କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଆୟୋଡିନ୍ ପରୀକ୍ଷାଗାର

ଏନ୍‌ଜିଓ ଦେବ ତାଲିମ୍‌, ସ୍ବାସ୍ଥ୍ୟ ବିଭାଗ ମାନବ ସମ୍ବଳ

ଭୁବନେଶ୍ବର:  ଆ‌‌ୟୋଡିନ୍ ଅଭାବ ଚିହ୍ନଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏକ ପରୀକ୍ଷାଗାର ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ହସ୍ପିଟାଲରେ ଅସ୍ଥାୟୀ ଭାବେ ଏହା ଆରମ୍ଭ ହେବାକୁ ଯାଉଥିବା ବେଳେ ପରବର୍ତୀ ସମୟରେ ପାଥୋଲାବ୍‌ ନିକଟରେ ହେବାକୁ ଥିବା ରାଜ୍ୟ ଜନସ୍ବାସ୍ଥ୍ୟ ପରୀକ୍ଷାଗାରରେ ଏହା କାର୍ଯ୍ୟ କରିବ। ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସହ ଆଲୋଚନା ହୋଇଥିବା ଜଣାପଡ଼ିଛି।

ରାଜ୍ୟର ୧୭ଟି ଜିଲ୍ଲାରେ ଆ‌‌ୟୋଡିନ୍ର ଅଭାବଜନିତ ବ୍ୟାଧି ବା ଆଇଡିଡି ରହିଥିବା କୁହାଯାଉଛି। କିଛି ଏଜେନ୍‌ସି ତରଫରୁ ହୋଇଥିବା ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ହେଲେ ରାଜ୍ୟ ସରକାରଙ୍କ ପାଖରେ ଏହାର ନିର୍ଦ୍ଦିଷ୍ଟ ଭାବେ କୌଣସି ତଥ୍ୟ ଉପଲବ୍ଧ ନାହିଁ। ଲୋକଙ୍କଠାରେ ଆ‌‌ୟୋଡିନ୍ର ଅଭାବ ରହିଛି, ତାହା ଜାଣିବା ଲାଗି ରାଜ୍ୟ ସରକାରଙ୍କ ନିଜସ୍ବ କୌଣସି ପରୀକ୍ଷାଗାର ନାହିଁ। ତେଣୁ ବିଭିନ୍ନ ଏଜେନ୍‌ସି ପକ୍ଷରୁ ଦିଆଯାଉଥିବା ତଥ୍ୟ କେତେ ନିର୍ଭରଯୋଗ୍ୟ, ତାହା ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସନ୍ଦେହରେ ପକାଇଛି। ଆ‌‌ୟୋଡିନ୍ର ଅଭାବକୁ ଦୂର କରିବା ଲାଗି ଆ‌‌ୟୋଡିନ୍ ମିଶା ଲୁଣ ଖାଇବା ଲାଗି ଲୋକମାନଙ୍କୁ ସଚେତନ କରାଯାଉଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ରାଜ୍ୟରେ ୭୬.୧ ପ୍ରତିଶତ ଲୋକ ଆ‌‌ୟୋଡିନ୍ଯୁକ୍ତ ଲୁଣ ବ୍ୟବହାର କରୁଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ରାଜ୍ୟରେ ୯୩ ପ୍ରତିଶତ ଲୋକ ଏହି ଲୁଣ ବ୍ୟବହାର କରୁଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ବହୁ ପରିମାଣରେ ଗଳଗଣ୍ଡ ରୋଗ ହ୍ରାସ ପାଇଛି।

