ଆଜି ବିଶ୍ୱ କର୍କଟ ଦିବସ : ଓଡ଼ିଶାରେ ବଢ଼ୁଛନ୍ତି କର୍କଟ ରୋଗୀ

ଭୁବନେଶ୍ୱର: ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ପ୍ରତି ବର୍ଷ ଦେଶରେ ୭ ଲକ୍ଷରୁ ଅଧିକ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲ ଆସୁଛନ୍ତି। ଓଡ଼ିଶାରେ ବି ଏହି ସଂଖ୍ୟା କିଛି କମ୍‌ ନୁହେଁ। ଯଦିଓ ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ଆକଳନ ହୋଇନାହିଁ, ତେବେ ବିଭିନ୍ନ ସର୍ଭେରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପ୍ରତି ବର୍ଷ ୨୦ ହଜାରରୁ ଅଧିକ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଓଡ଼ିଶା ପରି ରାଜ୍ୟରେ ଆଗକୁ ଏହା ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିବାକୁ ଯାଉଛି। ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିଲେ ବି ଏହାର ଠିକ୍‌ ଓଷଧ ତିଆରି ହୋଇପାରି ନାହିଁ। ସେଥିପାଇଁ କର୍କଟ ରୋଗର ଭୟାବହତା ଓ ଏହାର ନିରାକରଣ ନେଇ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ। ଚଳିତ ବର୍ଷ ଏହାର ବିଷୟବସ୍ତୁ ରହିଛି ‘ଆମେ ପାରିବା, ମୁଁ ପାରିବି’। ରାଜ୍ୟରେ କର୍କଟ ରୋଗର ପ୍ରମୁଖ କାରଣ ହୋଇଛି ତମାଖୁ ସେବନ। ଉଭୟ ଯୁବ ପିଢ଼ି ଓ ବୟସ୍କ ଲୋକ ବିଭିନ୍ନ ପ୍ରକାର ତମାଖୁ ସେବନ କରି ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତମାଖୁର ଭୟାବହତା ନେଇ ସଚେତନତା ସୃଷ୍ଟି କରାଯାଉଥିଲେ ବି ତାହାର ଏତେଟା ପ୍ରଭାବ ଜଣାପଡ଼ୁନି। ଫଳରେ ପ୍ରତି ବର୍ଷ ତମାଖୁ ସେବନର ପରିମାଣ ବଢ଼ିଚାଲିଛି ଓ ତତ୍‌ଜନିତ କର୍କଟ ରୋଗୀଙ୍କ ସଂଖ୍ୟା ବି ଦ୍ୱିଗୁଣିତ ହୋଇଯାଉଛି। ୨୦୧୨ ମସିହାର ଏକ ସର୍ଭେ ଅନୁସାରେ ବିଶ୍ୱରେ ପ୍ରାୟ ୧ କୋଟି ୪୦ ଲକ୍ଷ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୨ ଲକ୍ଷ ରୋଗୀ ପ୍ରାଣ ହରାଇଛନ୍ତି। ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ୨ କୋଟି ୨୦ ଲକ୍ଷ ଛୁଇଁପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆକଳନ କରାଯାଇଛି। ଭାରତରେ ପ୍ରତି ୮ ମିନିଟରେ ଜଣେ ମହିଳା କର୍କଟ ଜନିତ ରୋଗ ଯୋଗୁଁ ପ୍ରାଣ ହରାଉଥିବା ବେଳେ ୨.୫ ନିୟୁତ ଲୋକ କର୍କଟ ବ୍ୟାଧିରେ ଆକ୍ରାନ୍ତ ହୋଇଛନ୍ତି। କର୍କଟ ରୋଗ ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବାରୁ ରାଜ୍ୟ ସରକାର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ କେମୋଥେରାପି ସୁବିଧା ମିଳିବ ବୋଲି ଘୋଷଣା କରିଥିଲେ। ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୨୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଜେନେରାଲ ହସ୍ପିଟାଲରେ କେମାଥୋରାପି ସେଣ୍ଟର୍‌ ଖୋଲିସାରିଛି। ଆଉ ୮ଟି ଜିଲ୍ଲା ହସ୍ପିଟାଲରେ କେମାଥେରାପି ସେଣ୍ଟର୍‌ ଖୋଲିବା ପାଇଁ ଆବଶ୍ୟକ ତାଲିମ ଦିଆଯାଉଛି। ମାର୍ଚ୍ଚ ସୁଦ୍ଧା ୮ଟି ଯାକ ଜିଲ୍ଲା କେମୋଥେରାପି ସେଣ୍ଟର୍‌ କାର୍ଯ୍ୟକ୍ଷମ ହେବ। ଆଚାର୍ଯ୍ୟ ହରିହର କେନ୍ଦ୍ର ଓଡ଼ିଶାର ଏକମାତ୍ର ସରକାରୀ କର୍କଟ ଚିକିତ୍ସା କେନ୍ଦ୍ର ଭାବେ ପରିଚିତ। ଏହାର ଦ୍ୱିତୀୟ କ୍ୟାମ୍ପସ ନିମନ୍ତେ ବାରଙ୍ଗରେ ଜମି ପାଇଁ ଆବେଦନ କରାଯାଇଛି ବୋଲି ଡାକ୍ତର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ନୂଆ ଜ୍ଞାନକୌଶଳର ଅଭାବ ହେତୁ ଓଡ଼ିଶାରେ କର୍କଟ ମୃତ୍ୟୁ ଅଧିକ
ପ୍ରତିବର୍ଷ ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ବଢୁଛି। ଭିତ୍ତିଭୂମି ଓ ବୈଷୟିକ ଜ୍ଞାନ କୌଶଳର ଅଭାବ ହେତୁ ବିଦେଶରେ କର୍କଟ ରୋଗୀଙ୍କ ତୁଳନାରେ ଏଠାରେ ଅଧିକ ରୋଗୀ ପ୍ରାଣ ହରାନ୍ତି । ଯେଉଁ କାରଣରୁ କର୍କଟ ହେଉଛି ଏହାର ସଠିକ୍‌ ତଥ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ। ଯଦି କର୍କଟକୁ ଜିତିବା ପାଇଁ ଚାହିଁବା ତାହେଲେ ଆମକୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହା ସହିତ ଖାଦ୍ୟ, ପାନୀୟ ଓ ଜୀବନଶୈଳୀକୁ ସନ୍ତୁଳିତ କରିବା ପାଇଁ ପଡ଼ିବ।
ଡାକ୍ତର ସରୋଜ ଦାସ ମଜୁମଦାର, ଏମ୍‌ସ୍‌, ଭୁବନେଶ୍ୱର

