ଭୁବନେଶ୍ବର: ଗତ କିଛି ବର୍ଷ ହେଲା ରାଜଧାନୀର କଳେବର ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଲୋକସଂଖ୍ୟା ସହ ତାଳ ଦେଇ ଗାଡ଼ି ବି ହୁ ହୁ ହୋଇ ବଢ଼ୁଛି। ଏଣୁ ପ୍ରଦୂଷଣ ବି ଉପରମୁହାଁ ହୋଇଛି। ଏହାକୁ ନଜରରେ ରଖି ସରକାର ‘ସାଧାରଣ ପରିବହନ’ ସେବାକୁ ଗୁରୁତ୍ବ ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ହେଲା ଲୋକେ ନିଜ ଗାଡ଼ି ଠୁଁ ସାଧାରଣ ପରିବହନ ସେବା ଅଧିକ ବ୍ୟବହାର କରିବେ। କିନ୍ତୁ ତାହା ଆଶାନୁରୂପ ସଫଳତା ଏ ଯାଏ ପାଇ ନାହିଁ।

Advertisment

ପ୍ରଥମେ ସିଟି ବସ୍‌ ସେବା ଆରମ୍ଭ ହେଲା। ଘରୋଇ ସଂସ୍ଥା ତାହାର ପରିଚାଳନା ଦାୟିତ୍ବ ନେଲା। ଘରୋଇ ସଂସ୍ଥାର ଚୁକ୍ତି ଅବଧି ସରିଲା ପରେ ସରକାର ହାତବାନ୍ଧି ବସିପଡ଼ିଲେ। ଫଳରେ କୋଟି କୋଟି ଟଙ୍କାର ଗାଡ଼ି ଖତ ଖାଇଲା। ଏହା ପରେ ୨୦୧୮ ମସିହା ନଭେମ୍ବର ୬ ତାରିଖରେ ଆରମ୍ଭ ହେଲା ‘ମୋ ବସ୍‌’ ସେବା। ପୂର୍ବରୁ ଚାଲୁଥିବା ସିଟି ବସ୍‌କୁ ଅପସାରଣ କରାଯାଇ ନୂଆ ରୂପରେ କ୍ରୁଟ୍‌ (କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଜରିଆରେ ଏହି ସେବା ଉପଲବ୍ଧ ହେଲା। କୁହାଗଲା, ଲୋକ ଘରୁ ବାହାରିବେ, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। କାମ ସାରି ପୁଣି ‘ମୋ ବସ୍‌’ରେ ଚଢ଼ିବେ, ଘରେ ପହଞ୍ଚିବେ। କମ୍‌ ସମୟ ବ୍ୟବଧାନରେ ପ୍ରତିଟି ଗଳିକନ୍ଦିରେ ପର୍ଯ୍ୟାପ୍ତ ପରିମାଣରେ ଏହି ସେବା ଏଭଳି ଉପଲବ୍ଧ ହେବ ଯେ ଲୋକେ ନିଜ ଗାଡ଼ି ବାହାର କରିବା ଭୁଲିଯିବେ। ଏଭଳି ହେବ ନିଜ ଗାଡ଼ିରେ ଯେତିକି ଖର୍ଚ୍ଚ ହେଉଥିଲା ଏହି ସାଧାରଣ ପରିବହନ ବ୍ୟବସ୍ଥାରେ ଅଧାରୁ କମ୍‌ ଖର୍ଚ୍ଚ ହେବ। ଏଭଳି ପ୍ରତିଶ୍ରୁତି ଦେଇଥିଲା କ୍ରୁଟ୍‌।

କ୍ରୁଟ୍‌ର ପ୍ରତିଶ୍ରୁତି କେବଳ ଘୋଷଣାରେ ରହିଯାଇଛି
‘ମୋ ବସ୍‌’ ଦୁର୍ଘଟଣା ଏବେ ସହର ପାଇଁ ଚିନ୍ତାର କାରଣ

