ଭୁବନେଶ୍ବର: ସହରୀ ଜୀବନରେ ଅବସର ବିନୋଦନ ପାଇଁ ସବୁଠାରୁ ବଡ଼ ସ୍ଥାନ ହେଉଛି ପାର୍କ। ଦିନେ ସହରରେ ହାତଗଣତି ତିନି ଚାରିଟି ପାର୍କ ଥିଲା ବେଳେ ଏବେ ଶତାଧିକ ପାର୍କ ନିର୍ମାଣ ହୋଇଛି। ସହରର ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ କାଢ଼ି ଲୋକେ ପାର୍କରେ ଭିଡ଼ ଜମାଉଛନ୍ତି। ପାର୍କରେ ମଧ୍ୟ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଗଲାଣି। କେଉଁଠି ଓପନ ଜିମ୍ ତ ଆଉ କେଉଁଠି ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା ହୋଇଛି। ଯୋଗ ପିଣ୍ଡି, ବୋଟିଂ ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।

Advertisment

କିଛି ବର୍ଷ ତଳେ ଭୁବନେଶ୍ବରରେ ପାର୍କ କହିଲେ ଇନ୍ଦିରା ଗାନ୍ଧୀ ପାର୍କ ଓ ଫରେଷ୍ଟ ପାର୍କ (ବିଜୁ ପଟ୍ଟନାୟକ ପାର୍କ)କୁ ବୁଝାଉଥିଲା। ଏଠାରେ ବିଶାଳ ବୃକ୍ଷ, ଘାସ ଗାଲିଚା ଓ ସୁନ୍ଦର ଫୁଲ ଗଛ ଭିତରେ ଲୋକେ ନିଜକୁ ହଜାଇ ଦେଉଥିଲେ। ଛୁଟିଦିନ ହେଲେ ପାର୍କ ଗୋଟିଏ ବୁଲିବା ଓ ମସ୍ତି କରିବାର ସ୍ଥାନ ପାଲଟିଥିଲା। ପରେ ସହର ବଢ଼ିବା ସହ ମହାତ୍ମା ଗାନ୍ଧୀ ପାର୍କ, ନେତାଜୀ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ଖାରବେଳ ପାର୍କ, ଇମ୍ଫା ପାର୍କ, ମୁଖାର୍ଜୀ ପାର୍କ ଭଳି ଏକାଧିକ ପାର୍କ ମଧ୍ୟ ତିଆରି ହୋଇଥିଲା। ବିଡିଏ ଓ ବିଏମ୍‌ସି ସହିତ ଜଙ୍ଗଲ ବିଭାଗ ପକ୍ଷରୁ ଲୋକଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲକୁ ଉନ୍ନତୀକରଣ କରାଯାଇ ପାର୍କ କରାଗଲା। ପାତ୍ରପଡ଼ାରେ ଔଷଧୀୟ ପାର୍କ, ଖଣ୍ଡଗିରିବାରିରେ ଜୟଦେବ ବାଟିକା, ଆଇଆରସି ଭିଲେଜରେ ଏକାମ୍ର କାନନ, ପୁରୁଣା ଭୁବନେଶ୍ବରରେ ବିନ୍ଦୁସାଗର ବଟାନିକାଲ ‌ଗାର୍ଡେନ ଭଳି ପାର୍କ ତିଆରି ହେଲା ଏବଂ ଉନ୍ନତୀକରଣ ବି ହେଲା। ଯେଉଁଠି ଓୗଷଧୀୟ ବୃକ୍ଷକୁ ଗୁରୁତ୍ବ ଦିଆଯାଇ ପାର୍କର ପରିକଳ୍ପନା କରାଗଲା। ବିଡିଏ ଓ ବିଏମ୍‌ସି ପକ୍ଷରୁ ଏବେ ପ୍ରତି କଲୋନିରେ ପାର୍କ ତିଆରି ପାଇଁ ଏକାଧିକ ଯୋଜନାରେ କାମ ମଧ୍ୟ ଚାଲିଛି।

ବିଡିଏର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଗତ ଦିନରେ ୭୦ରୁ ଅଧିକ ପାର୍କ ତିଆରି କରାଯାଇଛି। ଏବେ ଆହୁରି ୮ଟି ପାର୍କ ତିଆରି ପାଇଁ ଯୋଜନା ରହିଛି। କିଛି ପାର୍କ ନିର୍ମାଣାଧୀନ ରହିଛି। ବିଏମ୍‌ସି ପକ୍ଷରୁ ୯୦ରୁ ଅଧିକ ପାର୍କ ତିଆରି ହୋଇଥିବା ବେଳେ ଆହୁରି ଅନେକ ପାର୍କ ତିଆରି ଚାଲିଛି। ତେବେ ସହର ଭିତରେ ହୋଇଥିବା ପାର୍କ ମଧ୍ୟରେ ହାତ ଗଣତି କେତୋଟି ପାର୍କ ଛାଡ଼ି ଦେଲେ ଅନ୍ୟ ସ୍ଥାନରେ ସବୁଜିମା ହଜିଗଲାଣି। ଯେଉଁଠି ଦିନେ ବଡ଼ ବଡ଼ ଗଛ ଥିଲା ଏବେ ନଷ୍ଟ ହେଲାଣି। ତା’ ସ୍ଥାନ ପୂରଣ କରାଯାଉ ନାହିଁ। ଫଳରେ ଅଧିକାଂଶ ପାର୍କରେ ବସିଲେ ଆଉ ସେ ଶୀତଳତା ଓ ସତେଜ ପବନ ମିଳୁନାହିଁ। ପାର୍କ ତିଆରି ହେଉଛି, ହେଲେ ପାର୍କକୁ ସମ୍ପୂର୍ଣ୍ଣ ସିମେଣ୍ଟ କରିଦିଆ ଯାଉଛି। ନୂତନ ଭାବେ ତିଆରି ହେଉଥିବା ପାର୍କରେ ବୃକ୍ଷରୋପଣକୁ ସେତେଟା ଗୁରୁତ୍ୱ ଦିଆଯାଉ ନାହିଁ। ଏହାକୁ ନେଇ ସଚେତନ ନାଗରିକଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।