ଭୁବନେଶ୍ବର: ଜନସଂଖ୍ୟା ଓ କ୍ରମବର୍ଦ୍ଧିଷ୍ଣୁ କଳେବର ଦୃଷ୍ଟିରୁ ଭୁବନେଶ୍ୱର ଜିଲ୍ଲାର ମାନ୍ୟତା ପାଇବାକୁ ଯୋଗ୍ୟ। ମାତ୍ର ସରକାରୀ ଉଦାସୀନତା ପାଇଁ ଏହା ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ। ଫଳରେ ଖୋଦ୍‌ ଖୋର୍ଦ୍ଧା ଜିଲ୍ଲା ବି ଗୁରୁତ୍ବ ହରାଉଛି। ଜନସଂଖ୍ୟା ଦୃଷ୍ଟିରୁ ତିନି ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହୋଇସାରିଥିବା ପରେ ବି ଭୁବନେଶ୍ବରକୁ କ’ଣ ପାଇଁ ଜିଲ୍ଲାର ମାନ୍ୟତା ମିଳୁନାହିଁ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ କରାଯାଉଛି। ଐତିହ୍ୟ ଦୃଷ୍ଟିରୁ ରାଜରାଜୁଡ଼ା ଅମଳରେ ଶିଶୁପାଳଗଡ଼ ଓ ଚୂଡ଼ଙ୍ଗଗଡ଼ରୁ ଶାସନତନ୍ତ୍ର ଚାଲୁଥିବାରୁ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିବା ଉଚିତ ବୋଲି ବୁଦ୍ଧିଜୀବୀମହଲରୁ ଦାବି ହୋଇଆସୁଛି।

Advertisment

ଖୋର୍ଦ୍ଧାର ପ୍ରଥମ ଜିଲ୍ଲାପାଳ ରଘୁନାଥ ମିଶ୍ରଙ୍କ କହିବା କଥା ୧୯୯୨ ମସିହାରେ ଖୋର୍ଦ୍ଧା ଜିଲ୍ଲା ଗଠନ ହେଲା ବେଳେ ଜନସଂଖ୍ୟା ଥିଲା ୧୧ଲକ୍ଷ। ଏବେ ୨୪ଲକ୍ଷରେ ପହଞ୍ଚିଲାଣି। ସେଥିରୁ ଭୁବନେଶ୍ୱରର ଜନସଂଖ୍ୟା ୧୨ଲକ୍ଷରୁ ଅଧିକ। ଏଥିସହିତ ପ୍ରତିବର୍ଷ ଭୁବନେଶ୍ବରର ଜନସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଜନସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ବର ଏକ ଜିଲ୍ଲା ହେବା ପାଇଁ ସର୍ତ୍ତ ପୂରଣ କରୁଛି। ଏନେଇ ପ୍ରଫୁଲ୍ଲ କୁମାର ତ୍ରିପାଠୀ କୁହନ୍ତି ଯେ ଭୁବନେଶ୍ୱରକୁ ଜିଲ୍ଲା କରିବା ପାଇଁ ତତ୍କାଳୀନ ମନ୍ତ୍ରୀ ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତି ବହୁ ଉଦ୍ୟମ କରିଥିଲେ ଏବଂ ଫଳସ୍ବରୂପ ଏଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟମାନ ଗଢ଼ିଉଠିଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଏକ ଜିଲ୍ଲାର ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ।

ଉକ୍ତ କମିଟି ଭୁବନେଶ୍ବରକୁ ଜିଲ୍ଲାର ମାନ୍ୟତା ଦେବା ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ। ତତ୍କାଳୀନ ମୁଖ୍ୟଶାସନ ସଚିବ ଅଜିତ କୁମାର ତ୍ରିପାଠୀ ଓ ରାଜସ୍ବ ମନ୍ତ୍ରୀ ସୁରେନ୍ଦ୍ର ନାୟକ ମଧ୍ୟ ଭୁବନେଶ୍ବରକୁ ଜିଲ୍ଲାର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ। ମାତ୍ର ସବୁ ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଭୁବନେଶ୍ବର ଜିଲ୍ଲା ହୋଇପାରିନାହିଁ। ସମାଜସେବୀ ସନ୍ତୋଷ କୁମାର ମହାନ୍ତି କୁହନ୍ତି ଯେ ଭୁବନେଶ୍ୱର ଏକମାତ୍ର ରାଜଧାନୀ ଯିଏ ଜିଲ୍ଲାର ମାନ୍ୟତା ପାଇନାହିଁ। କେଦାରନାଥ ଗବେଷଣା ପ୍ରତିଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ପାଣି କୁହନ୍ତି ଯେ ରାଜଧାନୀ ଥିବା ସହରଗୁଡ଼ିକୁ ଜିଲ୍ଲା ଅଟନ୍ତି। ଜଷ୍ଟିସ୍ ଦାସ କମିଶନ ତାଙ୍କ ରିପୋର୍ଟରେ ଭୁବନେଶ୍ୱରକୁ ରାଜସ୍ୱ ଜିଲ୍ଲା ଘୋଷଣା କରିବା ପାଇଁ ସୁପାରିଶ କରିଥିଲେ।

ବରିଷ୍ଠ ସ୍ତମ୍ଭକାର ଭାଗୀରଥି ମହାସୁଆରଙ୍କ କହିବା କଥା ବିଶିଷ୍ଟ ଅତିଥିମାନଙ୍କ ସ୍ବାଗତ ପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତି ନିହାତି ଦରକାର। କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖାଯାଏ। ରାଜଧାନୀରେ ବିଶିଷ୍ଟ ଅତିଥିମାନଙ୍କୁ ସ୍ବାଗତ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମହକୁମା ଛାଡ଼ି ଆସିବାକୁ ପଡ଼େ। ଏଠାରେ ସର୍କିଟ୍‌ ହାଉସ୍‌ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାଲେ। ବହୁ ସମୟରେ ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା କାର୍ଯ୍ୟାଳୟ ଛାଡ଼ି ଭୁବନେଶ୍ବରରେ ରହିବାକୁ ପଡ଼ୁଛି। ଫଳରେ ଖୋର୍ଦ୍ଧା ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ଜିଲ୍ଲାପାଳଙ୍କ ସେବାରୁ ସ୍ବତଃ ବଞ୍ଚିତ ହେଉଛି। ତେଣୁ ଭୁବନେଶ୍ବର ଜିଲ୍ଲାର ମାନ୍ୟତା ପାଇଲେ ଉଭୟ ଖୋର୍ଦ୍ଧା ଓ ରାଜଧାନୀର ଲୋକଙ୍କ ପାଇଁ ପ୍ରଶାସନିକ ସେବା ମିଳିବାରେ ସହଜ ହୋଇଯିବ।