ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ହେବ। ହାତପାଆନ୍ତାରେ ମିଳିବ ସ୍ମାର୍ଟ ସେବା। ଏଭଳି ସ୍ମାର୍ଟ ସିଟି ଭୁବନେଶ୍ୱରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇବାର ସ୍ୱପ୍ନ ଦେଖୁଥିବା ରାଜଧାନୀବାସୀ ନିରାଶ ହୋଇଛନ୍ତି। ବର୍ଷା ଦିନେ ଜଳବନ୍ଦୀ ଆଉ ଅବ୍ୟବସ୍ଥିତ ଟ୍ରାଫିକ ସମସ୍ୟାରେ ନାକେଦମ୍‌ ‌ହେଉଛନ୍ତି। ସବୁଠାରୁ ବଡ଼ କଥା ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସର ମୁକସାକ୍ଷୀ ହେବାକୁ ଥିବା ‘ମ୍ୟୁଜିୟମ ଅଫ୍‌ ଅର୍ବାନ୍‌ ହିଷ୍ଟ୍ରି’ ପ୍ରସ୍ତୁତ ହୋଇପାରିଲାନି। ଯେଉଁଥିରେ ଭୁବନେଶ୍ବର ରାଜଧାନୀ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ସ୍ଥିତିର ବର୍ଣ୍ଣନା ରହିଥା’ନ୍ତା। ହେଲେ ଏହାକୁ ପ୍ରତିଷ୍ଠା କରିପାରିଲାନି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌।

Advertisment

ସ୍ମାର୍ଟ ସିଟି ଭୁବନେଶ୍ବର ପାଇଁ ୪୫୩୭କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ପିପିପି ମୋଡରେ ପୁଞ୍ଜିନିବେଶ ହେବାକୁ ଥିବା ୨୫୬୨.୮୦କୋଟି ଟଙ୍କାରୁ ଟଙ୍କାଟିଏ ଆଣିବାକୁ ସକ୍ଷମ ହେଲେନି ଅଧିକାରୀ। ସ୍ମାର୍ଟ ସିଟି ରାଞ୍ଚିରେ ‘ଏରିଆ ବେସ୍‌ଡ ଡେଭଲପମେଣ୍ଟ(ଏବିଡି)’ ପାଇଁ ୬୫୬ଏକର ଜାଗାରେ ଅଢେଇ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ଯୋଜନା ହୋଇଛି। ହେଲେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଏଥିରେ ଫେଲ୍‌ମାରିଛି। ଭୁବନେଶ୍ବର ରେଳଷ୍ଟେସନରେ ନିର୍ମାଣ ହେବାକୁ ଥିବା ମଲ୍‌ଟିମୋଡାଲ୍ ହବ୍ ଏବଂ ଭୁବନେଶ୍ବର ଟାଉନ୍ ସେଣ୍ଟର ପ୍ରକଳ୍ପ ବିଏସ୍‌ସିଏଲ୍‌ ପ୍ରକଳ୍ପ ତାଲିକାରୁ ହଜି ଯାଇଛି। ପିପିପି ମୋଡରେ ପ୍ରାୟ ୮୨୫କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବସ୍ତି ବାସିନ୍ଦାଙ୍କ ପାଇଁ ସୁଲଭ ଗୃହ ନିର୍ମାଣ କୁଆଡ଼େ ଗଲା କାହା ପାଖରେ ଉତ୍ତର ନାହିଁ। ବିଏସ୍‌ସିଏଲ୍‌ ୮୧ଟି ପ୍ରକଳ୍ପ ଯୋଜନା କରିଥିଲା, ହେଲେ ମାତ୍ର ୩୦ଟି କରିବାକୁ ସକ୍ଷମ ହେଲା।

ତେବେ ସହିଦନଗର ଓ ୟୁନିଟ୍‌-୧ ଓ ୨ ଅଞ୍ଚଳରେ ପାର୍କିଂ ସମସ୍ୟା ଦୂର କରିବାକୁ ବହୁତଳ କାର ପାର୍କିଂ ନିର୍ମାଣ ହୋଇଛି। ସେହିପରି ୟୁନିଟ-୧ ହାଟ, ୟୁନିଟ-୨ ମାର୍କେଟ୍ ବିଲଡିଂ ଅଞ୍ଚଳର ପାର୍କିଂ ସମସ୍ୟାର ସମାଧାନ ପାଇଁ ମାର୍କେଟ ବିଲ୍ଡିଂ କଡ଼ରେ ବହୁତଳ ପାର୍କିଂସ୍ଥଳୀ ନିର୍ମାଣ ହେଉଛି। ୨୦୧୭ ନଭେମ୍ବରରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏପ୍ରିଲ ୨୦୧୯ରେ ସରିବାର ଥିଲା। କିନ୍ତୁ ଏହା ବି ସରିବାକୁ ୩ ବର୍ଷ ଲାଗିଗଲା। ସେହିଭଳି ଜନପଥ ମଧ୍ୟ ବିଏସ୍‌ସିଏଲ୍‌ର ଅନ୍ୟତମ ସୃଷ୍ଟି। ଯଦିଓ ଏହା ସହରକୁ ଏକ ନୂଆ ରୂପ ଦେଇଛି ତଥାପି ଏହାର ନିର୍ମାଣ ଦୁଇବର୍ଷ ବିଳମ୍ବ ହୋଇଥିଲା‌। ପ୍ରକଳ୍ପ ଅବଧି ତିନିଥର ବଢ଼ିବା ପରେ ନିର୍ମାଣ ଖର୍ଚ୍ଚ ମଧ୍ୟ ୭୯.୫୬ଲକ୍ଷରୁ ୮୨.୫୬ଲକ୍ଷରେ ପହଞ୍ଚି ଯାଇଥିଲା। ସେହିଭଳି ୫୦ରୁ ଊର୍ଦ୍ଧ୍ବ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସ୍ମାର୍ଟ କିଓସ୍କ ଖତ ଖାଉଛି।

ପରିବେଶ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଏହାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି। ବିଏସ୍‌ସିଏଲ୍‌ ବି ଏଥିରୁ ବାଦ୍‌ ପଡ଼ିନଥିଲା। ‘ସୋଲାର ସିଟି ରୁଫ୍‌ଟପ୍‌’ ଯୋଜନାରେ ପ୍ରତ୍ୟେକ ଘରୋଇ ଓ ସରକାରୀ ଛାତରେ ସୌରପ୍ୟାନେଲ୍‌ ଲାଗିଥା’ନ୍ତା। ଏହା ବିଦ୍ୟୁତ ଶକ୍ତିର ବ୍ୟବହାର କମାଇବା ସହ ଭୁବନେଶ୍ବର ପରିବେଶ ପାଇଁ ସୁହାଇଥାନ୍ତା। କିନ୍ତୁ ଏ ଯୋଜନା ମଧ୍ୟ ଫେଲ୍‌ ମାରିଛି। ଏସବୁ ସତ୍ତ୍ବେ ବିଏସ୍‌ସିଏଲ୍‌ର ଏକାଧିକ ପ୍ରକଳ୍ପ ଭୁବନେଶ୍ବର ପାଇଁ ଗୌରବ ଆଣିଛି। ବିଏମ୍‌ସି-ଆଇସିଓଏମ୍‌ସି ଟାୱାର, ସମନ୍ବିତ ଲୋକ ସେବା କେନ୍ଦ୍ର ସଫଳ ହୋଇଛି।