ପ୍ରାଥମିକ ସ୍ତରରେ ଚିହ୍ନଟ ହେଲେ ଚିକିତ୍ସା ସମ୍ଭବ
ସାଧାରଣତଃ ପୁରୁଷଙ୍କ କ୍ଷେତ୍ରରେ ମୁଖ ଗହ୍ଵର କର୍କଟ ଏବଂ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ଓ ଗର୍ଭାଶୟ କର୍କଟ ବହୁଳ ମାତ୍ରାରେ ଦେଖାଯାଏ। ଓଡ଼ିଶାରେ ମଧ୍ୟ ଏହି ଧାରା ଦେଖିବାକୁ ମିଳୁଛି। ଯଦି କର୍କଟ ରୋଗ ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରାଯାଏ, ତେବେ ଏହାର ଚିକିତ୍ସା ସମ୍ଭବ। ବ୍ୟାପକ ସଚେତନତା ସୃଷ୍ଟି ଦ୍ୱାରା ଏହା ସମ୍ଭବ ହୋଇପାରିବ। ମୁଖ ଗହ୍ଵର କର୍କଟର ନିରାକରଣ ପାଇଁ ସବୁପ୍ରକାର ତମାଖୁ ସେବନ ବନ୍ଦ କରିବା ଆବଶ୍ୟକ। ସ୍ତନ କର୍କଟର ନିରାକରଣ ପାଇଁ ସ୍ତନ୍ୟପାନକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ନିରାପଦ ଯୌନ ସମ୍ପର୍କ ଦ୍ୱାରା ଗର୍ଭାଶୟ କର୍କଟ ରୋଗକୁ ଦୂରେଇ ରଖାଯାଇପାରିବ।
ଡାକ୍ତର ଅମିତାଭ ଜେନା, ସମ୍‌ ହସ୍ପିଟାଲ୍‌

କର୍କଟ ରୋଗୀଙ୍କ ପାଇଁ ଓଡ଼ିଶାରେ ବହୁ ସୁବିଧା ମିଳୁଛି
ମୁଖ, ନାକ, ଗଳା, ସ୍ତନ ଓ ଜରାୟୁ କ୍ୟାନ୍‌ସର୍‌ ଓଡ଼ିଶାରେ ବେଶୀ ପରିମାଣରେ ଦେଖିବାକୁ ମିଳିଥାଏ। ମୁଖ ଓ ଗଳା କ୍ୟାନସର ମୁଖ୍ୟ କାରଣ ହେଉଛି ତମାଖୁ ସେବନ। ଦେଶରେ ତମାଖୁ ବ୍ୟବହାରକାରୀଙ୍କ ତୁଳନାରେ ଓଡ଼ିଶାରେ ଏହାର ସଂଖ୍ୟା ଦୁଇଗୁଣ ରହିଛି। ଲୋକମାନେ ନିଜେ ସଚେତନ ହେଲେ କର୍କଟ ରୋଗୀଙ୍କ ସଂଖ୍ୟା କମିବ। ପୂର୍ବରୁ ଓଡ଼ିଶାରେ କର୍କଟ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ସୁବିଧା ନ ଥିବାରୁ ବହୁ ଖର୍ଚ୍ଚ କରି ରୋଗୀମାନେ ବାହାରକୁ ଯାଉଥିଲେ। ଗତ କିଛି ବର୍ଷ ହେଲା ବେସରକାରୀ ସଂସ୍ଥା ସହ ସରକାରୀ ସ୍ତରରେ ମଧ୍ୟ ଅନେକ ସୁବିଧା ସୁଯୋଗ ମିଳିଛି।
ଡାକ୍ତର ଘନଶ୍ୟାମ ବିଶ୍ୱାସ, ସ୍ପର୍ଶ ହସ୍ପିଟାଲ୍‌

ସମ୍ବନ୍ଧିତ ଖବର