ରାଜଧାନୀରେ ବେଧଡ଼କ ଗଞ୍ଜେଇ କାରବାର: ୧୨୦ କେଜି ଗଞ୍ଜେଇ ଜବତ, ୩ ମହିଳାଙ୍କ ସମେତ ୫ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଏବେ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା କାରବାରର ପେଣ୍ଠ ପାଲଟିଛି। ନିଶା ମାଫିଆମାନେ ଗଞ୍ଜେଇର ଚୋରା ଚାଲାଣ କରିବା ପାଇଁ ଭୁବନେଶ୍ବରକୁ ନିରାପଦ ସହର ଭାବେ ବାଛିଛନ୍ତି। ଗତ ମାର୍ଚ୍ଚ ୨୫ରେ କନ୍ଧମାଳରୁ ବରମୁଣ୍ଡା ଦେଇ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ପୁଲିସ୍ ୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ଜଣ ମହିଳାଙ୍କୁ ଗିରଫ କରିଥିଲା। କିଛି ଦିନ ପୂର୍ବେ ଦୁଇଜଣ ମହିଳା ପର୍ଯ୍ୟଟକ ବେଶରେ ନୂଆଦିଲ୍ଲୀ ଯାଉଥିବା ସମୟରେ କ୍ରାଇମ୍‌ବ୍ରାଞ୍ଚ୍ ଓ ଆର୍‌ପିଏଫ୍‌ ମିଳିତ ଭାବେ ଚଢ଼ଉ କରି ୪ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଥିଲେ।

ଆଜି ସ୍ପେସାଲ୍ ସ୍କ୍ବାଡ୍ ଭରତପୁର ଥାନା ଅଧୀନସ୍ଥ ଘାଟିକିଆର ଶାନ୍ତି କୁଟୀରର ଏକ ଭଡ଼ା ଘରୁ ୧୨୦ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହା ସହିତ ପୁଲିସ ବିହାରର ଦୁଇଜଣ ମହିଳାଙ୍କ ସମେତ ମୋଟ ୫ଜଣ ଅଭିଯୁକ୍ତଙ୍କୁ ଭରତପୁର ଥାନାରେ ଅଟକ ରଖିଛି। ଅଭିଯୁକ୍ତମାନେ ହେଲେ ବିହାରର ସୁମନ ଲିମା ଓ ତା’ ପତ୍ନୀ ସୁଶିଲେନ୍ ଲିମା, କମଳେଶ ଯାଦବ, ଗଂଜାମର ସୁଜ୍ଞାନୀ ବେହେରା ଓ କୁମନି ବେହେରା। ବିହାରର କିଛି ଯୁବକ ନିଶା କାରବାର ପାଇଁ ଏହି ମହିଳାମାନଙ୍କୁ ବ୍ୟବହାର କରୁଥିବା ଏକ ଚାଞ୍ଚଲ୍ୟକର ଖବର ପଦାକୁ ଆସିଛି। ମହିଳାଙ୍କୁ ବ୍ୟବହାର କଲେ ପୁଲିସ୍‌ର ସନ୍ଦେହ କମ୍ ହେବା ସହ ଆରାମରେ ନିଶା କାରବାର କରାଯାଇପାରିବ ବୋଲି ସୂଚନା ମିଳିଛି। ଗିରଫ ମହିଳାଙ୍କ ସୂଚନା ମୁତାବକ, ପ୍ରତି ଗଞ୍ଜେଇ ଡିଲ୍‌କୁ ସେମାନେ ରାକେଟ୍‌ର କିଙ୍ଗପିନ୍‌ଠାରୁ ୭ଶହରୁ ୮ଶହ ଟଙ୍କା ପାଆନ୍ତି। ଗଞ୍ଜେଇ ଚାଲାଣ ପାଇଁ ବ୍ୟବହାର ହେଉଥିବା ଏହି ଭଡ଼ା ଘରୁ ବିହାର ଏବଂ ଝାଡ଼ଖଣ୍ଡର କିଛି ଛୋଟ ସହରକୁ ଯାଉଥିଲା। ନେବା ଆଣିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ମାଧ୍ୟମ କରାଯାଉଥିବା ଜଣାପଡ଼ିଛି। ଗଞ୍ଜେଇଗୁଡ଼ିକୁ ଛୋଟ ଛୋଟ ପୁଟୁଳିରେ ବନ୍ଧାଯାଇ ଚାଲାଣ ହେଉଥିଲା। ଆସନ୍ତାକାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

ରାଜଧାନୀରେ ପୂର୍ବରୁ ମଧ୍ୟ ଏହିଭଳି ଅନେକ ଗଞ୍ଜେଇ ମାମଲାର ପର୍ଦ୍ଦାଫାସ୍ ହୋଇଥିବା ବେଳେ ମହିଳାଙ୍କ ସଂପୃକ୍ତି ସାମ୍‌ନାକୁ ଆସୁଥିଲା। ଏହା ପଛରେ କିଛି ବଡ଼ ରୢାକେଟ୍‌ ଓ ମାଷ୍ଟର ମାଇଣ୍ଡ୍ କାମ କରୁଥିଲେ ସୁଦ୍ଧା ପୁଲିସ୍ ଏ ପର୍ଯ୍ୟନ୍ତ ଏମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ।

ସମ୍ବନ୍ଧିତ ଖବର