟିରେ ପ୍ୟାକିଂ ହୋଇଥିବା ଗଞ୍ଜେଇକୁ କାଜୁ ବୋଲି ସେ ଗାଡ଼ି ମାଲିକଙ୍କୁ କହିଥିଲା। ଭଡ଼ା ଗାଡ଼ି ବିପୁଳ ପରିମାଣର ଗଞ୍ଜେଇକୁ ବୁଦ୍ଧେଶ୍ବରୀ କଲୋନିରେ ରହୁଥିବା ଦୁଇ ଏଜେଣ୍ଟ ସନ୍ତୋଷ ସାହୁ ଓ ସାଗର ପ୍ରଧାନଙ୍କ ପାଖରେ ପହଞ୍ଚାଇଥିଲା। ସେମାନେ ଗତ ୧ ତାରିଖରେ ଗଞ୍ଜେଇକୁ ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚାଇଥିଲେ। ପାର୍ସଲ ଗେଟ୍ ନିକଟରେ କାଜୁ ବୋଲି କହି ବୁକିଂ କରିଥିଲେ। ୨ ତାରିଖରେ ପୁରୁଷୋତ୍ତମ ଏକ୍ସପ୍ରେସରେ ଏହି ମାଲ ଯିବ ବୋଲି ରହିଥିଲା। ୧ ତାରିଖ ରାତିରେ ପୁଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଏଜେଣ୍ଟଙ୍କୁ ଗିରଫ କରିଥିଲା। ଅନିଲର ତଥ୍ୟକୁ ଆଧାର କରି ପୁଲିସ ଗାଡ଼ି ମାଲିକ ଓ ଚାଳକଙ୍କୁ ମଧ୍ୟ ପଚରାଉଚରା କରିଛି। ସେମାନେ ମଧ୍ୟ ସେହି କାଜୁ ଚାଲାଣ କରୁଥିବା ନେଇ ସମାନ କଥା ପୁଲିସ ଆଗରେ କହିଛନ୍ତି। ନୂଆଦିଲ୍ଲୀରେ ଯେଉଁ ବେପାରୀ ପାଖକୁ ଗଞ୍ଜେଇ ଯିବାର ଥିଲା ତା ସମ୍ପର୍କରେ ମଧ୍ୟ ପୁଲିସ ତଥ୍ୟ ହାସଲ କରି ସାରିଛି। ଜବତ ଗଞ୍ଜେଇର ଓଡ଼ିଶା ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ। କିନ୍ତୁ ଏହି ଗଞ୍ଜେଇ ଦିଲ୍ଲୀରେ ପହଞ୍ଚିବା ପରେ ଏହାର ମୂଲ୍ୟ ୫୦ ଲକ୍ଷରୁ ଅଧିକ ବୋଲି ଅନିଲ ପୁଲିସ ଆଗରେ କହିଛି। ଦିଲ୍ଲୀରେ ଗଞ୍ଜେଇ ପହଞ୍ଚାଇବା ଲାଗି ଏଜେଣ୍ଟ ୧ ଲକ୍ଷ ଟଙ୍କା ନେବ ବୋଲି ଡିଲ୍ ହୋଇଥିଲା। କରୋନା ପଜିଟିଭ୍ ବାହାରିବାରୁ ଅଧିକ ଜେରା ଲାଗି ସମ୍ଭବପର ହୋଇ ନାହିଁ। ସେହିପରି ଦିଲ୍ଲୀ ବେପାରୀ ସମ୍ପର୍କରେ ଯଥେଷ୍ଟ ସୂଚନା ରହିଥିଲେ ମଧ୍ୟ କରୋନା ପରିସ୍ଥିତି ଯୋଗୁଁ ପୁଲିସ ଏବେ ସେଠାକୁ ଯିବା ମଧ୍ୟ ସମ୍ଭବପର ନୁହେଁ।

ସମ୍ବନ୍ଧିତ ଖବର