କାଜୁ ପାର୍ସଲ ନାଁରେ ଗଞ୍ଜେଇ ଚାଲାଣ ଘଟଣା: ରାୟଗଡ଼ା ଯିବ ଜିଆର୍‌ପି ଟିମ୍

ରୢାକେଟର ମାଷ୍ଟରମାଇଣ୍ଡ ସମ୍ପର୍କରେ ମିଳିଲା ସୁରାକ୍, ଗିରଫ ଦୁଇ ଏଜେଣ୍ଟଙ୍କଠାରୁ ମିଳିଲା ସୂଚନା

ଭୁବନେଶ୍ବର: କାଜୁ ପାର୍ସଲ ନାଁରେ ଭୁବନେଶ୍ବର ରେଳ ଷ୍ଟେସନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ଘଟଣାରେ ଜିଆରପି ହାତରେ ବଡ଼ ସୁରାକ୍। ରାୟଗଡ଼ାର ମୁନିଗୁଡ଼ାରୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ସ୍ପଷ୍ଟ ହେବା ପରେ କୁଖ୍ୟାତ ବେପାରୀ ସମ୍ପର୍କରେ ମିଳିଛି ସୂଚନା। ଗିରଫ ଦୁଇ ଏଜେଣ୍ଟ ଗଞ୍ଜାମ ପୋଲସରାର ସାଗର ପ୍ରଧାନ ଓ ସନ୍ତୋଷ ସାହୁଙ୍କୁ ଜେରା ସମୟରେ ପୁଲିସ ହାତରେ ଲାଗିଛି ତଥ୍ୟ।

ମୁନିଗୁଡ଼ାର କୁଖ୍ୟାତ ଗଞ୍ଜେଇ ବେପାରୀ ଦୀର୍ଘବର୍ଷ ହେଲା ଦିଲ୍ଲୀକୁ ଚୋରାଚାଲାଣ କରୁଥିଲା। ଏଜେଣ୍ଟ ସାଜିଥିଲେ ସାଗର ଓ ସନ୍ତୋଷ। କାର ଯୋଗେ ବିପୁଳ ପରିମାଣର ଗଞ୍ଜେଇ ପ୍ରଥମେ ରାଜଧାନୀକୁ ଆସୁଥିଲା। ଏଠାରେ ଛୋଟ ଛୋଟ ପେଟିରେ ଗଞ୍ଜେଇ ପ୍ୟାକ୍ କରାଯାଇ ଦିଲ୍ଲୀ ପଠା ଯାଉଥିଲା। ସମ୍ପୃକ୍ତ ଗଞ୍ଜେଇ ବେପାରୀ ଗୋଟିଏ ଜାଗାରେ ବସି ଏ ସବୁ କାରବାର ଚଳାଉଥିବାରୁ ସହଜରେ ପୁଲିସ ସ୍କାନରକୁ ଆସି ନ ଥିଲା। ଦୁଇ ଏଜେଣ୍ଟ ଧରା ପଡ଼ିବା ପରେ ତା’ ବିଷୟରେ ସବିଶେଷ ତଥ୍ୟ ହାସଲ କରିଛି ପୁଲିସ। ରୢାକେଟର ମାଷ୍ଟରମାଇଣ୍ଡକୁ ଗିରଫ କରିବା ଲାଗି ଜିଆରପିର ଏକ ଟିମ୍ ଖୁବଶୀଘ୍ର ରାୟଗଡ଼ା ଯିବ ବୋଲି ଜଣାପଡ଼ିଛି। ସେ ଧରାପଡ଼ିବା ପରେ ଏହି ହାଇପ୍ରୋଫାଇଲ ଗଞ୍ଜେଇ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ୍ ହେବ ବୋଲି ପୁଲିସ ଆଶା ରଖିଛି।

ଅନ୍ୟପକ୍ଷରେ ଗଞ୍ଜେଇ ଦିଲ୍ଲୀର ଯେଉଁ ବେପାରୀ ପାଖକୁ ଚାଲାଣ କରାଯାଉଥିଲା ତା’ ସମ୍ପର୍କରେ ମଧ୍ୟ ଜିଆରପି ହାତରେ ତଥ୍ୟ ଲାଗିଛି। ଦିଲ୍ଲୀର କାହା ପାଖକୁ ବିପୁଳ ପରିମାଣର ଗଞ୍ଜେଇ ଯାଉଥିଲା ତାହା ଜାଣିବା ଲାଗି ସାଗର ଓ ସନ୍ତୋଷକୁ ଜିଆରପି ତଦନ୍ତକାରୀ ଟିମ୍ ପଚରାଉଚରା କରିବା ପରେ ଯେଉଁ ତଥ୍ୟ ପାଇଛି ତାହାକୁ ଯାଞ୍ଚ କରୁଛି। ସେହି ବେପାରୀ ସମ୍ପର୍କରେ ସବିଶେଷ ସୂଚନା ହାସଲ କରିବା ପରେ ଜିଆରପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି। ଏହି ରୢାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ମଧ୍ୟ ଜିଆରପି ତଦନ୍ତ ଜାରି ରଖିଛି। ଗଞ୍ଜେଇ ଚାଲାଣରେ ଯେଉଁ ଗାଡ଼ି ବ୍ୟବହାର କରା ଯାଇଥିଲା ସେହି ଗାଡ଼ି କାହାର? ସେହି ଗାଡ଼ିର ଡ୍ରାଇଭର ଏବେ କେଉଁଠି? ଏହି ସବୁ ଦିଗକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଗତ ୧ ତାରିଖ ରାତିରେ ୪ କ୍ବିଣ୍ଟାଲ ଗଞ୍ଜେଇ ନୂଆଦିଲ୍ଲୀକୁ ଚାଲାଣ ପାଇଁ ଭୁବନେଶ୍ବର ରେଳ ଷ୍ଟେସନକୁ ଅଣାଯାଇଥିଲା। ପାର୍ସଲ ଗେଟ୍ ନିକଟରେ ଛୋଟ ଛୋଟ ପ୍ୟାକେଟ କରାଯାଇ ଏହି ଗଞ୍ଜେଇକୁ ରଖାଯାଇଥିଲା। କାଜୁ ପାର୍ସଲ ନାଁରେ ପୁରୁଷୋତ୍ତମ ଏକ୍ସପ୍ରେସରେ ଗଞ୍ଜେଇକୁ ଚାଲାଣ କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଥିଲା। ସନ୍ଦେହ ହେବାରୁ ଜିଆରପି ଥାନାଧିକାରୀ ଜୟଦେବ ବିଶ୍ବଜିତ ଅନ୍ୟ ଅଧିକାରୀଙ୍କ ସହ ସେଠାରେ ଚଢ଼ଉ କରିଥିଲେ। କାଜୁ ନାଁରେ ଥିବା ପାର୍ସଲକୁ ଖୋଲାଯିବା ପରେ ତା’ ଭିତରୁ ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ପୁଲିସ ବୁଦ୍ଧେଶ୍ବରୀ କଲୋନିରେ ରହୁଥିବା ଗଞ୍ଜାମ ପୋଲସରାର ସାଗର ଓ ସନ୍ତୋଷଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ମୋବାଇଲ ଫୋନ୍, ଏଟିଏମ୍ କାର୍ଡ ଜବତ କରା ଯାଇଥିଲା।

ସମ୍ବନ୍ଧିତ ଖବର