ପ୍ରଦୂଷଣକୁ ଗୁରୁତ୍ବର ସହ ନେଇ ଏହି ସେବା ଆଉ ପାଦେ ଆଗକୁ ଗଲା। ପରୀକ୍ଷାମୂଳକ ଭାବେ ୧୦ ‘ଇ-ମୋ ବସ୍‌’ (ବ୍ୟାଟେରି ଚାଳିତ) ଅଣାଗଲା। ଯୋଜନା ଥିଲା ଡିଜେଲ୍‌ ଚାଳିତ ସବୁ ବସ୍‌କୁ ହଟାଇ ଏହି ଇ-ଯାନ ପ୍ରଚଳିତ ହେବ। ଅର୍ଥାତ୍‌ ପ୍ରଦୂଷଣ ମାତ୍ରା ପୁରା ଶୂନ ହେବ। ଲୋକେ ନିଜ ଗାଡ଼ି ବାହାର କରିବେ ନାହିଁ, ସହରସାରା ଖାଲି ଇ-ଯାନ ଚାଲିବ। ନା ଶବ୍ଦ ଶୁଭିବ, ନା ଧୂଆଁ ବାହାରିବ। ହେଲେ ହେଇଛି କଣ? ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଲୋକଙ୍କୁ କ୍ରୁଟ୍‌ ସେଇ ପୁରୁଣା ପ୍ରତିଶ୍ରୁତି ମନେ ପକାଇଦେବାର ସାହସ ଜୁଟାଇ ପାରିବ ତ?

ଏହି ସେବାକୁ ୫ ବର୍ଷ ପୂରିଛି। ହେଲେ ଏହା ଲକ୍ଷ୍ୟ ଭ୍ରଷ୍ଟ ହୋଇଯାଇଛି। ଗୋଟିଏ ଗୋଟିଏ ଦିନରେ ଯାତ୍ରୀ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରୁଥିଲେ ମଧ୍ୟ ଏବେ ବି ଆର୍ଥିକ ସହାୟତା କରୁଛନ୍ତି ସରକାର। ୫ ବର୍ଷରେ ସରକାର ୫ଶହ କୋଟିରୁ ବେଶି ଯୋଗାଇ ସାରିଛନ୍ତି। ୨୦୨୫ ସୁଦ୍ଧା ୧୨୦୦ ବସ୍‌ ଚାଲିବାକୁ ଯୋଜନା ଥିବା ବେଳେ ଏବେ ୨୫୦ ବସ୍‌ ଚଳାଚଳ କରୁଛି। ଲୋକମାନେ ନିଜ ଗାଡ଼ି ବ୍ୟବହାର କମାଇବା ନେଇ ଯେଉଁ ଆଶା କରାଯାଇଥିଲା ତାହା ଆଶାରେ ହିଁ ରହିଛି। ଏହା ସେବା ଦେବା ପରିବର୍ତ୍ତେ ଏବେ ନିର୍ଯାତନା ଦେଉଛି। ବିଭିନ୍ନ ସମୟରେ ଦୁର୍ଘଟଣା ଓ କର୍ମଚାରୀଙ୍କ ଦୁର୍ବ୍ୟବହାର ନେଇ ଆସୁଥିବା ଅଭିଯୋଗ ଜନ ଅସନ୍ତୋଷ ସୃଷ୍ଟି କରିଛି। ଦୀର୍ଘ ଦିନ ହେବ ସହର ଭିତରେ ରୁଟ୍‌ ସଂଖ୍ୟା ମଧ୍ୟ ବଢ଼ି ପାରୁ ନାହିଁ। ଏ ପର୍ଯ୍ୟନ୍ତ ପ୍ରତ୍ୟେକ ଗଳିକନ୍ଦିକୁ ସଂଯୋଗ କରାଯାଇ ପାରି ନାହିଁ। ଭିତ୍ତିଭୂମି ଅଭାବ (ରାସ୍ତା ଖରାପ) ଦେଖାଇ କ୍ରୁଟ୍‌ ବ୍ୟାଟେରି ଚାଳିତ ଅଟୋ (ମୋ ଇ-ରାଇଡ୍‌) ବ୍ୟବସ୍ଥା କରିଛି। ଘରୁ ଲୋକଙ୍କୁ ଏହି ଅଟୋ ଜରିଆରେ ମୋ ବସ୍‌ ପର୍ଯ୍ୟନ୍ତ ଆଣିବା ଓ ଛାଡ଼ିବା ଯୋଜନା ମଧ୍ୟ କାଗଜପତ୍ରରେ ରହିଛି। କେତେକ ନିର୍ଦ୍ଦିଷ୍ଟ ଓ ସୀମିତ ରୁଟ୍‌ରେ ମାତ୍ର ୫୦ଟି ଇ-ମୋ ରାଇଡ୍‌ ଚାଲୁଛି। ଏହା ଭୁବନେଶ୍ବର ଭଳି ସହରରେ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। କେବେ ଲକ୍ଷ୍ୟ ସାଧନ ହେବ? ଏହା ସଫଳ ହେବ କି ନାହିଁ? ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଏହା ଏକ ବଡ଼ ଆହ୍ବାନ ହୋଇ ଛିଡ଼ା ହୋଇଛି।