କେନ୍ଦ୍ର ସରକାର ଆ‌‌ୟୋଡିନ୍ ଅଭାବ ଜନିତ ଲୋକଙ୍କ ସଂପର୍କରେ ଜାଣିବା ଲାଗି ଜାତୀୟ ଆଇଓଡିନ୍‌ ଅଭାବ ବ୍ୟାଧି ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍‌ଆଇଡିଡିସିପି ଚାଲୁ ରଖିଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି, ଗଳଗଣ୍ଡ, ମାନସିକ ବ୍ୟାଧି ଭଳି ରୋଗକୁ ହ୍ରାସ କରିବା। ରକ୍ତ ଓ ମୂତ୍ର ପରୀକ୍ଷାରୁ ଶରୀରରେ ଆ‌‌ୟୋଡିନ୍‌ର ଅଭାବ ଅଛି କି ନାହିଁ, ତାହା ଜଣାପଡ଼ିଥାଏ। ରାଜ୍ୟରେ ଖାଦ୍ୟ ସୁରକ୍ଷାର ଥିବା ପରୀକ୍ଷାଗାରରେ କେବଳ ଲୁଣରେ ଆବଶ୍ୟକ ମାତ୍ରାରେ ଆ‌‌ୟୋଡିନ୍ ରହିଛି କି ନାହିଁ, ତାହା ଚିହ୍ନଟ ହୋଇପାରୁଛି। ମାତ୍ର ମନୁଷ୍ୟ ଶରୀରରେ ଆ‌‌ୟୋଡିନ୍ ସଂପର୍କରେ ଜାଣିବା ଲାଗି ସରକାରୀସ୍ତରରେ କୌଣସି ପରୀକ୍ଷାଗାର ନାହିଁ। ତେଣୁ କ୍ୟାପିଟାଲ ହସ୍ପିଟାଲରେ ଏହାକୁ ପ୍ରତିଷ୍ଠା କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏଥିପାଇଁ ଏକ ଏନ୍‌ଜିଓ ସହ ଆଲୋଚନା ହୋଇଛି। ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ଏକ ଗୃହ ପ୍ରଦାନ କରିବେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି, ମାନବ ସମ୍ବଳ ଓ ଅନ୍ୟ ଆବଶ୍ୟକତା ପୂରଣ କରାଯିବ। ସଂପୃକ୍ତ ଏନ୍‌ଜିଓ ଏ ସଂକ୍ରାନ୍ତରେ ଲାବ‌ରୋଟାରି ଟେକ୍‌ନିସିଆନ୍‌ ବା ଏଲଟିମାନଙ୍କୁ ତାଲିମ ପ୍ରଦାନ କରିବ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରାଯାଇ ଆ‌‌ୟୋଡିନ୍‌ର ପରୀକ୍ଷା ହୋଇପାରିବ।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବାକୁ ଯାଉଥିବା ଷ୍ଟେଟ୍‌ ଅଫ ଦି ଆର୍ଟ ଜନସ୍ବାସ୍ଥ୍ୟ ପରୀକ୍ଷାଗାରରେ ଏକ ଆ‌‌ୟୋଡିନ୍‌ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଛି। ତେବେ ମୂଳ ପରୀକ୍ଷାଗାର ନିର୍ମାଣ ହୋଇ କାର୍ଯ୍ୟ କରିବା ପୂର୍ବରୁ ହସ୍ପିଟାଲ ପରିସରରେ ଅସ୍ଥାୟୀ ଭାବେ ଏଭଳି ଏକ ପରୀକ୍ଷାଗାର ଖୋଲିବା ପାଇଁ କର୍ତୃପକ୍ଷଙ୍କ ସହିତ ଆଲୋଚନା ହୋଇଛି। ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ଆବଶ୍ୟକ ଗୃହ ପ୍ରଦାନ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ। ପରବର୍ତୀ ସମୟରେ ଯେତେବେଳେ ଷ୍ଟେଟ୍ ଅଫ ଦି ଆର୍ଟ ପରୀକ୍ଷାଗାର କାର୍ଯ୍ୟ କରିବ, ସଂପୃକ୍ତ ଆ‌‌ୟୋଡିନ୍ ପରୀକ୍ଷାଗାର ଏଠାକୁ ସ୍ଥାନାନ୍ତର ହେବ। ଫଳରେ ରାଜ୍ୟରେ ଆ‌‌ୟୋଡିନ୍ ଅଭାବ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ମିଳି ପାରିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର